Unknown

 

 

 

 

 

 

 

 

 

 

 

ଦେହାତୀତ

ଶ୍ରୀ କମଳ କୁମାର ମିଶ୍ର

 

 

 

 

 

 

ଗାୟତ୍ରୀ ଦେବୀ, ସୁଚରିତାଷୁ

 

ବୁଢ଼ୀ,

 

ଗଳ୍ପଟିଏ ମାଗିଥିଲୁ, ମୋର ଏଇ ଉପନ୍ୟାସ ଦେଲି । ସରଳ ସହଜ ଭାବରେ ଗ୍ରହଣ କଲେ ସୁଖୀ ହେବି ।

 

ତୋର ବାପା

 

ଏକ

 

ସମୟ ସନ୍ଧ୍ୟା ପରେ ପ୍ରାୟ ଆଠ ।

 

ମୋହନ ସୁରା ପାତ୍ରଟିକୁ ଧୀରେ ଟେକି ନେଇ ମୁହଁରେ ଦେଲା । ତାର ଆଖି ଗୁଡ଼ିକ କିପରି ସଙ୍କୁଚିତ ହୋଇ ଆସିଲାଣି । ମୁହଁଟି କିପରି ଦିଶୁଛି । ତା ଆଗରେ ଟେବୁଲର ଅପର ଧାରରେ ବସି ମଧୁ କହିଲା–

 

‘ତିନିଟା ଗ୍ଳାସ ହେଲାଣି–ସେତିକି ଥାଉ’

 

ମୋହନ ମଳିନ ହସି କହିଲା–‘ଆଉରି ଗୋଟାଏ ପେଗ ଦରକାର । ସମ୍ପୂର୍ଣ୍ଣ ଭାବରେ କାଣ୍ଡଜ୍ଞାନ ଲୁପ୍ତ ନ ହେଲେ, ବିବେକ ସୁପ୍ତ ନ ହେଲେ ପର ନାରୀର ଦେହ ଉପଭୋଗ କରି ହୁଏ ନା ।’

 

‘ପିଇବାଟା ଭଲ ନୁହେଁ’

 

‘ପରନାରୀର ଦେହ ଉପଭୋଗ କରିବା କଅଣ ଭଲ ? ।’’ ଏମ୍. ଏଲ. ଏ. ହୋଇ, ମନ୍ତ୍ରୀ ହୋଇ ଦେଶକୁ ଲୁଣ୍ଠନ କରିବା କ’ଣ ଭଲ ? କଳାବଜାର କରିବା ଭଲ ?

 

ମଧୁ କିଛି କହିଲା ନାହିଁ ।

 

ମୋହନ ହସିବାକୁ ଚେଷ୍ଟା କରି କହିଲା, ‘ସଂସାରରେ ବହୁତ କିଛି ହୁଏ, ଯାହା ଭଲ ନୁହେଁ । ତୁ ଯେ ଦରିଦ୍ର, ତୁ ଯେ ଗରିବ, ସେଟା କଅଣ ଭଲ ? ତା ମଧ୍ୟ ହେବା ଉଚିତ ନ ଥିଲା । ତୁ ଯେ ଗରିବ, ସେ କଅଣ ତୋର ଦୋଷ ?’

 

ମଧୁ କିପରି ସଙ୍କୁଚିତ ଅନୁଭବ କଲା ।

 

ମନରେ କିଛି ଭାବିଲୁ’ ? –ମୋହନ ପ୍ରଶ୍ନ କଲା ।

 

ମଧୁ କିଛି ଉତ୍ତର ଦେଲା ନାହିଁ । ମୋହନ ପୁଣି କହିଲା–‘କିଛି ଭାବିବୁ ନାହିଁ–ଅନେକ ସମୟରେ ମୋ ମୁହଁରୁ ଅପ୍ରିୟ ସତ୍ୟ ସବୁ ବାହାରି ଆସେ । ସେଟା ମୋର ଦୋଷ । ଅନେକ ମୋତେ ଭଲ ପାଆନ୍ତି ନାହଁ । କିନ୍ତୁ ମୁଁ ଜାଣେ ତୁ ମତେ ଭଲ ପାଉ ।’’

 

ମଦଗ୍ଳାସଟିକୁ ସାରି ମୋହନ ଉଠିଲା ।‘ମଧୁ’, -ସେ କହିଲା, ‘ତୋରି କଥାରେ ମୁଁ ଆଉ ପିଇବି ନାହିଁ, ଏଇ ଥରକ ପାଇଁ । ଉଠ୍‍ ।’’

 

ପଇସା ଦେଇ ମୋହନ ଓ ମଧୁ ବାହାରି ଆସିଲେ । ରାସ୍ତାଟା ସେ ଆଡ଼କୁ କ୍ରମେ ଅନ୍ଧାର ହୋଇ ଯାଇ ଶେଷ ଆଡ଼କୁ ଆଉ କିଛି ଦିଶୁନି–ସେଇ ଆଡ଼କୁ ଆଗେଇଲେ ମୋହନ ।

 

ଅଦୂରରେ ଗୋଟାଏ ଛକ । ସେଇଠୁ ଗୋଟାଏ ରିକ୍‍ସାବାଲାକୁ ଗୋଟାଏ ଆଡ଼କୁ ଡାକି ମୋହନ ପଚାରିଲା, ‘ରିକସାବାଲା–ଆଜି ରାତିଟା ପାଇଁ ଏମିତି ଗୋଟାଏ ଜାଗାକୁ ନେଇ ଯାଇ ପାରିବୁ, ଯେଉଁଠି ଲୋକ ସବୁ ଭୁଲି ଯାଏ ।’

 

ରିକ୍‍ସାବାଲା କିଛି ବୁଝିଲା ନାହିଁ ।

 

ମୋହନ ବୁଝାଇଲା । ମଧୁ ବୁଝାଇଲା । ରିକ୍‍ସାବାଲା ବୁଝିଲା, ଆଉ ଦେଖିଲା ଦୁଇ ଜଣଙ୍କୁ । ଜଣେ ପିନ୍ଧିଛି ବେଶ ଦାମିକା ଲୁଗା । ମୁହଁରେ ବିଲାତି ମଦର ଗନ୍ଧ । ପାଖର ଲୋକଟି ପିନ୍ଧିଛି ଖଣ୍ଡିଏ ସାଧାରଣ ଅଥଚ ପରିଷ୍କାର ସାର୍ଟ ଓ ପାଇଜାମା । ରିକ୍‍ସାବାଲା ଯେ ତାଙ୍କ କଥା ବୁଝିଲା ତା ନୁହେଁ, ସେ ବୁଝିଲା ଯେ ତାର ଗୋଟାଏ ଭଲ ରେଜଗାରର ବେଳ ଆସିଛି । ସେ କହିଲା, ଭଲ ଜାଗା ଅଛି ବାବୁ; କିନ୍ତୁ ଖର୍ଚ୍ଚ ବେଶୀ–ମୁଁ ନେବି ଦଶ ଟଙ୍କା ।’’

 

‘ପାଞ୍ଚ ଟଙ୍କା’ ? –ମୋହନ କହିଲା ।

 

‘ଏତେ କଅଣ.....’ ମଧୁ ବାଧା ଦେବା ବେଳକୁ ତାକୁ ବାଧା ଦେଇ ମୋହନ କହିଲା, ‘ପାଞ୍ଚଟା ଟଙ୍କା ହେବ ? ତେବେ ଚାଲ ! ମୁଁ ବରାବର ସେଇଆ ଦିଏଁ’’ ।

 

ରିକ୍‍ସାବାଲା ତାଙ୍କର ବ୍ୟବହାରରୁ ଜାଣିଲା ଏ ନୂଆ ଲୋକ ନୁହେଁ । ସେ ଦୀର୍ଘ ନିଶ୍ଵାସ ଛାଡ଼ି କହିଲା, ‘ବୈଠିଏ’ ।

 

ସେମାନେ ଫେରିଲା ବେଳକୁ ରାତି ଦଶଟା । ମଧୁ କହିଲା, ‘ମୋହନ, ମୁଁ ସ୍ଵୀକାର କରେ ତୁ ବଡ଼ ଲୋକ, ତୋର ବହୁତ ପଇସା ଅଛି । କିନ୍ତୁ ଜଣେ ସାମାନ୍ୟ ସ୍ତ୍ରୀ ଲୋକ, ସେ ନିଜର ଦେହ ବିକ୍ରି କରେ, ତାକୁ କୁ ଏତେ ଗୁଡ଼ିଏ ଟଙ୍କା ଫୋପାଡ଼ି ଦେଲୁ ?’’

 

ମୋହନର ନିଶା ସେତେବେଳକୁ ଛାଡ଼ି ଆସିଲାଣି । ସେ ମଳିନ ହସି କହିଲା, ‘ଜଣେ ନାରୀର ନାରୀତ୍ଵର ମୂଲ୍ୟ କୋଡ଼ିଏ ଟଙ୍କାରୁ ଢେର ବେଶୀ, ନୁହେଁ କି ମଧୁ ? ତେଣୁ ବେଶୀ କ’ଣ ଦେଲି ।’

 

‘ଲୋକ ତ ପୁଣି ପାଞ୍ଚ ଟଙ୍କା ଦେଉଛନ୍ତି’ ?

 

‘ବିକ୍ରେତା ତାର ପଣ୍ୟର ମୂଲ୍ୟ ଯଦି ନ ବୁଝି ଶସ୍ତାରେ ଦିଏ, ତେବେ ଆମେ ଜାଣିଶୁଣି ତାକୁ ଠକିବା ? ମୁଁ ଠକିବାକୁ ଚାହେଁନା ବରଂ ଠକିଯିବାକୁ ଚାହେଁ । ଧୂଳିରେ ମିଶିଯିବାକୁ ଚାହେଁ । ମୁଁ କ’ଣ ମୋର ଜୀବନର ମୂଲ୍ୟ କଣ, ମୋର ଜନ୍ମ କାହିଁକି ହୋଇଛି କିଛି ବୁଝି ପାରେନା । ମୋ ଜୀବନରେ ଲକ୍ଷ୍ୟ ନାହିଁ । ମୋର ଉଦ୍ଦେଶ୍ୟ କିଛି ନାହିଁ । କିନ୍ତୁ ମୋ ଭିତରେ ଗୋଟାଏ କିଛି ଅଛି, ଯାହା ଜଳୁଛି, ମତେ ଜାଳି ପୋଡ଼ି ମାରୁଛି । ସେଇ ଦହନକୁ, ତାର କଷ୍ଟ ଭୁଲିବାକୁ ମୋତେ ପିଇବାକୁ ପଡ଼େ, କ୍ରୀତ ନାରୀର ବକ୍ଷରେ ମୁଁ ଆଶ୍ରୟ ଲୋଡ଼େ । କିନ୍ତୁ ହାୟ !....’

 

ଦୁଇ

 

ମାଧବୀ ଦେବୀ ତାଙ୍କ ପ୍ରକୋଷ୍ଠରେ ନିଜର ବଡ଼ ଦର୍ପଣରେ ନିଜକୁ ଦେଖୁଥିଲେ । ତୀବ୍ର ଆଲୋକରେ ଖୁବ ସ୍ପଷ୍ଟ ଦିଶୁଥିଲା ତାଙ୍କର ଚେହେରା ।

 

ମୁଣ୍ଡର ବାଳ ଗୁଡ଼ିକ ବେଶ ପାଚିଗଲାଣି; ବାଳ ଗୁଡ଼ିକ କେବେଠୁ ପାଚିବାକୁ ଆରମ୍ଭ କଲାଣି । କିନ୍ତୁ ତାଙ୍କର ସେ ପାଇଁ କେବେହେଲେ ଦୁଃଖ ନଥିଲା; ବରଂ ପିଲାଗୁଡ଼ିକ ବଡ଼ ହେବା ସାଙ୍ଗକୁ ବାଳଗୁଡ଼ିକ ଯେ ତାଳ ଦେଇ ବେଶୀ ବେଶୀ ପାଚି ଉଠୁଥିଲେ ଏଥିରେ ସେ ସୁଖୀ ହୋଇଥିଲେ ।

 

ଦିନ ଥିଲା, ଯେତେବେଳେ ସେ ସେଇ ବାଳ ଗୁଡ଼ିକୁ ଅତି ଯତ୍ନରେ ସଜାଉଥିଲେ, ପ୍ରସାଧନ ଓ ପ୍ରଲେପନରେ ସେ ଗୁଡ଼ିଏ ସମୟ ଖର୍ଚ୍ଚ କରୁଥିଲେ; କିନ୍ତୁ ଆଜି ସେଥିରେ ବେଶ ଗୋଟିଏ ପରିବର୍ତ୍ତନ ଆସିଥଲା । ଆଜି ମଧ୍ୟ ସେ ନିଜକୁ ସଜାଉଥିଲେ, ବରଂ ଆଜି ସେ ଆଗ ଅପେକ୍ଷା ମୂଲ୍ୟବାନ ଲୁଗା ପିନ୍ଧୁଥିଲେ, ଦାମିକା ଅଳଙ୍କାର ମଧ୍ୟ ପିନ୍ଧୁଥିଲେ କିନ୍ତୁ ଏଗୁଡ଼ିକୁ ତାଙ୍କୁ କରିବାକୁ ପଡ଼ୁଥିଲା କର୍ତ୍ତବ୍ୟ ଦୃଷ୍ଟିକୋଣରୁ, ସ୍ଵାମୀଙ୍କ ମନ ଗ୍ରହଣ ଦୃଷ୍ଟିକୋଣରୁ । ନୂଆ ସୁନ୍ଦର ଘରଟି ଯେ ତାଙ୍କର ତିଆରି ହୋଇଛି, ତା ସହିତ ଖାପ ଖାଇବା ଦୃଷ୍ଟିକୋଣରୁ ।

 

ସାଧାରଣ ଲୁଗାଟିକୁ ଅତି ସାଧାରଣ ଭାବରେ ପିନ୍ଧିଥିଲେ ସେ । ଗାର୍ହସ୍ଥ୍ୟ ଜୀବନରେ ଏଇ ଅତି ସାଧାରଣ ହେବାରେ ଗୋଟିଏ ଗାମ୍ଭୀର୍ଯ୍ୟ ନିଜେ ନିଜେ ଫୁଟି ଉଠେ । ସେଟା ସେ ବୟସ ବଢ଼ିବା ସଙ୍ଗେ କ୍ରମେ କ୍ରମେ ଉପଲବଧି କରିଛନ୍ତି । ସଂସାରରେ ଏହା ଏକ ନିରାଟ ସତ୍ୟ–ଅଳ୍ପ ବୟସରେ ମଣିଷ ଯାହା ନିଜେ ଏଡ଼ାଇ ଦିଏ ବୟସ ବଢ଼ିଲେ ତାକୁଇ ଆବୋରି ଧରେ ।

 

ମାଧବୀ ଦେବୀ ନିଜକୁ ଭଲ ଭାବରେ ଦେଖିଲେ । ଆଜିକି ପ୍ରାୟ କୋଡ଼ିଏ ବର୍ଷ ତଳେ ତାଙ୍କର ଯାହା ଚେହେରା ଥିଲା, ତାଙ୍କ ମାନସ ଚକ୍ଷୁରେ ଭାସି ଉଠିଲା । ସେତେବେଳେ ସେ ଥିଲେ ପାତଳୀ–ଦେହର ବର୍ଣ୍ଣ ଥିଲା ଉଜ୍ଜ୍ଵଳ । ଆଖି ଯୋଡ଼ିକ ଥିଲା ଚଞ୍ଚଳ–କଳା କଳା ଡୋଳା ଯୋଡ଼ିକ ଭ୍ରୂର ଅର୍ଦ୍ଧବୃତ୍ତ ତଳେ ଘୂରି ବୁଲିବା ଫଳର ଦେଖିବା ଲୋକର ଆଖି ମଧ୍ୟ ଲାଖି ଯାଉଥିଲା ତା ଉପରେ । ଆଉ ସେଇ ଡୋଳା ଦିଓଟି ଯେବେ ନିବଦ୍ଧ ହେଉଥିଲା ସେତେବେଳେ କାହାର ବକ୍ଷ ଭିତରେ କଙ୍କଡ଼ା ବିଛା କାମୁଡ଼ି ଦେଉଥିଲା ଅବା ।

 

ଆଜି ତାଙ୍କର ବର୍ଣ୍ଣ ଆହୁରି ଉଜ୍ଜ୍ଵଳ ହୋଇଛି; ବରଂ ଆହୁରି ରକ୍ତିମ ହୋଇଛି । ଅଧର, ଗଣ୍ଡ, ଆଉରି ପୂର୍ଣ୍ଣ ହୋଇଛି; କିନ୍ତୁ ତ୍ଵକ୍‍ର ସେ ମସୃଣତା ନାହିଁ । ଆଜି ମୁହଁକୁ ଆସିଛି ଏକ ସ୍ନିଗ୍‍ଧତା, ଏକ କମନୀୟତା ଯାହା ତାକୁ ଆଉରି ସୁନ୍ଦର କରି ଉଠାଇଛି । କିନ୍ତୁ ଏ ସୌନ୍ଦର୍ଯ୍ୟ ଭିନ୍ନ-। ଆଜି ମଧ୍ୟ ତାଙ୍କ ଆଖିରେ ଆମନ୍ତ୍ରଣ ଅଛି, ମନକୁ ଟାଣି ନେବାର ଶକ୍ତି ଅଛି, କିନ୍ତୁ ଏ ଆମନ୍ତ୍ରଣର ରୂପ ଭିନ୍ନ ।

 

...କିନ୍ତୁ ଆଜି ତାଙ୍କର ଆଖିରେ ଦେଖା ଦେଇଥିଲା ଗୋଟାଏ ଚଞ୍ଚଳତା, ଆଉ ତାଙ୍କ ମୁହଁରେ ଥିଲା ଟିକିଏ ରକ୍ତିମତା, ଟିକିଏ ସଙ୍କୁଚିତ ଭାବ, ଟିକିଏ ଲଜ୍ଜାର ଆଭାସ । ଏହି ଅସ୍ଵାଭିବକତାର କାରଣ ଥିଲା, ଆଉ ସେ କାରଣଟି ହେଉଛି ରଘୁନାଥ ବାବୁଙ୍କର ଆଗମନ ।

 

ଆଜିକି ପ୍ରାୟ ବାଇଶ ବର୍ଷ ଆଗର କଥା । ପ୍ରଥମ ପୁଅ ଯାଦବ ଜନ୍ମ ହେଲା ସେତେବେଳେ, ତା ଦେହର ରଙ୍ଗ ଦେଖି ତାଙ୍କ ସ୍ୱାମୀ ବ୍ରଜମୋହନଙ୍କର ମନ ଭାଙ୍ଗିପଡ଼ିଥିଲା । ବ୍ରଜମୋହନ ନିଜେ କଳା । ସେ ବାଛି ବାଛି ବିବାହ କରିଥିଲେ ମାଧବୀ ଦେବୀଙ୍କୁ । ଗରିବର ଝିଅ ହେଲେ ବି ସେ ତାଙ୍କୁ ବିବାହ କରିଥିଲେ ।

 

ତାର କାରଣ ମାଧବୀ ଥିଲେ ଗୌରୀ, ସୁନ୍ଦରୀ । ଆଉ ସେ ଆଶା କରିଥିଲେ ଯେ ତାଙ୍କର ସନ୍ତାନଗୁଡ଼ିକ ମଧ୍ୟ ହେବେ ଗୌର ଓ ସୁନ୍ଦର । ସେତେବେଳେ...ସେତେବେଳେ ସେ ପିତ୍ରାଳୟରେ ତାଙ୍କର ସାନ ଭାଇ ଭଉଣୀଙ୍କୁ ପଢ଼ାଇବାକୁ ଆସୁଥଲେ । ରଘୁନାଥ–ଦେଖିବାକୁ ସୁନ୍ଦର, ଉଜ୍ଜ୍ୱଳ ବର୍ଣ୍ଣ ମଧ୍ୟ । ପରିଚୟ ଆଉ ବଢ଼ିଲା–ଆଉ...ଆଉ...ଆଉ...କ୍ରମେ ଜନ୍ମ ନେଇଥିଲେ ମୋହନ ଆଉ ଶ୍ୟାମଳୀ ।

 

ଆଜି ବଡ଼ ପୁଅ ଯାଦବ ଏମ, ଏସସି, ଫାଇନାଲ ପାଇଁ ପ୍ରସ୍ତୁତ ହେଉଛି । ସାନପୁଅ ମୋହନ ଦୁଇଥର ଆଇ, ଏସସି, ପରୀକ୍ଷାରେ ଫେଲ ହେଲାଣି । ତୃତୀୟ ଥର ପାଇଁ ପ୍ରସ୍ତୁତ ହେଉଛି, କିନ୍ତୁ ପଢ଼ାରେ ମନଯୋଗ ଦେବାର ନାମ ନାହଁ । ଆଉ ଶ୍ୟାମଳୀ– ସେ ଏଥର ଆଇ. ଏ. ପରୀକ୍ଷା ଦେବ । ତାର ପାଠପଢ଼ାରେ ଯେତିକି ମନ, ସେତିକି ମନ କବିତା ପଢ଼ାରେ । ତାର କବିତା ପ୍ରତି ଦୁର୍ବଳତା କ୍ରମେ କବି ପ୍ରତି ଦୁର୍ବଳତାରେ ପରିଣତ ହୋଇ ପରିବାର ପକ୍ଷରେ ଦୁଶ୍ଚିନ୍ତାର ବିଷୟ ହୋଇପଡ଼ିଛି । ସେତିକି ନୁହେଁ, ସାନ ପୁଅ ବିଷୟରେ ମଝିରେ ମଝିରେ କିଛି କିଛି ଯାହା ଶୁଣିବାକୁ ମିଳେ, ତାହା ମଧ୍ୟ ଚିନ୍ତାର ବିଷୟ । ପରିବାର ଭିତରକୁ, ଶାନ୍ତି ଭିତରକୁ, ସ୍ଵର୍ଗ ଭିତରକୁ ପ୍ରବେଶ କରିଛି ଝଡ଼, ଅଶାନ୍ତି ଦୈତ୍ୟ.....

 

କିନ୍ତୁ ମାଧବୀ ଦେବୀ ଭାବୁଥିଲେ ଆଜି ରଘୁନାଥ ବାବୁଙ୍କ କଥା । ଆଜି ବହୁତ ବର୍ଷ ପରେ ସେ ଆସୁଛନ୍ତି ତାଙ୍କ ଘରକୁ । ବୁଲିବାକୁ ନୁହେଁ, ଏଇଠି ଏକ ଚାକିରି ଘେନି । କଟକରେ ଘର ଭଡ଼ା ମିଳୁ ନାହଁ–ତେଣୁ ତାଙ୍କରି ଘରେ ଗୋଟିଏ ବଖରା ନେଇ ରହିବେ । ସେ....ରଘୁନାଥ ବାବୁ, ମାଧବୀ ଦେବୀ ଖବର ରଖିଛନ୍ତି, ବିବାହ କରି ନାହାନ୍ତି । ପ୍ରଥମ ଯୌବନର ପ୍ରେମ, ପ୍ରଥମ ଯୌବନର ଦୁର୍ବଳତା ସେ ଭୁଲିପାରି ନାହାନ୍ତି । ସେ ଯେ ଅନ୍ୟ ସନ୍ତାନର ଅବୈଧ ପିତା, ତାହା ସେ ଭୁଲି ପାରି ନାହାନ୍ତି । ଗୋଟାଏ କ୍ଷୀଣ ଆଶା ହୁଏତ ବା ତାଙ୍କର ଅଛି ଯେ, ସେଇମାନେ ଦିନେ ତାଙ୍କୁ ଚିହ୍ନିବେ, ଜାଣିବେ, ଆଉ ତାଙ୍କୁ ପିତା ବୋଲି ସମ୍ବୋଧନ କରିବେ କେଜାଣି ହୁଏତ–

 

ସନ୍ଧ୍ୟା କେତେବେଳୁ ବିଗତ–

 

ଏଯାଏଁ ମୋହନ ଫେରିନି । ଗଲା ପ୍ରାୟ ବର୍ଷେ ଦି’ବର୍ଷ ହେଲା ତାର ପକେଟ ଖର୍ଚ୍ଚ ବଢ଼ି ଯାଇଛି, ଅନ୍ୟାୟ ଭାବରେ ବଢ଼ି ଯାଇଛି । କ୍ରମେ ସେ ଉଦାସୀନ ହୋଇଉଠୁଛି ! କିପରି ଗୋଟାଏ ହୋଇ ଯାଉଛି ! ଘରେ କାହାରି ସାଙ୍ଗରେ ସେପରି ଗୋଟିଏ ଭଲ କଥାବାର୍ତ୍ତା ମଧ୍ୟ କରେନା ।

 

ଶ୍ୟାମଳୀ ତାର ପଢ଼ାଘରେ ବସି ପଢ଼ୁଛି କିମ୍ବା ହୁଏତ କବିତା ଲେଖୁଛି ।

 

ଯାଦବ ଯାଇଛି କଲେଜ । ଆଜି ତାଙ୍କ କଲେଜକୁ ଜଣେ ବିଶିଷ୍ଟ ବୈଜ୍ଞାନିକ ଆସୁଛନ୍ତି–ବକ୍ତୃତା ଦେବେ । ସେ ଫେରୁ ଫେରୁ ବିଳମ୍ବ ହେବ ।

 

ମାଧବୀ ଦେବୀ ହଠାତ୍ ଅନୁଭବ କଲେ, ତାଙ୍କର ଚାହା କପେ ଦରକାର । ସେ ଡାକି ଉଠିଲେ–‘ପୁଝାରୀ’–

 

ତିନି

 

ରଘୁନାଥ ଯେତେବେଳେ ରିକ୍‍ସାରେ ଆସି ପହଞ୍ଚିଲେ ମାଧବୀ ଦେବୀ ସେତେବେଳେ ରନ୍ଧା ଘରେ । ସମୟ ପ୍ରାୟ ନ’ଟା । ଚାହା କପଟିଏ ପିଇ ସାରିବା ପରେ କ’ଣ ରନ୍ଧାରନ୍ଧି ହୋଇଥିଲା ସେକଥା ସେ ବୁଝୁଥିଲେ । ଘରଟା ଭିତରେ ମାତ୍ର କେତୋଟି ଲୋକ; କିନ୍ତୁ ସମସ୍ତଙ୍କର ଖାଦ୍ୟ, ପରିଧେୟ ଏବଂ ଏପରିକି ପଠନରେ ରୁଚି ଭିନ୍ନ । ନିଜ ଔରସର ତିନିଟା ସନ୍ତାନ ଭିତରେ ତାରତମ୍ୟ ଖୁବ୍‍ ବେଶୀ । ଦିନ ଯେତେ ଗଡ଼ି ଚାଲିଥିଲା, ଏହି ତାରତମ୍ୟ ସେତେ ବଢ଼ି ଚାଲିଥିଲା–ମାଧବୀ ଦେବୀ ଏଥିରେ ଆତଙ୍କିତ ହେଇ ଉଠୁଥିଲେ ।

 

ମାଧବୀ ଦେବୀଙ୍କ କାନ ଥାଏ ବାହାରେ । ସେ ଡାକ ଶୁଣି ବାହାରି ଆସିଲେ, ତାଙ୍କ ଡାକରେ ଚାକରଟା ମଧ୍ୟ ଆସିଲା । ସେ ରଘୁନାଥଙ୍କୁ ନମସ୍କାରଟିଏ କଲେ ।

 

ରଘୁନାଥ ଆଜି ଆଉ ସେ ଆଗର ରଘୁନାଥ ନାହାନ୍ତି । ତାଙ୍କର ମୁଣ୍ଡର କେଶଗୁଡ଼ିକ ବେଶ ଧଳା ପଡ଼ିଗଲାଣି । ସେହିପରି ସେ ଗୋଲଗାଲ ଅଛନ୍ତି, ବରଂ ଦେହର ମଝି ଅଂଶଟା ଆଉ ବର୍ତ୍ତୁଳ ହୋଇ ଉଠିଛି ।

 

ରଘୁନାଥଙ୍କ ଜିନିଷ–ବାକ୍‍ସଟିଏ, ବେଡିଂଟିଏ ବୋହି ନିଆ ହେଲା–ନିର୍ଦ୍ଦିଷ୍ଟ ଗୋଟଏ କକ୍ଷ ଭିତରକୁ ରଘୁନାଥଙ୍କୁ ଚାହା କପଟିଏ ଦିଆ ହେଲା । ‘ଏତେବେଳେ ଚାହା’–ସେ ପଚାରିଲେ ।

 

ଖାଉଁ ଖାଉଁ ଦଶଟା ପାର ହେବ, ଚାହା ଖାଇ ଟିକିଏ ବିଶ୍ରାମ କରନ୍ତୁ–ମାଧବୀ ଦେବୀ କହିଲେ ।

 

‘ପିଲାଏ କାହାନ୍ତି ? କାହାକୁ ତ ଦେଖୁନି !’

 

‘ବଡ଼ ଯାଇଛି ତାଙ୍କର କ’ଣ ଗୋଟାଏ ମିଟିଂ ହେଉଛି ସେଠାକୁ, ଝିଅ ଉପରେ ପଢ଼ୁଛି, ଡାକି ଦେବି ?’

 

‘ହଁ ଆଉ ସାନ ?’

 

ମାଧବୀ ଦେବୀଙ୍କ ବୟସ ସତ୍ତ୍ୱେ ମୁଁହରେ ଦୁଷ୍ଟ ହସ ଫୁଟି ଉଠିଲା । ତାକୁ ଲକ୍ଷ୍ୟ କରି ରଘୁନାଥ ଟିକିଏ ଲଜ୍ଜିତ ହୋଇ ପଡ଼ିଲେ ।

 

‘ସେ ଲଫଙ୍ଗା କୁଆଡ଼େ ବୁଲୁଛି, ଠିକ ଖାଇବା ବେଳ ହେଲେ ଆସିଯିବ’, କହି ମାଧବୀ ଦେବୀ ଶ୍ୟାମଳୀ ପ୍ରତି ଡାକ ଛାଡ଼ିଲେ ।

 

‘ଲଫଙ୍ଗା ?’

 

ମାଧବୀ ହଠାତ ଗମ୍ଭୀର ହୋଇଉଠିଲେ, ‘ହଁ, କାମରେ ପାଠରେ ମନ ନାହିଁ, ଖାଲି ବୁଲି ବୁଲେ । ଆଇ ଏସ,ସି, ଦି ଥର ଫେଲ ହେଲାଣି, ତଥାପି ଗୋଟିଏ ସ୍ଥିରତା ତାର ଆସୁନାହିଁ ।’

 

ରଘୁନାଥ କ’ଣ ଭାବି କହିଲେ, ପରୀକ୍ଷାରେ ଫେଲ ହବା ଫଳରେ, କିମ୍ବା ପାଶ କରିବା ଫଳରେ ଜୀବନରେ ଯେ ସ୍ଥିରତା ଆସେ, ତା ନୁହେଁ । ଅନେକ ବାପ ମା’ ଭାବନ୍ତି ଯେ, ପିଲା ଗୁଡ଼ିକ ଧୀର ସ୍ଥିର ହେବେ, କାମ କରିଯିବେ; କିନ୍ତୁ ପିଲାଗୁଡ଼ିକ ବେର୍ବଗିଆ ହୁଅନ୍ତି । ତାର କାରଣ ହେଉଛି ଜୀବନରେ ଏକ ଆଦର୍ଶର ଅଭାବ, ଲକ୍ଷ୍ୟର ଅଭାବ । ଉଦ୍ଦେଶ୍ୟହୀନ ଭାବରେ ମଣିଷ ଯେତେବେଳେ ସମୟ କଟାଏ, ସେତେବେଳେ ସେ କ’ଣ କରେ ନ କରେ ଅନ୍ୟ ଲୋକେ ଯେ ବୁଝିପାରନ୍ତି ନାହିଁ, ଖାଲି ସେତିକି ନୁହେଁ, ସେ ନିଜେ ମଧ୍ୟ ବୁଝି ପାରେ ନାହିଁ । ହଁ ବ୍ରଜମୋହନ ବାବୁ କାହାନ୍ତି ?

 

‘ଆଜି ତାଙ୍କ ବେଙ୍କର ବୋର୍ଡ ଅଫ୍ ଡିରେକଟରମାନଙ୍କର ଗୋଟିଏ ବୈଠକ ବସୁଛି । ସେ ଆଜି ଆସିବାକୁ ବିଳମ୍ବ ହେବ । ରାତି ବାରଟା ମଧ୍ୟ ହୋଇ ଯାଇପାରେ’’ ।

 

ଶ୍ୟାମଳୀ ଆସିଲା ଭିତରକୁ ।

 

‘ପ୍ରଣାମ କର, ସେ ମୋର ଶିକ୍ଷକ ଥିଲେ ।’

 

ଶ୍ୟାମଳୀ ପ୍ରଣାମ କଲା ବେଳକୁ ରଘୁନାଥ ତାକୁ କୋଳ ଉପରକୁ ଟାଣି ନେଲେ । ସ୍ନେହରେ ତାଙ୍କ ଆଖିରୁ ଲୁହ ଆସିଗଲା । ତାକୁ ସେ ଭଲ କରି ଦେଖିଲେ । ମୁହଁ, ଦେହ, ଲୁଗା–ସବୁ ଶ୍ୟାମଳୀକୁ ଟିକିଏ ଅଖାଡ଼ୁଆ ଲାଗିଲା । ତେବେ ବୋଉର ଶିକ୍ଷକ ଯେତେବେଳେ ସେ କିଛି କହିଲା ନାହିଁ । ରଘୁନାଥ ବାବୁ ସ୍ନେହରେ ଯେତେବେଳେ ତାର ମୁଣ୍ଡରେ ପିଠିରେ ହାତ ବୁଲାଇ ଦେଲେ, ତାକୁ ଭଲ ଲାଗିଲା ।

 

‘ମନଦେଇ ପାଠ ପଢ଼ୁଛୁ, ତ ମା ? ରଘୁନାଥ ପଚାରିଲେ ।

 

ଶ୍ୟାମଳୀ ହସିଲା ।

 

ମନଦେଇ ପଢ଼ । ଏଥର ପରା ଆଇ.ଏ.ପରୀକ୍ଷା ଦେବୁ ?

 

ମୁଣ୍ଡ ହଲାଇ ଶ୍ୟାମଳୀ କହିଲା–‘ହଁ’

 

ଏତିକି ବେଳକୁ ଯାଦବ ଆସି କବାଟ ଆଗ ଦେଇ ଚାଲିଗଲାବେଳେ ତାର ଆଖି ଘର ଭିତରକୁ ପଡ଼ିଲା ଏବଂ ଅନ୍ୟମାନେ ମଧ୍ୟ ତାକୁ ଦେଖିଲେ । ତାର ଗୋଡ଼ ଅଟକିଗଲା ଏବଂ ସେ ଭିତରକୁ ଆସିଲା ।

 

ମାଧବୀ ଦେବୀ କହିଲେ, ‘ଏଇ ହେଉଛନ୍ତି ରଘୁନାଥ ବାବୁ ।’’

 

ଯାଦବ ପ୍ରଣାମ କରି କହିଲା, ‘ଆଜି ମୁଁ ଷ୍ଟେସନ ଯାଇ ଆପଣଙ୍କୁ ଆଣିଥାନ୍ତି, କିନ୍ତୁ ଗୋଟାଏ ଇମପୋର୍ଟେଣ୍ଟ ମିଟିଂ ଥିଲା ଯାଇ ପାରିଲି ନାହିଁ । ଆପଣଙ୍କର କିଛି ଅସୁବିଧା ହୋଇ ନାଇଁ ତ ?

 

‘ନା ବାପା’

 

ସମସ୍ତେ ବସି ଥୋଡ଼ାଏ ବେଳ କଥାବାର୍ତ୍ତା ହେଲେ । ଅଧଘଣ୍ଟାଏ ଗଲା । ଶ୍ୟାମଳୀ ପଢ଼ିବା ପାଇଁ ଚାଲିଗଲା । ଯାଦବ ମଧ୍ୟ ଗଲା । ପୁଣି ରଘୁନାଥ ଓ ମାଧବୀ ଏକା ରହିଲେ ।

 

‘ମୋହନର ଆଜି କାହିଁକି ଏତେ ଉଛୁର ହେଉଛି ମୁଁ ବୁଝିପାରୁଛି, ବଡ଼ ବେର୍ବଗିଆ ହେଲା ସେଇଟା’’–ମାଧବୀ କହିଲେ ।

 

‘ଆସୁ, ଦେଖିବା, ବ୍ୟସ୍ତ ହେବାର କିଛି ନାହିଁ ।’

 

ଏଇ ସମୟରେ ମୋହନ ଆସି ପହଞ୍ଚିଲା, ନିଶା ତାର ଛାଡ଼ି ଆସିଲାଣି । ମାଧବୀ ଦେବୀ ତାକୁ ଡାକିଲେ–‘ମୋହନ, ଏଠିକି ଆ’

 

ଭିତରୁ ମୋହନ ଆସିଲା ।

 

‘‘ପ୍ରଣାମ କର, ସେ ମୋର ଶିକ୍ଷକ, ଏ ହେଉଛନ୍ତି ରଘୁନାଥ ବାବୁ’’

 

ମୋହନ ଦେଖିଲା ରଘୁନାଥ ବାବୁଙ୍କୁ । ଗୋରା ହୋଇ ମୋଟା ଧରଣର ଏକ ଭଦ୍ରଲୋକ । ତା ବୋଉର ଶିକ୍ଷକ–ସେ ଆଗରୁ ଜାଣେ । ତାଙ୍କର ଆଜି ଆସିବାର କଥା ଥିଲା ।

 

‘ପ୍ରଣାମ କର’ ମାଧବୀ ଦେବୀ କହି ଉଠିଲେ ।

 

ମୋହନ ବୁଝି ପାରିଲା ନାହିଁ କାହିଁକି ତାଙ୍କୁ ପ୍ରଣାମ କରିବାକୁ ହେବ । ହେଲେ ଅବା ସେ ବୋଉର ଶିକ୍ଷକ । ଏସବୁ ପୁରୁଣା ଢଙ୍ଗ । ଯେତେ ସବୁ ବାଜେ କଥା ।

 

ରଘୁନାଥ ବାବୁ ତା ଆଡ଼କୁ ଅନାଇ ରହିଥିଲେ । ବୋଉର ମାନ ରକ୍ଷା କରିବା କର୍ତ୍ତବ୍ୟ ଭାବି ସେ ମୁଣ୍ଡିଆ ମାରିଲା ।

 

‘ଏତେବେଳ ଯାଏଁ କୁଆଡ଼େ ବୁଲୁଥିଲୁ’ –ମାଧବୀ ପ୍ରଶ୍ନ କଲେ ।

 

‘ସବୁଦିନ ଯେଉଁ ଆଡ଼େ ଯାଏ, ତା ମାନେ କଟକ ସହରର ଏକ ଚତୁର୍ଥାଂଶ ରାସ୍ତାର ହିସାବ ଦେବାକୁ ହେବ । ଦେବି ?

 

‘ଶୁଣ !’ ମାଧବୀ ଦେବୀ କହିଲେ, ସେଇଆ କଲେ କ’ଣ ନିଜର କାମ ହେବ ? ପରୀକ୍ଷାରେ ପାଶ ହେବ ? ବଂଶର ନାମ ରହିବ ?

 

ଏକଥା ଗୁଡ଼ିକ ବାହାରର ଲୋକଟିଏ ଆଗରେ ଶୁଣିବାକୁ ମୋହନକୁ ଭଲ ଲଗିଲା ନାହିଁ । ସେ ବାହାରି ଯିବାକୁ ବସିଲା । ବୋଉ ଉପରେ, ଏଇ ରଘୁନାଥ ବାବୁଙ୍କ ଉପରେ ତାର ମନ ବିରକ୍ତ ହେଲା । ସେ ବୁଲିପଡ଼ି ବାହାରିଗଲା ବେଳକୁ ମାଧବୀ ଦେବୀ ଡାକ ଛାଡ଼ିଲେ । କିଛି ଉତ୍ତର ଆସିଲା ନାହିଁ । ସେ ତା ନିଜ କୋଠରୀରେ ଲୁଗା ପଟା ବଦଳ କଲା ବେଳକୁ ତା ପଛେ ପଛେ ମାଧବୀ ଦେବୀ ଆସି ତାକୁ ପଚାରିଲେ, ‘ତତେ ଡାକିଲେ କ’ଣ ଶୁଣା ଯାଏନା ?

 

ମୁଁ ପଢ଼ିଲି, ନ ପଢ଼ିଲି ମଣିଷ ହେଲି ନ ହେଲି ସେଥିରେ ତୋର କଣ ଯାଏ । ନା ସେଇ ଗଣେଶ ମାର୍କା ମାଷ୍ଟରର କ’ଣ ଯାଏ ?

 

ଭଦ୍ରତା ରକ୍ଷା କରି ତତେ କ’ଣ କଥା କହି ଆସେ ନା ?

 

‘ବାହାରର ଗୋଟାଏ ଲୋକ ଆଗରେ ମୋତେ ଗାଳି ଦେଲେ ମୋର ଖୁବ ସମ୍ମାନ ରଖା ହେଲା, ନୁହେଁ ?’

 

‘ବାହାରର ଲୋକ କ’ଣ, ତାଙ୍କୁ ନିଜର ବୋଲି ଭାବିବାକୁ ହେବ–ମାଧବୀ ଦେବୀ କହିଲେ ।’

 

‘ସେ ତୋ ମାଷ୍ଟର ମୋର କେହି ନୁହେଁ–କଣ ସମ୍ବନ୍ଧ ଅଛି ତା ସାଙ୍ଗରେ ମୋର ! ମୁଁ ତାର ଖାଏନା କିମ୍ବା ଧାରେନା । ମୁଁ ମଣିଷ ହେବା ନ ହେବା ସାଙ୍ଗରେ ତାର କଣ ଯାଏ ଆସେ । ମୋର କାମ ଅଛି, ତୁ ଯା ! ହଁ, ମୁଁ ଖାଇବି ନାହିଁ ।’

 

‘‘ଖାଇବୁ ନାହିଁ ?’’

 

‘ନା, ତୁ ଯା, ମୁଁ କବାଟ ବନ୍ଦ କରିବି ।’

 

ମାଧବୀ ଦେବୀ ତା ଆଡ’କୁ ଥୋଡ଼ାଏ ବେଳ ଅନାଇ ରହି ଗୋଟାଏ ଦୀର୍ଘ ନିଶ୍ଵାସ ଛାଡ଼ି ବାହାରି ଆସିଲେ ।

 

ସେଦିନ ବହୁତ ରାତିରେ ବ୍ରଜମୋହନ ଫେରିଲେ । ସେ ମଧ୍ୟ କିଛି ଖାଇଲେ ନାହିଁ । ବେଙ୍କରେ ସେ ଜେନେରାଲ ମେନେଜର । କେତେକ କାଗଜପତ୍ର ଠିକ ନ ଥିବାରୁ ତାଙ୍କୁ ଆଜି ଗୁଡ଼ିଏ କଥା ଶୁଣିବାକୁ ପଡ଼ିଥିଲା । ସେ ସେଠୁ ଆସିଲା ବେଳେ ଖାଇ ଆସିଥିଲେ । ତେଣୁ ସିଧାସଳଖ ନିଜର କୋଠରୀ ଭିତରେ ପଶି ଲୁଗା ପଟା ବଦଳାଇ ଆଖି ବନ୍ଦ କଲେ । କ୍ରମେ କ୍ରମେ ତାଙ୍କର ଜ୍ଞାନ ଲୁପ୍ତ ହେଲା ।

 

ଚାରି

 

ତା ପରଦିନ ରବିବାର–

 

ମୋହନ ସକାଳୁ ଉଠିଲା । ଗଲା କେତେଟା ବର୍ଷ କେଜାଣି କାହିଁକି ତାର ଆଖିକି ନିଦ ନାହିଁ । ତାକୁ କିଛି ଭଲ ଲାଗୁନି, ବେଳେ ବେଳେ ସେ ଯେପରି ପାଗଳ ହୋଇଗଲା ପରି ତାର ମନେ ହୁଏ ।

 

ସେ ଉଠି ଲୁଗାପଟା ପିନ୍ଧି ବାହାରୁଛି ମଧୁ ଆସି ପହଞ୍ଚିଲା ।

 

‘ହେଲୋ, ଏତେ ଶୀଘ୍ର !’’ ମୋହନ କହିଉଠିଲା ।

 

‘‘ଗୋଟାଏ ବିପଦରେ ପଡ଼ି ଆସିଲି ।

 

‘କ’ଣ ବିପଦ ? ମୋହନ କହିଲା; ‘କିନ୍ତୁ ଗୋଟାଏ କପ ଓଭାଲଟିନ ପେଟରେ ନ ପଡ଼ିବା ଯାଏଁ ମୁଁ ତୋଠୁ କିଛି ଶୁଣିବା ପାଇଁ ପ୍ରସ୍ତୁତ ନୁହେଁ ।’

 

ମଧୁ ଜାଣିଥିଲା ମୋହନକୁ, ଖୁବ୍ ଭଲ ଭାବରେ ଜାଣିଥିଲା, ତେଣୁ ସେ ନିରବ ରହିଲା-। ଅଧିକନ୍ତୁ ମୋହନ ଓଭାଲଟିନ କପଟାଏ ଖାଇବା ମାନେ ସେ ମଧ୍ୟ କପଟାଏ ପାଇବ ।

 

‘ଆ’–ମୋହନ କହିଲା ।

 

ଥୋଡ଼ାଏ ବେଳ ସେମାନେ ବିନା କଥାବାର୍ତ୍ତାରେ ଚାଲିଲେ ।

 

‘ମଧୁ’ ମୋହନ କହିଲା ଥୋଡ଼ାଏ ବେଳ ପରେ, ପରୀକ୍ଷା ଆଉ ମାତ୍ର ମାସେ ରହିଲା । ଗଲା ବର୍ଷ ଯୋଡ଼ାଏ ଚାନ୍‍ସ ଗଲା–ଏ ବର୍ଷ ପାଶ କରିବାକୁ ପଡ଼ିବ ।’

 

‘ତୁ ତ ଜମା ପଢ଼ିନୁ’

 

‘ପଢ଼ିବାରେ ଆନନ୍ଦ ନାହିଁ, କୌଣସିଥିରେ କାହିଁକି ଆନନ୍ଦ ନାହିଁ । ଭାବିଥିଲି ବୋତଲରେ ଅଛି, ନାରୀର ଦେହରେ ଅଛି, ସେଥିରୁ ମଧ୍ୟ ବହୁତ ହେଲା; କିନ୍ତୁ କାହିଁ ? ଜାଣେନା ମୋ ଜୀବନର ଉଦ୍ଦେଶ୍ୟ କ’ଣ ! ହୁଏତ ଦିନ ଗୋଟାଏ ସୁନ୍ଦର ସକାଳ ବେଳାରେ ଶୁଣିବୁ; ମୁଁ ଆତ୍ମହତ୍ୟା କରିଛି ।

 

ମଧୁ ଜାଣିଥିଲା ମୋହନ କଥାରେ ଗୋଟାଏ ବାସ୍ତବତା ଥିଲା । ତାର ଜୀବନ ଯେଉଁ ଆଡ଼କୁ କ୍ରମେ ଗତି କରୁଥିଲା ସେଥିରେ ଗୋଟିଏ ଏପରି ପରିସମାପ୍ତି ଅସମ୍ଭବ ନୁହେଁ । ସେ କହିଲା, ଆତ୍ମହତ୍ୟା କଥା ଭାବୁଛୁ ନା କ’ଣ ?

 

‘ଠିକ ଭାବୁନି, ତେବେ ସେଇ ପ୍ରକାର ଗୋଟାଏ ଯବନିକା ମୋ ଜୀବନରେ ଲଜିକେଲ-।’

 

‘ଜୀବନଟା ପିଲାଖେଳ ନୁହେଁ ମୋହନ !’

 

‘ଜୀବନଟା । କ’ଣ ?

 

‘ମୁଁ ଜାଣେନା ।’

 

‘ତୁ ବଞ୍ଚିଛୁ କାହିଁକି’ ?

 

‘ସେ ବିଷୟରେ ମୁଁ ଭାବିନି ।’

 

‘ଭାବ’ ।

 

ନୀରବରେ ସେମାନେ ଆସି ପହଞ୍ଚିଲେ ଗୋଟାଏ ରେସ୍ତୋରାଁରେ । ମୋହନ ଗୋଟିଏ କୋଣକୁ ଗୋଟାଏ ଟେବୁଲ ଦଖଲ କରି ସେଥିରେ ବସିଲା । ଦୁଇକପ ଓଭାଲଟିନ ଏବଂ ତାପରେ କଅଣ ଭାବି ଯୋଡ଼ାଏ ଲେଖା ମିଠା ପାଇଁ କହି ଟେବୁଲ ଉପରେ ତାର କହୁଣୀଟାକୁ ଥୋଇ ହାତର ପାପୁଲି ଦୁଇଟାକୁ ଘଷିଲା ଏବଂ ହଠାତ୍ କିଛି ଗୋଟାଏ ମନେ ପଡ଼ିଲା ପରି ହୋଇ ମଧୁକୁ ପଚାରିଲା, ‘କ’ଣ ଭାବିଲୁ, କହ ତୁ ଯେ ବଞ୍ଚିଛୁ କାହିଁକି ବଞ୍ଚିଛୁ ?’

 

ମୁଁ.....ମଧୁ କହିଲା, ‘ସତ କଥା କହିବାକୁ ଗଲେ ମୁଁ ଯେହେତୁ ମରିନାହିଁ ବଞ୍ଚିଛି, ଯେ ହେତୁ ଆଉ କିଛି କରିବାର ନାହିଁ ପଢ଼ୁଛି, ଯେହେତୁ ଲଙ୍ଗଳା ହୋଇ ରହି ହେବନି ତେଣୁ ଲୁଗା ପିନ୍ଧୁଛି, ଯେ ହେତୁ ପୃଥିବୀର ମାଧ୍ୟାକର୍ଷଣ ଅଛି ପୃଥିବୀ ପୃଷ୍ଠରେ ଅଛି, ଆଉ ଯେତେବେଳେ ଅନ୍ୟ କିଛିର ଆକର୍ଷଣ ମତେ ଟାଣୁଛି ମୁଁ ଶତଧା ବିଦୀର୍ଣ୍ଣ ହେଉଛି–ଏଇ ହେଉଛି ମୋର ଜୀବନ ।’’

 

‘ଅକ୍ଷରେ ଅକ୍ଷରେ ସତ ତୁ କହିଲୁ, କିନ୍ତୁ...’ ମୋହନ କହିଲା, ‘ଏ ଗୁଡ଼ିକ ଛାଡ଼ିଦେଲେ ମଣିଷ ଯେ ବଞ୍ଚେ, ତାର ତ ଗୋଟାଏ କାରଣ ଅଛି, ତା ଜୀବନର ତ ଗୋଟାଏ ଉଦ୍ଦେଶ୍ୟ ଅଛି ?

 

ମୁଁ ଅନୁଭବ କରିନି ।’

 

‘ମୁଁ ମଧ୍ୟ କରିନି, ତଥାପି ମୁଁ ଅନୁଭବ କରିଛି ଯେ ମୋ ଜୀବନର ଉଦ୍ଦେଶ୍ୟ ନାହିଁ, ମୁଁ ଗୋଟିଏ ଭସାମେଘ ।’

 

ଥୋଡ଼ାଏ ବେଳ ପରେ ମୋହନ ପୁଣି କହିଲା ‘ମଧୁ, ପିମ୍ପୁଡ଼ି, ଉଇ, ଏଗୁଡ଼ିକ ମଧ୍ୟ ସୃଷ୍ଟିର ବହୁତ କଲ୍ୟାଣ କରନ୍ତି, ଛେଳି ମେଣ୍ଢା ମଧ୍ୟ ବହୁତ ପେଟ ପୋଷି ମରନ୍ତି । ଗାଈ ଗୋରୁ ମଧ୍ୟ ସେଇଆ । ମଣିଷ ସୃଷ୍ଟି ଭିତରେ ଶ୍ରେଷ୍ଠ; କିନ୍ତୁ ମୁଁ ଗୋଟାଏ ମଣିଷ, ମୋ ଦ୍ଵାରା କଅଣ କଲ୍ୟାଣ ସମ୍ଭବ, କାହାର କଲ୍ୟାଣ ସମ୍ଭବ ? ମୁଁ କରିବି କଅଣ, ବୁଝି ପାରୁନି । ପାଠ–ପାଠ ପଢ଼ିଲେ, ପାଶ କଲେ କଣ ହେବ, ତା ମଧ୍ୟ ଜାଣେ ନା ।’

 

ମିଠା ଓ ଓଭାଲଟିନ ଆସିଗଲା ।

 

ନୀରବତା ଭିତରେ ସେଗୁଡ଼ିକ ସରିଗଲା ।

 

ଗୋଟାଏ ସିଗାରେଟରେ ନିଆଁ ଲଗାଇ ମୋହନ କହିଲା, ‘ହଁ ମଧୁ, ଭୁଲି ଯାଇଛି ତୁ ଏତେ ସକାଳେ କାହିଁକି ଆସିଥିଲୁ ?’

 

 

ମଧୁ ହଠାତ ଭାଙ୍ଗି ପଡ଼ିଲା ।

 

‘କ’ଣ ?’

 

‘ମୁଁ’ ମଧୁ କହିଲା, ‘ତୁ ଜାଣୁ ଗରିବ । ତେଣୁ ଘରର ଅଭାବ ଅସୁବିଧା ହେଲେ ତୋ ପାଖକୁ ଦୌଡ଼ି ଥାଏଁ ।’

 

କ’ଣ ହେଇଛି ?

 

‘ଟଙ୍କା ଦଶ ପନ୍ଦରଟା ହେଲେ ଚଳିଯିବ ।’

 

ପକେଟରେ ହାତ ପୂରାଇଲା ମୋହନ । ଗୋଟାଏ ଦଶ ଟଙ୍କିଆ ନୋଟ ଆଉ ଦୁଇ ତିନିଟା ଟଙ୍କାକିଆ ନୋଟ ଥିଲା । ସେ ଦଶଟଙ୍କାର ନୋଟ୍‍ଟା ବଢ଼ାଇ ଦେଇ କହିଲା, ‘ଏତିକି ନେଇ ଚଳାଇ ଦେ ।

 

ନୋଟ୍‍ଟି ନେଇ ମଧୁ କହିଲା, ‘ଜାଣେନା ମୁଁ କିପରି ଆଉ କେବେ ତୋ ଋଣ ଶୁଝିପାରିବି ।’

 

‘କି ଋଣ ?’

 

‘ତୋ ପାଖରୁ ଏପରି ଭାବରେ କେତେ ଯେ ଟଙ୍କା ନେଲିଣି ତାର ହିସାବ ନାହିଁ, ଆଉ ମୁଁ ଯେ କେବେ ଏଗୁଡ଼ିକୁ ଫେରାଇ ଦେଇପାରିବି, ସେ ସମ୍ଭାବନା ମଧ୍ୟ ଦେଖୁନି ।’

 

‘ମଧୁ, ଯଦି ତୋର ଅବସ୍ଥା କେବେ ଭଲ ହୁଏ’ ମୋହନ କହିଲା, ‘ତେବେ ତୋର ବନ୍ଧୁ କିମ୍ବା ଶତ୍ରୁ ଯଦି କେହି ଅଭାବରେ ପଡ଼ିଥାଏ ତେବେ ତାକୁ ଦେବୁ ।’

 

ମଧୁ କିଛି ସମୟ ପରେ ଚାଲିଗଲା । ମୋହନ ଅଳ୍ପ ସମୟ ଏଠି ସେଠି ବୁଲି ଯାଇ ପହଞ୍ଚିଲା ସିନେମା ହଲ ଆଗରେ । ସକାଳ ଆଠଟାରେ ମେଟିନୀ–ଗୋଟାଏ ଇଂରାଜି ଛବି ।

 

ସେଠି ଦେଖା ହେଲା ଶ୍ରୀମତୀ ପଦ୍ମା ସହିତ । ସେ ଗଲାବର୍ଷ ମୋହନ ସହିତ ପଢ଼ୁଥିଲା-। ଦେଖିବାକୁ ସୁନ୍ଦରୀ, ଗୌରୀ । ଦେହର ସୌଷ୍ଠବଗତ ଦୋଷଗୁଡ଼ିକୁ ପ୍ରସାଧନ, ପ୍ରଲେପନ ଓ ପ୍ରଚ୍ଛାଦନର ଆଶ୍ରୟରେ ଲୁଚାଇ ନିଜକୁ ଆହୁରି ସୁନ୍ଦର କରି ସେ ବରାବର ଦେଖାଏ-

 

ମୋହନକୁ ଦେଖି ସହାନୁଭୂତି ଜଣାଇବାକୁ ସେ କହିଲା, ‘ବହୁତ ଦିନ ହେଲା ଦେଖା ହୋଇନି । ଗଲା ପରୀକ୍ଷାରେ ତମେ ପାଶ କଲ ନି ମୋର ଭାରି ଦୁଃଖ ହେଲା ।’

 

‘ପଦ୍ମା’ ଏକ ଦୀର୍ଘ ନିଶ୍ୱାସ ଛାଡ଼ି ମୋହନ କହିଲା, ‘କେବଳ ତୁମରି ସକାଶେ ଫେଲ ହେଲି ।’

 

‘ମୋ ପାଇଁ !’

 

‘ହଁ ପଦ୍ମା, କେବଳ ତୁମରି ପାଇଁ, ତୁମରି କଥା ଭାବି ଭାବି ।’

 

‘ସତେ ନା କ’ଣ ?’ ପଦ୍ମା ଛଳନା କରି କହିଲା ।

 

‘ତୁମର ଏଇ କୃତ୍ରିମ ସୌନ୍ଦର୍ଯ୍ୟ ପଦ୍ମା, ତୁମର ଏଇ କୃତ୍ରିମ ହସ, ଆଉ ଏଇ କୃତ୍ରିମ ସହାନୁଭୂତି ଏଗୁଡ଼ିକ ମୋ ପରି ଗୋଟାଏ ଦୁର୍ବଳମନା ଲୋକ ମନରେ ଦାଗ ପକାଇବା ସ୍ଵାଭାବିକ...’

 

ମୋହନ ଆଉ କିଛି କହିଥାନ୍ତା । କିନ୍ତୁ ପଦ୍ମା ତା ଆଗରୁ ଖସିଗଲା । ତା ଯିବା ବାଟକୁ ଚାହିଁ ମୋହନ କହିଲା–‘ଫ୍ଲାର୍ଟ ।’

 

ପାଞ୍ଚ

 

ପରୀକ୍ଷାର ଶେଷ ଦିନ–

 

ସବୁ ଭଲ ହୋଇଥାଏ–ଶ୍ୟାମଳୀ ଏପଟ ସେପଟ ଅନାଇ ଟିକିଏ ବିଳମ୍ବ କରୁଥିଲା–

 

ଅଳ୍ପ ସମୟ ପରେ ସୁକୁମାର କୁଆଡ଼ୁ ଆସି ପହଞ୍ଚିଲା । ‘ପରୀକ୍ଷା କେମିତି ହେଲା, ଶ୍ୟାମଳୀ ?’

 

ଆଖି କୋଣରେ ଅନାଇ ସ୍ଵଳ୍ପ ହସି ଶ୍ୟାମଳୀ କହିଲା, ‘ପାଶଟା କୌଣସି ପ୍ରକାରେ ହୋଇଯିବ ।’

 

ସୁକୁମାର କହିଲା, ‘ମୋହନର ଭଲ ହୋଇଛି, ସେ ଏଥର ଖସିସିବ, କେବଳ ପ୍ରାକ୍‍ଟିକାଲ ବାକି ଅଛି ।’

 

‘ଏହା ପରେ କ’ଣ କରିବ, ପଢ଼ିବ ? ’

 

‘ଜାଣେ ନା’

 

‘ବାହା ହେବ ?’

 

‘ଜାଣେ ନା’

 

‘କିଛି ତ ଗୋଟାଏ କରିବ ?’

 

‘ଜାଣେ ନା ?’

 

‘ସୁକୁମାର ହସି କହିଲା, ତେବେ କଣ ଜାଣ ଏମିତି କିଛି ଗୋଟାଏ କୁହ ।’

 

‘ବରଂ ତୁମେ କୁହ ?

 

‘କଣ କହିବି ?’

 

‘ୟା ଭିତରେ କ’ଣ ନୂଆ କବିତା ଲେଖିଛ’

 

‘କିଛି ଲେଖିନି’

 

‘କାହିଁକି ?’

 

‘ପରୀକ୍ଷାର ଦୁଶ୍ଚିନ୍ତା ଆଉ ପ୍ରେରଣାର ଅଭାବ’

 

ଆରେ–ଶ୍ୟାମଳୀ କହି ଉଠିଲା, ‘ତୁମର କେମିତି ହେଲା ପରୀକ୍ଷାରେ, ତା’ ତ କହିନ ?

 

ଆଜିଯାଏ ପରୀକ୍ଷାରେ କେବେ ଫେଲ ହୋଇନି, ଆଜି ମଧ୍ୟ ହେବିନି ?

 

‘ଗୁଡ୍’ ଶ୍ୟାମଳୀ ଅନ୍ୟମନସ୍କ ଭାବରେ ତା’ପରେ କହିଲା, ‘ତେବେ ତୁମର ପ୍ରେରଣାର ଏକାନ୍ତ ଅଭାବ ହେଉଛି ।’

 

‘ମନେ ହେଉଛି ତ !’

 

‘ତେବେ ଗୋଟାଏ କାମ କର’ ଶ୍ୟାମଳୀ ଦୁଷ୍ଟ ହସ ହସି କହିଲା, ‘କଣ ପରା କଥାରେ ଅଛି କବିତା, ବନିତା, ଲତା ବିନା ଆଶ୍ରୟରେ ରହିପାରନ୍ତି ନାହିଁ ।’

 

‘ହଁ’

 

‘ତେବେ, ତୁମେ ଗୋଟାଏ ବନିତା ଗ୍ରହଣ କରି ତାହାରି ବାହୁଲତା ଭିତରେ ନିଜର କବିତା କଳିକା ଫୁଟାଅ । ଆଉ ସେଟା ଶୀଘ୍ର କର । ବୟସ ଆଉ ଉନ୍ମାଦନା କ୍ରମେ ମଉଳିଯାଏ ଗୋଟାଏ ଫୁଲ ପରି ।’

 

‘ସବୁ ବୁଝେ ଶ୍ୟାମଳୀ, କିନ୍ତୁ ଦାରିଦ୍ର୍ୟ’

 

‘ଚାକିରିଟିଏ ତ ପାଇପାରିବ, କ୍ରମେ ଦରମା ତ ବଢ଼ି ଚାଲିବ, ତାରି ଭିତରେ ଖଣ୍ଡିଏ ପିନ୍ଧି ଗଣ୍ଡିଏ ଖାଇ ତୁମେ କ’ଣ କିଛି କରିଯାଇ ପାରିବ ନି ?

 

‘କରି ପାରିବି’ ।

 

‘ତେବେ ବିଳମ୍ବ କାହଁକି ?’

 

ସୁକୁମାର କିଛି କହିଲାନି ।

 

‘ଶୁଣ’–ଶ୍ୟାମଳୀ କହିଲା, ମୋ ବାପା ଦିନେ ଅଶି ଟଙ୍କାରେ ଚାକିରିରେ ପଶିଥିଲେ, ଆଜି ସେ ଆଠଶହ ପାଆନ୍ତି । ଯୋଗ୍ୟତା ଥିଲେ ତୁମେ ବି ଉଠି ପାରିବ’ ।

 

‘କିନ୍ତୁ କିଏ ଅଛି କାହାକୁ ପଚାରିବି ? ଦାରିଦ୍ର୍ୟ ଭିତରକୁ କାହାକୁ ଆମନ୍ତ୍ରଣ କରିବାକୁ ମୋର ସାହାସ ନାହିଁ, ଶ୍ୟାମଳୀ ।’’

 

‘କାହାକୁ ପଚାରିଛ ? କିଏ ମନା କରିଛି ?’

 

‘ପଚାରିବା ପାଇଁ ମାତ୍ର ଜଣେ ଅଛି, କିନ୍ତୁ ତାକୁ ପଚାରି ନାହିଁ । ସାହସ ନାହଁ ।’

 

‘ତାକୁ ପଚାର ।’

 

‘ପଚାରିବି ?’

 

‘ନିଶ୍ଚୟ ।’

 

‘ଯଦି ହତାଶ ହେବାକୁ ହୁଏ, ସେଇ ଭୟ ।’

 

‘ପଚାରତ ଥରେ–’

 

‘ପଚାରୁଚି ତେବେ–’

 

‘ପଚାର–’

 

‘ପଚାରୁଛି, ତୁମେ କୁହ, ତୁମକୁ ହିଁ ପଚାରୁଛି’

 

ସୁକୁମାରର କଥାରେ ବେଶ ଟିକିଏ ଜୋର ଥିଲା, ଭାବପ୍ରବଣତା ଥିଲା, ତା’ କଣ୍ଠରେ ଗୋଟାଏ କମ୍ପନ ଥିଲା, ‘କୁହ ଶ୍ୟାମଳୀ, ଗୋଟାଏ ଛୋଟ ନିରାଡ଼ମ୍ବର କୁଟୀରର ଦାରିଦ୍ର୍ୟ ଭିତରକୁ ତୁମେ ତୁମର ଭଲ ପାଇବା ସକାଶେ ପଶି ପାରିବ ?'

 

‘ପାରିବି ।’

 

ଶ୍ୟାମଳୀ କଣ୍ଠରେ ମଧ୍ୟ ଦୃଢ଼ତା ଥିଲା, କିନ୍ତୁ କଥାଟି ବାହାରିଲା ଅତି ଆସ୍ତେ, ଯେମିତି ଭାବପ୍ରବଣତା ତାକୁ ଅଟକାଇ ରଖିଥିଲା । ଅତି ଆନନ୍ଦ, କିମ୍ବା ଦୁଃଖରେ ମଣିଷ ମୁହଁରୁ କଥା ବାହାରେନା, କିନ୍ତୁ ଶ୍ୟାମଳୀ ମୁହଁରୁ ବାହାରି ଆସିଲା ଗୋଟିଏ ପଦ ।

 

ଦୂରରେ ପିଲାଏ ଅଛନ୍ତି । ଯେ ଯା’ର ଚିନ୍ତାରେ ବ୍ୟସ୍ତ । ପରୀକ୍ଷା ସରୁଛି । କିଏ କ’ଣ କଲା ନ କଲା ସେଇ ଦୁଶ୍ଚିନ୍ତା ଭିତରେ ମଧ୍ୟ ତାଙ୍କର ଆଖି ଏଇ ଦୁଇଟି ତରୁଣ ତରୁଣୀ ଉପରେ । ସମସ୍ତ ତରୁଣ ମନରେ ଆଶା ଥାଏ । ଆକାଂକ୍ଷା ଥାଏ । ତାଙ୍କର ଆଖି ଖୋଜିବୁଲେ ବାଟରେ ଘାଟରେ କେଉଁଠି ଟିକିଏ କ’ଣ ଯେଉଁଠି ସେମାନେ ନିବିଷ୍ଟ ହେବେ । ସେମାନଙ୍କର ଆଖି ଥିଲା ଏମାନଙ୍କ ଉପରେ । କେହି ଜଣେ କହିଲା, ‘ଓମରଖୟାମ ଆଉ ସାକୀ–ଦେଖ ବେ–କେବଳ ସୁରାର ପାତ୍ରଟା ଯାହା ଅଭାବ–’

 

‘ଭାଗ୍‍ ବେ’–ଆଉ ଜଣେ କହିଲା, ଅଙ୍ଗୁର ଲତା ତଳର ଛାଇ ମଧ୍ୟ ଅଭାବ’

 

ଶ୍ୟାମଳୀର ଉତ୍ତରରେ ସୁକୁମାର ମନରେ ଯେଉଁ ଉନ୍ମାଦନା ଦେଖାଦେଲା, ନିରୋଳା ହୋଇଥିଲେ କିମ୍ବା ସ୍ଥାନଟି ଦୃଷ୍ଟିର ଅଗୋଚର ହୋଇଥିଲେ ସେ ଶ୍ୟାମଳୀକୁ ନିଜ ହାତର ବେଷ୍ଟନୀ ଭିତରକୁ ଟାଣି ନେଇଥାନ୍ତା, ତାକୁ ନିଜ ଛାତିରେ ମିଶେଇ ଦେଇଥାନ୍ତା, ଆଉ...ଆଉ,...ଖୁବ ଜୋରରେ ତାକୁ ଭିଡ଼ି ଧରି ହୁଏତ, ତାର ହାଡ଼ ମାଂସ ଗୁଣ୍ଡ କରି ଦେଇଥାନ୍ତା...ନା, ନା, ଏତେ ରୁକ୍ଷ ହୋଇ ପାରିନଥାନ୍ତା, ତାକୁ ତା ଛାତିରେ ମିଶାଇ ଧରି ତାରି ଛୋଟ ଛୋଟ ସୁନ୍ଦର ଗୋରା ମୁହଁଟି ଆଡ଼କୁ ଅନାନ୍ତା, ତାର ସେଇ ଛୋଟ ଅଥଚ ମୋଟା ନାଲିଆ ନାଲିଆ ଓଠ ଦିଓଟିକୁ ନିଜର ଓଠରେ ମିଶାଇ ଦିଅନ୍ତା, ତାର ସେଇ ମିଟି ମିଟି କରୁଥିବା ଆଖିରେ ନିଜର ଆଖି ମିଶାଇ କହିଥାନ୍ତା...ଦୁଃଖ ନ ଥାନ୍ତା, ଦୈନ୍ୟ ନ ଥାନ୍ତା, କିଛି ନ ଥାନ୍ତା କେବଳ ଥାନ୍ତା ଶ୍ୟାମଳୀ ଆଉ ଥାନ୍ତା ସେ, ଆଉ ଥାନ୍ତା, ହଁ, ଆଉ ଥାନ୍ତା ଦି’ଟି ହୃଦୟର ମିଳନର ଏକତାନ....

 

ଛଅ

 

ଏମ୍. ଏସସି. ପରୀକ୍ଷା ସରିନାହିଁ ।

 

ଯାଦବ ତା ପଢ଼ିବା ଘରେ ବସି ବହିର ପୃଷ୍ଠା ଗୁଡ଼ିକ ଓଲଟାଇ ଚାଲିଥିଲା । କେଉଁଠି କେଉଁଠି ଟିକିଏ ଅଟକି ଭଲ କରି ଦେଖି ନେଉଥିଲା ।

 

ପରୀକ୍ଷାରେ ଯାଦବ ଏଯାଏଁ କୃତୀତ୍ଵର ସହ ପାଶ କରି ଆସିଛି । ବି. ଏସ୍,ସି ରେ ସେ ଡିଷ୍ଟିଙ୍କ୍‍ସନ ଓ ଅନର୍ସ ପାଇଥିଲା । ଏଥର ଫାଷ୍ଟ କ୍ଳାସ୍ ସେ ପାଇବ–ଏଟା ସେ ଯେତିକି ଜାଣେ, ତାର ଅଧ୍ୟାପକମାନେ ମଧ୍ୟ ସେହିପରି ଜାଣନ୍ତି ।

 

ଗୋଟାଏ ଗ୍ଲାସ ଦୁଧ ଧରି ମିନତି ଘରେ ପଶିଲା

 

ମିନତି ତାଙ୍କ ଘରକୁ ପ୍ରାୟ ଆସେ । ତାର ମା’ ଆଉ ଯାଦବର ମା’ ବହୁଦିନରୁ ପରିଚିତ, ଏବଂ ଦି’ଜଣଙ୍କ ଭିତରେ ଗୋଟିଏ ବୁଝାମଣା ଥିଲା ଯେ, ଯାଦବ ମିନତିକୁ ବାହା ହେବ । ତେଣୁ ଜାଣିଶୁଣି ମାଧବୀ ଦେବୀ ଯାଦବର ଅନେକ କାମର ବୁଝାମଣାର ଭାର ତାକୁ ଦିଅନ୍ତି ।

 

ଯାଦବ ପଛରେ ମିନତି ଯାଇ ଠିଆହେଲା । ଘରେ ସେ ପଶିବା ଆଗରୁ ଯାଦବ ତା ପାଇଁ ମନେ ମନେ ଅପେକ୍ଷା କରିଥିଲା । ସେ ଯେ ତା ପଛରେ ଆସି ଠିଆ ହେଲା ସେଟା ମଧ୍ୟ ସେ ଜାଣିଲା । କିନ୍ତୁ ସେ ନୀରବରେ ବସିରହିଲା ।

 

ଯାଦବ ବରାବର ସେଇ ପ୍ରକାରର । ସେ ସବୁଦିନ ବାଟଚାହିଁ ବସିଥାଏ ମିନତି କେତେବେଳେ ଆସିବ, ତାର ଆଖି ଥାଏ । ତାର ଯିବା ଆସିବା ବାଟରେ, ତାର କାନ ଥାଏ ମିନତିର କଥାରେ । ମିନତିକୁ ତାରି ଭଲ ଲଗେ । ଆଉ ମିନତି ଅନେକ ସମୟରେ ତାଙ୍କ ଘରେ ହିଁ ଥାଏ, ମାଧବୀ ଦେବୀଙ୍କୁ କାମରେ ସାହାଯ୍ୟ କରେ । ତାକୁ ସବୁବେଳେ ଦେଖିବା ଭିତରେ, ପାଖରେ ପାଇବା ଫଳରେ ତାର ମନ ଅଜାଣତରେ ଟାଣି ହେଇଯାଇଥିଲା ତା ଆଡ଼କୁ । ‘ଶୁଣୁଚ’–ମିନତି କହିଲା ।

 

ପଛ ଆଡ଼କୁ ଅନାଇ, ସାମାନ୍ୟ ହସି ଯାଦବ ପଚାରିଲା ‘କ’ଣ ?’

 

‘ଦୁଧ'

 

ତା’ ହାତରୁ ଦୁଧ ନେଇ ଟେବୁଲ ଉପରେ ଥୋଇ ଦେଇ ବହି ଆଡ଼କୁ ଦେଖିଲା ଯାଦବ-

 

‘ଦୁଧଟା ପିଇଦେଇ ଗ୍ଳାସ ଟା ଦିଅ'

 

‘ଓ’

 

ଦୁଧ ଗ୍ଳାସଟିକୁ ଉଠାଇନେଇ ଯାଦବ ପିଇବାକୁ ଆରମ୍ଭ କଲା ।

 

ତାର ଏଇ ନିଃସହାୟ ଅବସ୍ଥାକୁ ଉପଭୋଗ କଲା ମିନତି । ଗ୍ଲାସଟି ଶେଷ କରି ଦେଇ ଟେବୁଲ ଉପରେ ଥୋଇ ଦେଲା ଯାଦବ ।

 

‘ଗ୍ଳାସ ଟା ଦିଅ’

 

ମିନତି ହାତକୁ ବଢ଼ାଇ ଦେଲା ସେ ।

 

‘କ’ଣ ପଢ଼ୁଛ ?’ ମିନତି ପଚାରିଲା ।

 

‘ପରୀକ୍ଷା ପାଇଁ’

 

‘ତା ତ ବୁଝୁଛି, କିନ୍ତୁ ଗୋଟାଏ କଥା ବୁଝି ପାରୁନି ?

 

‘କ’ଣ ?’ ବହୁତ ସାହସ କରି ଯାଦବ ପଚାରିଲା ।

 

‘ଦିନେ ତୁମେ ତ ବାହା ହେବ ?’

 

ଯାଦବ କିଛି କହିଲା ନାହିଁ

 

‘ହେବ କି ନାହିଁ’? –ମିନତି ପଚାରିଲା ।

 

‘ସେ ପଛ କଥା, ଦେଖିବା’

 

‘ଯେତେବେଳେ ବାହା ହେବ, ତା ସହିତ ତୁମେ କଥା ହେବ କି ନାହିଁ ?’

 

‘କାହିଁକି’

 

‘ଏମିତି ପଚାରିଲି’

 

‘‘କାହିଁକି ପଚାରିଲ ?’

 

‘ବୁଝି ପାରୁନ ?’

 

ଯାଦବ ଅନାଇ ରହିଲା ।

 

'ତୁମକୁ ଗୋଟାଏ...କହିବି ?’

 

‘କୁହ’

 

ଯାଦବ କାନ ଆଡ଼କୁ ନିଜର ମୁହଁ ଆଣି ମିନତି କହିଲା, ‘ତୁମେ ଗୋଟାଏ ବୋକା ।’

 

ମିନତି ଯିବା ଆଗରୁ କବାଟ ପାଖରେ ଫେରି ଅନାଇ ଦେଖିଲା ଯାଦବ ତା ଆଡ଼କୁ ଅନାଇ ରହିଛି । ସେ ହସି ପକାଇଲା । ସଙ୍ଗେ ସଙ୍ଗେ ଯାଦବ ମୁହଁରେ ସ୍ମିତ ହସ ଫୁଟିଗଲା । ଏଇ କ୍ଷଣିକ ହସ, ଏଇ ମୁହୂର୍ତ୍ତଟିକକର ହସ କେଡ଼େ ସ୍ନିଗ୍ଧ, କେଡ଼େ ମଧୁର ! କେତେ ସହଜରେ ତାହା ଦୃଦୟ ଭିତରେ ପ୍ରବେଶ କରି, ହୃଦୟ ଭିତରର ସମସ୍ତ ଆବର୍ଜନା ବାହାର କରିଦେଇ ମନଟାକୁ ପୂତ ପବିତ୍ର କରିଉଠାଏ ! ଆଉ କେତେ ସହଜରେ ସବୁ ଦୁଃଖ ଚିନ୍ତା ମନ ଭିତରୁ ପୋଛି ଦେଇ ଅପରର ମୁହଁରେ ହସ ଫୁଟାଏ ! ମଣିଷ ସବୁ ଭୁଲିଯାଏ, ନିଜ ଭିତରେ ନିଜେ ହଜିଯାଏ–ଏଇ ପ୍ରକାର ଗୋଟାଏ ମୁହୂର୍ତ୍ତରେ ମଣିଷ ଯଦି ମରି ପାରନ୍ତା–କିନ୍ତୁ ମଣିଷ ମରିବ, ଏଟାତ ଅତି ନିଶ୍ଚିତ କଥା, କାହିଁକି ସେ ବଞ୍ଚିବ ? ହସିବା ପାଇଁ, ଗୋଟାଏ ମୁହୂର୍ତ୍ତ ଏମିତି କେତେବେଳେ ଜୀବନରେ ଆସି ଦେଖା ଦେବ, ସେଇ ଆଶାରେ ସେ ବଞ୍ଚିବ ।

 

ଯାଦବର ମନେପଡ଼ିଲା ଅନେକଙ୍କର ମୁହଁ–ସମସ୍ତେ ହସନ୍ତି, କାହା ହସରେ ଆଭିଜାତ୍ୟ ଥାଏ, କାହା ହସରେ ଅହଙ୍କାର ଥାଏ, କାହା ହସରେ ଉଚ୍ଛୃଙ୍ଖଳତା ଥାଏ, କାହା ହସରେ ବିଦ୍ରୁପ ମଧ୍ୟ ଥାଏ । କିନ୍ତୁ ଏ ଶାନ୍ତ ହସ, ସ୍ନିଗ୍ଧ ହସ ମଧୁର ହସ, ଶାନ୍ତା ହସି ପାରେ ନା, ସୁରମା ହସି ପାରେ ନା, ଗୀତା ହସି ପାରେ ନା, ମାଳବିକା ହସି ପାରେ ନା ।

 

ବହିର କୋଣରେ ଯାଦବର ଅଙ୍ଗୁଳି ଗୁଡ଼ିକ ଖେଳୁଥିଲା । ସେ ହଠାତ୍ ନିଜକୁ ଫେରି ପାଇଲା ଏବଂ କ୍ରମେ ବହିର ପୃଷ୍ଠା ଓଲଟାଇଗଲା ।

 

ସେତେବେଳକୁ ସନ୍ଧ୍ୟା ପାର ହୋଇଗଲାଣି । ବୋଉ ଆସିଛନ୍ତି । ମାଧବୀ ଦେବୀଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ ସେ । ମିନତି ତଳକୁ ଓହ୍ଲାଇ ଗଲାବେଳେ ମୋହନ ହାବୁଡ଼ରେ ପଡ଼ିଲା-

 

‘ମୋହନ ଭାଇ, ଆଜି ଏତେ ସଅଳ ଫେରିଲ ?’

 

‘ହଁ’

 

‘ହଠାତ !’

 

‘କାହିଁକି, କଅଣ ହେଲା ?’

 

‘ମୁଁ ପ୍ରାୟ ଆସେ, ଶୁଣେ ତୁମେ ଘରେ ନାହଁ’

 

‘ତୁ କ’ଣ ମୋର ବାଟ ଜଗୁ ?’

 

ମିନତି କିନ୍ତୁ କିଛି କହିଲା ନାହିଁ । ସେ ଅନୁଭବ କଲା କଥାର ମୋଡ଼ ଭିନ୍ନ ବାଟ ଧରିଛି-। ମୋହନ ଆଗେଇ ଆସି ତାର ହାତ ଧରି ପଚାରିଲା ‘କହ ତୁ କ’ଣ ମୋର ବାଟ ଜଗୁ ?’

 

ମିନତି ମୁହଁରୁ କିଛି କଥା ବାହାରିଲା ନାହିଁ । ସେ ଦେଖିଲା ମୋହନ ମୁହଁକୁ । ସୁନ୍ଦର ମୁହଁ, ସୁନ୍ଦର ସ୍ୱାସ୍ଥ୍ୟ ।

 

ମିନତିର ଚିବୁକ ତଳେ ହାତ ରଖି ମୋହନ ଆଉ ଗୋଟିଏ ହାତ ତାର କାନ୍ଧ ଚାରିପଟେ ଘେରାଇ ଆଣି ତାକୁ ଆଉରି ପାଖକୁ ଟାଣି ଆଣିଲା । ମୋହନ ଦେହରେ ମିଶିଗଲା ମିନତି । ସେ କହିଲା, ଛାଡ଼, ମୋହନ ଭାଇ’ ।

 

ମୋହନ ତାର ହାତ ଧରି କହିଲା, ‘ମୁଁ ଗୋଟାଏ ଝଡ଼ ମିନି, ମୋର ବାଟ ଚାହିଁ ବସିବା ତୋର ଏକ ବଡ଼ ଭୁଲ ।’

 

ପୁଣି ଥରେ ତା ପିଠିରେ ହାତ ବୁଲାଇ ଦେଇ ମୋହନ କହିଲା, ‘ଯା’ ।

 

ମିନତି ଗଲା–ତଳକୁ ଓହ୍ଲାଇ ଯାଇ ସେ ଚାହିଁ ଦେଖିଲା, ମୋହନ ସେଇଠି ତା’ରି ଆଡ଼କୁ ଚାହିଁ ଠିଆ ହୋଇଥାଏ ।

 

ମିନତି ଧୀରେ ଧୀରେ ଚାଲିଗଲା । ସେତେବେଳେ ତା ଚିନ୍ତାରେ ଯାଦବ ନ ଥିଲା । ତା ଆଖି ଆଗରେ ଠିଆ ହୋଇଥିଲା ମୋହନ ।

 

ମିନତି ବୋଉ ସାଙ୍ଗରେ ଘରକୁ ଫେରିଗଲା । ଘରେ ମଧ୍ୟ ମୋହନ ତାର ପିଛା ଛାଡ଼ିଲା ନାହିଁ । ପ୍ରତ୍ୟେକ କାମରେ ତାର ମୋହନ କଥା ମନେପଡ଼ିଲା । ସେ ବୁଝି ପାରିଲା ନାହିଁ କାହିଁକି, ତାର ଏ ପରିବର୍ତ୍ତନ ଆସିଲା ।

 

ମୋହନର ଚାଲିବା ଢଙ୍ଗ, ତାର କଥା କହିବା ଢଙ୍ଗ, ତାର ବେଶ–ତାର ସବୁକଥା ତା ଆଖି ଆଗରେ ଜୁଳୁ ଜୁଳୁ ହୋଇ ଦିଶିଲା ।

 

ସେଦିନ ରାତିରେ ଘରେ କଥା ପଡ଼ିଲା ।

 

ତା ବୋଉ କହିଲେ, ମୋହନ ଭଲ ପଢ଼ୁ ନାହିଁ । ଗଲା ବର୍ଷ ଫେଲ ହୋଇଥିଲା । ଖାଲି ବୁଲୁଛି ସବୁବେଳେ ।

 

ମିନତିକୁ ଏ କଥା ମଧ୍ୟ ଶୁଣିବାକୁ ଭଲ ଲଗିଲା ନାହିଁ । ସେ ଉଠିଯାଇ ନିଜ ଘରେ ପଶିଲା । ସେ ମନେ ମନେ ଠିକ୍‍ କଲା ଏଥର ଦେଖା ହେଲେ ମୋହନ ଭାଇକୁ କହିବ ପାଠରେ ମନ ଦବାକୁ, ଗୋଟାଏ ବଡ଼….ବଡ଼ ମଣିଷ, ଗୋଟାଏ ଭଲ ମଣିଷ ହେବାକୁ, ସମସ୍ତେ ଯେମିତି ତାକୁ ପ୍ରଶଂସା କରିବେ, ଭଲ କହିବେ–

 

ସାତ

 

ଗୋଟିଏ ସୁନ୍ଦର ସକାଳ ।

 

ବ୍ରଜମୋହନ ବାବୁଙ୍କ ହାତରେ ଆଜି ବିଶେଷ କାମ ନ ଥିଲା । କାମ ଅଳ୍ପ ଥିଲେ ମଧ୍ୟ ସାଧାରଣତଃ ସେ ତାକୁ ପକାଇ ରଖନ୍ତି ନାହିଁ । କିନ୍ତୁ ଆଜି ତାଙ୍କର ମନର ଅବସ୍ଥା ଭଲ ଥିଲା ଏବଂ ସେ ଆଜି ଜୀବନକୁ ଉପଭୋଗ କରିବାକୁ ଚାହୁଁଥିଲେ । ଏଇ ଆନନ୍ଦର କାରଣ ଥିଲା ଅନ୍ୟ ଜାଗାରେ ।

 

ସେ ତାଙ୍କର ବୈଠକଖାନାରେ ବସିଗଲା ଦିନର ଖବର କାଗଜକୁ ଟିକିଏ ଓଲଟ ପାଲଟ କରି ଦେଖୁ ଦେଖୁ ନିକଟରେ ଅପେକ୍ଷା କରୁଥିବା ମାଧବୀ ଦେବୀଙ୍କୁ କହିଲେ–

 

‘ମାଷ୍ଟର ବାବୁଙ୍କୁ ଡାକ ।’

 

ମାଧବୀ ଦେବୀଙ୍କ ମନରେ ମଧ୍ୟ ଆନନ୍ଦ ଥିଲା । ସେ ସେଇଠି ଠିଆ ହୋଇ ବ୍ରଜମୋହନ ବାବୁଙ୍କ ଆନନ୍ଦକୁ ଲକ୍ଷ୍ୟ କରି ମନରେ ଆନନ୍ଦ ପାଉଥିଲେ ।

 

ମାଧବୀ ଦେବୀଙ୍କ ଆଦେଶରେ ଚାକରଟି ଯାଇ ରଘୁନାଥ ବାବୁଙ୍କୁ ଡାକି ଆଣିଲା । ତାଙ୍କୁ ଦେଖି ବ୍ରଜମୋହନ ବାବୁ କହିଲେ, ‘ଆସ ମାଷ୍ଟ୍ରେ !’

 

ସମ୍ଭାଷଣଟା ରଘୁନାଥ ବାବୁଙ୍କୁ ଭଲ ଲାଗେ ନା । କିନ୍ତୁ ଏ ସମ୍ଭାଷଣଟା ବରଦାସ୍ତ ନ କରିବାର ଉପାୟ ନ ଥିଲା । ତାର କାରଣ ବହୁତ । ଆଉ ତା ଛଡ଼ା ଶିକ୍ଷକ–ଅଳ୍ପ ଦରମାରେ ଚାକିରି କରନ୍ତି, ଦେଶ ପାଇଁ ମଣିଷ ତିଆରି କରନ୍ତି । ମଣିଷ ତିଆରି କାରଖାନାରେ ସେମାନେ ଦିନକୁ ଛ’ଘଣ୍ଟା ଖଟି ଯଥେଷ୍ଟ ପାରିଶ୍ରମିକ ପା’ନ୍ତି ନାହିଁ । ସାମାଜିକ ଜୀବନରେ ତାଙ୍କର ସ୍ଥାନ ମଧ୍ୟ ନାହିଁ । ଗାନ୍ଧି ପରିକଳ୍ପିତ ରାମରାଜ୍ୟରେ ଯେଉଁଠି ଜାତିର ପ୍ରମୋସନ ହେଉଛି, ଗୋଷ୍ଠୀର ଉନ୍ନୟନ ହେଉଛି, ଦଲାଲ୍‍ମାନଙ୍କୁ ‘କର୍ମୀ’ ଆଖ୍ୟା ଦିଆଯାଉଛି, ଯେଉଁଠି ଲୋକ ବିଲାତରେ ଆଇନ ପାଶ୍‍ ନ କରି ‘ବାରିଷ୍ଟର’ ହୋଇଯାଇ ପାରୁଛି ଏବଂ ଯେଉଁଠି ମଣିଷ ପାଠର ଧାର ନ ଧାରି ‘ଡକ୍ଟର’ ବୋଲାଉଛି, ସେଠି ଶିକ୍ଷକ ବିଚାରା ଆଖି ଲୁହ ଆଖିରେ ମାରି କଟକ ସହରରେ ରାଣୀହାଟରୁ ହାଇକୋର୍ଟ ଦଉଡ଼ୁଛି, କେବଳ ନିଜର ଦାବି ଜଣାଇବା ପାଇଁ ।

 

ଧୀର ଭାବରେ ରଘୁନାଥ ବାବୁ କହିଲେ, ‘କହନ୍ତୁ’

 

‘ଆଜି’ ବ୍ରଜମୋହନ ବାବୁ କହିଲେ, ‘କାମ ଅବଶ୍ୟ ଟିକିଏ ଥିଲା, କିନ୍ତୁ ଯିବାକୁ ମନ ଲାଗିଲା ନାହିଁ । ଆମର ମୋହନ ଅଉ ଶ୍ୟାମଳୀ ଶୁଣିଥିବେ ଇଣ୍ଟରମିଡ଼ିଏଟ ପାଶ କରିଛନ୍ତି ।’

 

‘ହଁ, କାଲି ସନ୍ଧ୍ୟା ଖବର କାଗଜରେ ପ୍ରକାଶ ପାଇଛି । ମୁଁ ଭାରି ଖୁସି ।’

 

‘ହେବା କଥା, ହେବା କଥା, ହଁ ଶୁଣ’ ସେ ମାଧବୀ ଦେବୀଙ୍କୁ କହିଲେ, ‘ଓଭେଲଟିନ ଦି କପ କରିବା ପାଇଁ କହ, ଆଉ ମୋହନକୁ ଡାକ, ତା ସାଙ୍ଗରେ ମୋର କିଛି କଥା ଅଛି ।’

 

ମୋହନ ଆସିଲା ।

 

ବ୍ରଜମୋହନ ବାବୁ କହିଲେ, ‘ମୋହନ, ଯା ହେଉ ଏଥର ପରୀକ୍ଷାରେ ପାଶ କଲୁ ମୁଁ ବହୁତ ଖୁସି । ଗତବର୍ଷ ଦି’ଟା ଚାନ୍‍ସ ଯେତେବେଳେ ଗଲା, ମୁଁ ହତାଶ ହୋଇ ପଡ଼ିଥିଲି ।’

 

ମୋହନ ଠିଆ ହୋଇ ରହିଲା ।

 

ବ୍ରଜମୋହନ ବାବୁ କହିଲେ, ‘ଯା ହେଉ–ଏଥର କଣ ପଢ଼ିବୁ ! ମୁଁ ଭାବୁଛି କୌଣସି ଗୋଟିଏ ଟେକ୍‍ନିକାଲ ଲାଇନରେ ଗଲେ ଭଲ ହ’ନ୍ତା । ବଡ଼ ଭାଇ ତ ଜେନରାଲ ଲାଇନ ଧରିଲା–ପରୀକ୍ଷାରେ ଭଲ କରି ପାରିଲେ–କରିବ ମଧ୍ୟ ଗୋଟାଏ ଲେକ୍‍ଚରର ଅନ୍ତତ ହୋଇପାରିବ । ମୁଁ ଭାବୁଛି ତୁ ମେଡିକେଲ କିମ୍ବା ଇଞ୍ଜିନିୟରିଂ ପଢ଼ । କିଛି ସମୟ ନୀରବ ରହି ସେ ରଘୁନାଥ ବାବୁଙ୍କୁ ପଚାରିଲେ, ‘କ’ଣ କହୁଛ ମାଷ୍ଟ୍ରେ ?’

 

‘ହଁ ଭଲ, ଆମ ଦେଶରେ ଇଞ୍ଜିନିୟର ଏବଂ ଡାକ୍ତର ଖୁବ୍‍ ଅଭାବ ।’

 

‘ଆମ ଦେଶରେ ସ୍ଵେଚ୍ଛାସେବକ ତା’ଠୁ ଆହୁରି ବେଶୀ ଦରକାର, ସୈନିକ ତା’ଠୁ ଆଉ ବେଶୀ ଦରକାର ।’

 

ରଘୁନାଥ ବାବୁ ଆହତ ଅନୁଭବ କଲେ । ସେ ଆସିବା ଦିନଠୁ ଅନୁଭବ କରିଛନ୍ତି ଏଇ ଦୁଇଟି ଭାଇ ଆଉ ଗୋଟିଏ ଭଉଣୀ ଭିତରେ ଏଇ ଜଣକ ତାଙ୍କୁ ଭଲ ପାଏନା–ସେ–ତାଙ୍କ ନିଜ ରକ୍ତର....କିନ୍ତୁ, କିଛି କହିବାର ଉପାୟ ନ ଥିଲା । ବୟସ ଏବଂ ଅଭିଜ୍ଞତାରୁ ସେ ଏତିକି ଶିକ୍ଷା ଅନ୍ତତଃ କରିଛନ୍ତ ଯେ, ଅପମାନ ଗୋଟାଏ କାନରେ ପୂରାଇ ଆର କାନରେ ବାହାର କରିଦେବା ହେଉଛି ବୁଦ୍ଧିମାନର କାର୍ଯ୍ୟ । ସେ କହିଲେ, ‘ତା ଅବଶ୍ୟ, ତା ଅବଶ୍ୟ, କିନ୍ତୁ ସେଥିରେ ତ ପେଟ ପୂରେନା...’

 

‘ପେଟ ପୂରା ହେଲେ ମଣିଷ ଅକର୍ମଣ୍ୟ ହୁଏ, କ୍ଷୁଧ...ଅପରିସୀମ କ୍ଷୁଧା ମଣିଷକୁ ଟାଣିଆଣେ କାମର ବାଟକୁ ।’

 

ମୋହନର କଥାଗୁଡ଼ିକ ବ୍ରଜମୋହନଙ୍କୁ ଭଲ ଜଣାପଡ଼ିଲା । ସେ କହିଲେ, ‘ୟୁ ଆର ରାଇଟ । କିନ୍ତୁ ମୁଁ ତୋର ବାପ । ମୁଁ ଦେଖିବା ପାଇଁ ଚାହେଁ ଯେ ପିଲାମାନେ ଭଲରେ ରହିଲେ, ଭଲ ଅର୍ଜନ କଲେ । ତେଣୁ ଏଟା ମୋର ଜାଣିବାକୁ ଇଚ୍ଛା କରିବା ସ୍ଵାଭାବିକ ଯେ ଜୀବନରେ ତୁ କଅଣ ହେବାକୁ ଚାହୁଁ ।’

 

‘ମୁଁ କହି ପାରିବି ନାହିଁ । ମୁଁ ଜାଣେନା । କେବେ ହେଲେ ଭାବି ନାହିଁ ।’

 

‘ଭାବିବାର ଯଥେଷ୍ଟ ସମୟ ହେଲାଣି, କେତେ ବୟସ ତୋର ହେଲେ ତୁ ଆଉ ଭାବିବୁ-?’

 

ମୋହନ ନୀରବ ।

 

‘ଆଉ ଗୋଟାଏ କଥା’ ମାଧବୀ ଦେବୀ ଏତିକିବେଳେ କହିଉଠିଲେ, ‘ତୋର ଯାହା ଖର୍ଚ୍ଚ ଦେଖୁଛି ଏଥିରେ ତୁ ଯଦି ଗୋଟାଏ ସାଧାରଣ ଚାକିରି କରୁ, ତେବେ ଚଳିବୁ କେମିତି ?

 

ବ୍ରଜମୋହନ ବାବୁ କହିଲେ, ‘ୟେସ୍, ସେ କଥା ମୁଁ ଭୁଲି ଯାଇଥିଲି । ଗଲାବର୍ଷ ତୁ ଫେଲ ହୋଇଥିଲୁ ଏବଂ ତୋ ମନରେ ଆଘାତ ଲାଗିଛି, ସେଇ ଦୃଷ୍ଟିକୋଣରୁ ତୁ ଯେତେବେଳେ ଯାହା ମାଗିବୁ ସେୟା ଦେବାକୁ କହିଥିଲି । ଏବଂ ମୁଁ ଜାଣେ ଗୋଟାଏ ଗୋଟାଏ ମାସ ତୋର ଦେଢ଼ଶହ ଦୁଇଶହ ଟଙ୍କା ପାର୍‍ ହୋଇଯାଏ ପକେଟ ଖର୍ଚ୍ଚ । ଦିସ୍ ସୁଡ ବି ଷ୍ଟପ୍‍ଡ ଏଣ୍ଡ ଷ୍ଟପ୍‍ଡ ଏଟ ଓ୍ୟାନ୍‍ସ୍‍ ।’

 

ମୋହନର ମୁହଁ ଲାଲ ହେଇଉଠିଲା । ସେ ଅନ୍ତତଃ ତା ନିଜ ଭାଷାରେ ଗଣେଶପେଟା ମାଷ୍ଟର ଆଗରେ ଏତକ ଶୁଣିବା ପାଇଁ ପ୍ରସ୍ତୁତ ନ ଥିଲା ।

 

ସେ ଗୋଟାଏ ଗୋଟାଏ ହୋଇ ଘରୁ ବାହାରିଗଲା । ବ୍ରଜମୋହନ ବାବୁ ତାକୁ ପଛରୁ ଡାକିଲେ । ସେ ଫେରିଲା ନାହିଁ । ମାଧବୀ ଦେବୀ ବାହାରି ଆସି ତାକୁ କହିଲେ, ‘ବାପା କଅଣ କହୁଛନ୍ତି, ସେଟା ଶୁଣିବା ତୋର କର୍ତ୍ତବ୍ୟ ନୁହେଁ ?’

 

‘ଏଇଟା ବାପାଙ୍କର କର୍ତ୍ତବ୍ୟ ବୋଧହୁଏ ସେ ଜଣେ ବାହାରର ଫାଲ୍‍ତୁ ଗୋଟାଏ ଲୋକ ଆଗରେ ମତେ ଗାଳିଦେବେ ?’

 

‘ସେ ଗାଳି କଣ ଦେଲେ !’

 

‘କଅଣ ଆଉ କହିଥାନ୍ତେ, ଶଳା ବେଧୁଆ କହିଥିଲେ ବୋଧେ ଗାଳି ବୋଲି ଧରା ଯାଇଥାନ୍ତା ?’

 

ମାଧବୀ ଦେବୀ କିଛି କହିଲେ ନାହିଁ । ସେ ବୁଝିଲେ, ମୋହନର ମାନସିକ ଅବସ୍ଥା ଏପରି ଏକ ସ୍ତରରେ ଅଛି, ଯେତେବେଳେ ସେ କିଛି ବୁଝିବ ନାହଁ । ତାକୁ କିଛି ବୁଝାଇ ହେବ ନାହିଁ-

 

ମାଧବୀ ଦେବୀ ଫେରିଗଲେ ବ୍ରଜମୋହନଙ୍କ ନିକଟକୁ । ବ୍ରଜମୋହନ କହିଲେ, ‘ତୁମରି ସକାଶେ ପିଲାଟା ବିଗିଡ଼ି ଯାଇଛି । ଯେତେବେଳେ ଯାହା ମାଗିଲା ଦେଲ ।’

 

ମାଧବୀ ଦେବୀ କିଛି କହିଲେ ନାହିଁ । ସେ ମଝିରେ ମଝିରେ ରଘୁନାଥଙ୍କ ଆଡ଼କୁ ଅନାଇଲେ । ରଘୁନାଥ କହିଲେ, ‘ସେ ମା, କ’ଣ ଆଉ କରିବେ !’

 

ଏଇ ମା’ଗୁଡ଼ିକ ଅଦ୍ଭୁତ ଜୀବ, ବୁଝିଲ ମାଷ୍ଟ୍ରେ, ସେମାନଙ୍କ ପାଇଁ କେତେ ଯେ ଜୀବନ ଲୋକସାନ ହୋଇଯାଉଛି କହିହେବ ନାଇଁ ।’

 

‘କିନ୍ତୁ ତାଠୁ ବେଶୀ ଜୀବଦାନ ପାଇ ସୂର୍ଯ୍ୟାଲୋକ ଦେଖୁଛନ୍ତି ।’

 

ମୋହନ ନିଜ କୋଠରୀ ଭିତରେ ପଶି ଲୁଗା ବଦଳାଇବାକୁ ଆରମ୍ଭ କଲା । ତା ମନ ହଠାତ୍ ବିରୂପ ହୋଇଉଠିଥିଲା । ସେ ବାହାରିବାକୁ ଯାଉଛି, ଏହି ସମୟରେ ମିନତି ଘର ଭିତରକୁ ହସ ହସ ମୁହଁରେ ପଶି ଆସିଲା, ‘ମୋହନ ଭାଇ...’

 

ମୋହନ ମୁହଁକୁ ଦେଖି ପଚାରିଲା, ‘ତୁମେ କ’ଣ ରାଗିଚ ମୋହନ ଭାଇ ? କାହା ଉପରେ ?’

 

‘କାହା ଉପରେ ରାଗିବି କହ, ତୋରି ଉପରେ ରାଗିଚି ।’

 

‘ମୁଁ କ’ଣ କଲି ? ମିନତି କହି ଉଠିଲା ।’

 

‘ତିନି ବର୍ଷରେ ଆଇ, ଏଏସ ସି ପାଶ କଲି, ଧନ୍ୟବାଦ ଟାଏ ଏଯାଏଁ ଆସି ଦେଇ ପାରିଲୁ ନାହିଁ ?’

 

‘ଧନ୍ୟବାଦ ଦେବି ନା ମିଠେଇ ଖାଇବି ?’

 

‘ହଁ, ଦି’ବର୍ଷ ପାଠ ତିନି ବର୍ଷ ଲାଗିଲା, ତତେ ମିଠେଇ ଦେବି ନି କ’ଣ !’

 

‘ମିଠେଇ ନ ଦେଲେ କିନ୍ତୁ କଥା କହିବି ନାହିଁ ।’

 

‘ଭଲ କଥା, ନ କହ ?’ ମୋହନ ତା କାନକୁ ଧରି ଟାଣିଲା ।

 

ମିନତି କହି ଉଠିଲା, ‘ଛାଡ଼ ଛାଡ଼’

 

‘ଜମା କଥା କହ ନା ?’

 

‘ଆରେ, ଛାଡ଼ କାଟୁଚି ।’

 

‘ଫେର୍ କହିଲୁ !’ କହି ହସି ହସି ତା’ କାନ ଛାଡ଼ିଦେଲା ଏବଂ କହିଲା, ‘ଝିଅଗୁଡ଼ାକ ଗୋଟାଏ ମୁହୂର୍ତ୍ତରେ ତାଙ୍କ କଥା ଭୁଲିଯାନ୍ତି, ତାଙ୍କ କଥାରେ ମୋଟେ ଠିକ୍‍ ନାହିଁ ।’

 

‘ପୁଅଗୁଡ଼ା ଭାରି ଭଲ ଯେମିତି–’

 

ମୋହନ ହସି ହସି ବାହାରି ଗଲା ।

 

ମିନତି ସେଇଠି ଠିଆ ହୋଇ ରହିଲା । କ୍ଷଣକ ସକାଶେ ତାର ହାତଗୋଡ଼ ବାନ୍ଧି ହୋଇଗଲା ପରି ମନେ ହେଲା ତାର ।

 

ସେ ଆଜି ମନରେ କେତେ କଥା ନେଇ ଆସିଥଲା–ଭାବିଥିଲା ମୋହନ ଭାଇକୁ କହିବ–ହଁ ତାକୁ କହିବ, ତାର ହାତ ଧରି, ଗୋଡ଼ ଧରି ନିୟମ ପକାଇ କହିବ ଯେମିତି ସେ ଭଲ ହେବ, ଆଉ ବୁଲାବୁଲି କରିବେ ନାହିଁ ।

 

ଆଠ

 

ମୋହନ କଣ ଗୋଟାଏ ଖୋଜୁ ଖୋଜୁ ଶ୍ୟାମଳୀର ବହିଗୁଡ଼ିକ ଭିତରୁ ଖଣ୍ଡିଏ କାଗଜ ପାଇଲା, କାଗଜ କହିଲେ ଭୁଲ ହେବ, ସେ ଖଣ୍ଡିକ ଗୋଟିଏ ଚିଠି । ଚିଠିଟି ଲେଖା ହୋଇଥିଲା ଶ୍ୟାମଳୀ ପାଖକୁ, ଆଉ ସେ ଚିଠିଟିର ଶେଷ ଦେଖି ଜାଣିଲା ତାର ଲେଖକ ହେଉଛି ସୁକୁମାର । ସେ ଚିଠିଟି ପଢ଼ିବାକୁ ଆରମ୍ଭ କଲା, ଆଉ ଠିକ ଏଇ ସମୟରେ ଘର ଭିତରକୁ ଆସିଲା ଶ୍ୟାମଳୀ ।

 

ତାକୁ, ଆଉ ତା ହାତରେ ଚିଠିଟିକୁ ଦେଖି ଶ୍ୟାମଳୀ ହଠାତ୍ ଚମକି ଉଠିଲା, ପର ମୁହୂର୍ତ୍ତରେ ସେ କଠିନ ହୋଇ ଉଠି କହିଲା, ‘ମୋ ଚିଠି ତୁମେ କାହିଁକି ପଢ଼ୁଛ ?’

 

‘ତୋ ବଡ଼ ଭାଇର ଅଧିକାରରେ ତୋ ଚିଠିଟି ପଢ଼ୁଛି; କାରଣ ତୋ ଭଲ ମନ୍ଦ ସାଙ୍ଗରେ ଆମମାନଙ୍କର ଭଲ ମନ୍ଦ ଓ ମାନ ମର୍ଯ୍ୟାଦା ମଧ୍ୟ ନିର୍ଭର କରୁଛି ।’

 

‘ଚିଠିଟି ଦେଇ ଦିଅ’ ଶ୍ୟାମଳୀ ମୋହନ ହାତରୁ ଚିଠିଟି ଛଡ଼ାଇ ନେବାକୁ ଚେଷ୍ଟା କଲା ।

 

‘ଠିଆ ହେଇଥା ସେଇଠି, ନ ହେଲେ ଦେବି ଚଟକଣାଏ ।’ ରୁକ୍ଷ ଭାବରେ ମୋହନ କହିଲା ।

 

ଶ୍ୟାମଳୀ କିଛି କହି ପାରିଲା ନାହିଁ । ତା ଆଖିକୁ ଲୁହ ଆସିଗଲା । ରାଗରେ କିମ୍ବା ଅଭିମାନରେ କିବା ଧରା ପଡ଼ିଯିବା ଫଳରେ ତା ହେଲା କହିହେବନି । ହୁଏତ ବା ଏସବୁର ସମ୍ମିଶ୍ରଣର ଫଳରେ ତା ହୋଇଥିଲା ।

 

ଶ୍ୟାମଳୀ ଆଖିରେ ଲୁହ ଦେଖି ମୋହନ କହିଲା । ‘କାନ୍ଦୁଚୁ କାହିଁକି ।’

 

‘ତୁମେ ମୋ ଚିଠି ପଢ଼ିଲ କାହିଁକି ?’ ଆଉ ଜୋରରେ କାନ୍ଦିବାକୁ ଆରମ୍ଭ କଲା ଶ୍ୟାମଳୀ, ତା'ପରେ ସେ ଯାଇ ତା ଖଟ ଉପରେ ମୁହଁ ପୋତି ଶୋଇ ଫୁଲି ଫୁଲି କାନ୍ଦିଲା ।

 

ମୋହନ ତା ପାଖରେ ଯାଇ ବସି ତା ପିଠି ଆଉଁଷି ଦେଲା ଏବଂ ନରମ ଭାବରେ କହିଲା, ‘କାନ୍ଦୁଚୁ କାହିଁକି ? ମୋ କଥା ଟିକିଏ ଶୁଣ । ମୁଁ ତୋର ତ ପର ନୁହେଁ, ତୋ’ର ସମସ୍ତ କଥା ମୋର ବରଂ ଜାଣିବା ଉଚିତ ।’

 

ଶ୍ୟାମଳୀର କୋହ କମିଆସିଲା ।

 

କିଛି ସମୟ ପରେ ତାକୁ ଉଠାଇ ମୋହନ ବସାଇଲା । ତା ମୁଣ୍ଡରେ ହାତ ବୁଲାଇ ଦେଲା ଏବଂ ପଚାରିଲା, ‘ତୁ ସୁକୁମାରକୁ ଭଲପାଉ ?’

 

‘ତୁମକୁ କହି ଲାଭ କ’ଣ ?’

 

‘କହି ପାରିବି ନି, କିନ୍ତୁ କ୍ଷତି ତ ନାହିଁ !’

 

ଶ୍ୟାମଳୀ ନୀରବ ରହିଲା ।

 

‘ତତେ କହିବାକୁ ହେବ’–ମୋହନ ଜୋର ଦେଇ କହିଲା, ‘ତୋ, ନିଜର ମଙ୍ଗଳ ସକାଶେ ମୋର ଏଟା ଜାଣିବା ନିତାନ୍ତ ଦରକାର ।’

 

‘ତୁମକୁ କହିଲେ ତୁମେ କଅଣ କରିପାରିବ ?’

 

‘ଯାହା ଉଚିତ, ଯାହା ସୁନ୍ଦର, ଯାହା ଭଲ ସେୟା ଯେମିତି ହେବ, ତାର ବନ୍ଦୋବସ୍ତ ଅନ୍ତତଃ କରିପାରିବି ।’

 

ମୋହନ ଅଳ୍ପ ନୀରବ ରହି କହିଲା, ‘କହିବୁ ନି ?’

 

‘ହଁ ଭଲ ପାଏ ।’

 

‘ତାକୁ ବାହା ହେବୁ ?’

 

ମୁଣ୍ଡ ହଲାଇଲା ଶ୍ୟାମଳୀ ।

 

‘ସେ ତତେ ବାହା ହେବ ?’

 

‘ସେ ରାଜି ।’

 

‘ତୁ ଜାଣୁ, ତାଙ୍କର ଅର୍ଥନୈତିକ ଅବସ୍ଥା ସେତେ ଭଲ ନୁହେଁ–ସେତେ କାହିଁକି, ମୋଟେ ଭଲ ନୁହେଁ ।’

 

‘ଜାଣେ ।’

 

‘ତୁ ଜାଣୁ ତୋର ସାଧାରଣ ଖାଦ୍ୟ ଓ ପରିଧେୟ ମଧ୍ୟ ତାଙ୍କ ଗୃହସ୍ଥଳୀରୁ ବାହାରିବ ନାହିଁ ?’

 

‘ସେ ଏଥର ବି ଏ ପାଶ କରିଛନ୍ତି ।’

 

‘ଏଥର ଅନ୍ତତଃ ହଜାରେ ବି ଏ ଏବଂ ଶହେ ଏମ୍. ଏ ପାଶ କରିଛନ୍ତି–ତା ଭିତରୁ ପାଞ୍ଚ ଜଣ ଖଣ୍ଡେ ଡେପୁଟୀ ହେବେ, ଦଶ ଜଣ ସବଡେପୁଟୀ ହେବେ । ଆଉ ବାକି ଭିତରୁ ଏକ ଚତୁର୍ଥାଂଶ ହେବେ କିରାଣୀ ,ନ ହେଲେ ମାଷ୍ଟର ,ସେ କଅଣ ହେବ ?’

 

‘କିଛି ଗୋଟାଏ ହୋଇ ପାରନ୍ତି–’

 

‘ଅନିଶ୍ଚୟତା ଭିତରକୁ ଡିଆଁ ମାରିବା ଭଲ ନୁହେଁ ଶ୍ୟାମଳୀ, ମୁଁ ବାଧା ଦେଉଛି ବୋଲି ଭାବ ନା । ମୁଁ ଖୁବ୍ ଖୁସି ହେବି, ତୁମେ ଯଦି ସୁଖର ସଂସାର କର । ତୁମର ଏଇ ଭଲପାଇବା ଯଦି ଭାଙ୍ଗିଯାଏ, ତୋର ବିବାହ ଯଦି ଅନ୍ୟ ଜାଗାରେ ହୁଏ, ବରଂ ସେଥିରେ ମନରେ ଗୋଟାଏ ତୋର ଗ୍ଳାନି ରହିବ । ସ୍ଵାମୀ ପାଇଁ ଏ ପ୍ରକାର ବଧୂଟିଏ ଯେ ଆମ ଘରୁ ଯିବ, ମୁଁ ଏଟା ପସନ୍ଦ କରେ ନା ।’

 

ଶ୍ୟାମଳୀର ଆଉ ସାହସ ଆସିଲା ।

 

‘ସାଧାରଣ ପିଅନଟିଏ ତ ତାର ସଂସାର ପାଳୁଛି । ଚଢ଼େଇ ତ ତା ଛୁଆକୁ ଅଧାର ଦେଇ ବଢ଼ାଉଛି !’ ସେ କହିଲା ।

 

‘କିନ୍ତୁ ତା ବୋଲି ଆମେ ତ ଆମର ଭଉଣୀଟିକୁ ଗୋଟାଏ ପିଅନ ହାତରେ ଦେଇ ପାରିବା ନାହିଁ । କଲେଜରେ ରାଜାର ପୁଅର ସମ୍ମାନ ଯେତେ, ଗୋଟାଏ ଦରିଦ୍ରର ପୁଅ ମଧ୍ୟ ସେତେ ସମ୍ମାନ ପାଇଥାଏ–ସେଠି ଯୋଗ୍ୟତା ଉପରେ ମାନ ସମ୍ମାନ ଦିଆହୁଏ, ନିଜର ଚିନ୍ତା ଆଉ ବ୍ୟକ୍ତିତ୍ଵ ଉପରେ ମାନ ଦିଆ ନିଆ ହୁଏ; କିନ୍ତୁ ସଂସାରରେ ମୁଁ ଯେତେ ଦେଖିଛି ଆଉ ଦେଖୁଛି, ସବୁଠି ତାର ବ୍ୟତିକ୍ରମ । ମତେ ଗୋଟାଏ କଥା କହ, ମନେକର ମୁଁ ଯଦି ତୋ ସକାଶେ ଗୋଟାଏ ଧନୀ ପରିବାରରେ ଗୋଟିଏ ସୁନ୍ଦର ଓ ଯୋଗ୍ୟ ଲୋକ ସହିତ ସମ୍ବନ୍ଧ ଆଣେ, ତୁ ସେଥିରେ ରାଜି-?’

 

ଶ୍ୟାମଳୀ ମୁଣ୍ଡ ହଲାଇଲା ।

 

‘ମୁଁ ପଛେ ଭାବିଚିନ୍ତି ତୋ ସହ କଥାବାର୍ତ୍ତା କରିବି । ତୋର ଚିଠି ତୁ ନେ ରଖ । କିନ୍ତୁ ମୋ ସହିତ ଆଉ ଥରେ କଥାବାର୍ତ୍ତା ନ ହେବା ଯାଏଁ ଯେମିତି ତୁ ସୁକୁମାର ସହ କୌଣସି ସମ୍ପର୍କ ନ ରଖୁ–’

 

ମୋହନ ଠିଆ ହୋଇ ରହିଲା, ‘ହଁ, ତୋର ଛୋଟ କଇଞ୍ଚିଟି ଦେ’ତ–’

 

ଶ୍ୟାମଳୀ ଉଠି ତାର କଇଞ୍ଚିଟି ବାହାର କରି ଦେଲା ।

 

ସେଇ ଦିନ ସନ୍ଧ୍ୟାବେଳେ ନିରୋଳାରେ ମୋହନ ଯାଦବକୁ ପଚାରିଲା, ‘ଶ୍ୟାମଳୀର ବାହା ହେବାର ବୟସ ହେଲାଣି, ତାର ବାହାଘରଟା ଶୀଘ୍ର ସାରିଦେଲେ ଭଲ ହ’ନ୍ତା ।'

 

‘ସେ ନିଜେ ତାର ବିଚାର କରିବ ।’

 

‘ତାର ବିଚାର ଯଦି ଠିକ ନ ହୋଇ ଭୁଲ ବାଟରେ ଯାଉଥାଏ, ତେବେ ଦୋଷ କାହାର ହେବ ?’

 

‘ସେଟା ଆମେ ନିଶ୍ଚୟ ବୁଝିବା କିନ୍ତୁ ତା’ର ବିଚାରଟା କ’ଣ ?’

 

ସେ ନିଜେ ମଧ୍ୟ ଜାଣେ ନା; କିନ୍ତୁ ସେ ଭଲ ପାଇବାକୁ ଆରମ୍ଭ କଲାଣି ।

 

‘କାହାକୁ ?’

 

‘ଗୋଟିଏ ଭିକାରୀକୁ ।’

 

‘ମାନେ–’

 

‘ଆକ୍ଷରିକ ମାନେ ହେଉଛି–ସେ ଯାହାକୁ ଭଲ ପାଏ, ତାର କିଛି ନାହିଁ । ତା ବଂଶର ଐତିହ୍ୟ ନାହିଁ, ଯୋଗ୍ୟତା ହେଉଛି ସାଧାରଣ ବି, ଏ ପାସ୍ ସାର୍ଟିଫିକେଟ, ଆଉ...ଆଉ ତାର ଅଯୋଗ୍ୟତା ହେଉଛି ସେ କବିତା ଲେଖେ ।’

 

‘ଅଯୋଗ୍ୟ ଲୋକ କବିତା ଲେଖେ ନା; ବରଂ ମୋ ନିଜର ଶ୍ରଦ୍ଧା ଅଛି କବିମାନଙ୍କ ପ୍ରତି-।’

 

‘ଶ୍ରଦ୍ଧା କରିବା ଏବଂ ଭଉଣୀକୁ ଜଣକ ହାତକୁ ବଢ଼ାଇ ଦେବା ଭିନ୍ନ କଥା’

 

‘ତା ଅବଶ୍ୟ, ଆଉ ଯେଉଁମାନେ ଲେଖା ଲେଖି କରୁଛନ୍ତି, ତାଙ୍କର ଭବିଷ୍ୟତ ଅଛି, ପଇସା ମଧ୍ୟ ପାଉଛନ୍ତି–ସେ ଲୋକ କିଏ, ସୁକୁମାର ?’

 

‘ତୁମେ କିପରି ଜାଣିଲ ?’

 

‘କାରଣ ସୁକୁମାର ଆଉ ଶ୍ୟାମଳୀକୁ ମୁଁ ଏକାଧିକ ଥର କଲେଜରେ ଦେଖିଛି ।’

 

‘ତୁମର ସେତେବେଳେ ଟିକିଏ ସାବଧାନ ହେବା ଉଚିତ ଥିଲା ।’

 

‘କଅଣ ସାବଧାନ ହେବି ! ଶ୍ୟାମଳୀ ତ ବହୁତ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରେ, ତା ମାନେ କଅଣ ସମସ୍ତଙ୍କୁ ସେ ଭଲପାଏ ବାହା ହେବା ଦୃଷ୍ଟିକୋଣରୁ ?’

 

ମୋହନ ବୁଝିଲା ।

 

‘କଅଣ କରିବାକୁ ହେବ କହୁନୁ ?’

 

‘ମୁଁ ଠିକ ସେଇ ପ୍ରଶ୍ନ ପଚାରିବାକୁ ଆସିଛି ।’

 

‘ସୁକୁମାର ଆଉ ସେ କଅଣ ବାହା ହେବାକୁ ଇଚ୍ଛା କରନ୍ତି ?’

 

‘ସେମାନେ ନିଷ୍ପତ୍ତି କରି ସାରିଛନ୍ତି ।’

 

‘ତେବେ ଆଉ କହିବାର କ’ଣ ଅଛି ?’

 

‘କିନ୍ତୁ ବୁଝୁନ ସେ ଦରିଦ୍ର ?’

 

‘ଆମେ ତ ମରି ଯାଇନୁ । ଏ ବର୍ଷ ମୁଁ ଲେକଚର୍‍ର ପୋଷ୍ଟଟାଏ ପାଇ ଯାଇ ପାରିବି, ତିନିଟା ଭେକେନ୍‍ସି ଅଛି ଫିଜିକ୍‍ସରେ–ପ୍ରଥମ ନ ହୋଇ ପାରିଲେ ପ୍ରଥମ ତିନି ଜଣଙ୍କ ଭିତରେ ନିଶ୍ଚୟ ରହିବି–ମୁଁ ତାର ଖବର ବୁଝିବି ।’

 

‘ତୁମେ ନିଜେ ବିବାହ କରିବ ନି ?’

 

‘ସେମାନେ ବରାବର ସାହାଯ୍ୟ ଦରକାର କରିବେନି–ଆଉ ତା ଛଡ଼ା ବାହାଘର ବେଳେ ଆମେ କିଛି ଦେଇ ପାରିବା ଯେଉଁଥିରେ ସେମାନେ ଦି’ ଚାରି ବର୍ଷ ଚଳିଯାଇ ପାରିବେ–କାହା ଉପରେ ନିର୍ଭର କରିବାକୁ ପଡ଼ିବନି ।’

 

‘ତେବେ ବାଧା ଦିଆ ହେବନି ?’

 

‘ତୋର ମତ କଅଣ ?’

 

‘ତମ ମତ ଶୁଣି ସାରିବା ପରେ ମୁଁ କହିବି ।’

 

ଯାଦବ ଭାବି କହିଲା, ‘ଜୀବନର ପ୍ରଥମ ପ୍ରେମ ମଣିଷର ମନ ଉପରେ ଏପରି ପ୍ରଭାବ ପକାଏ ଯେ, ତାହା ସହଜରେ ପୋଛି ଦିଆ ଯାଇ ପାରେ ନା । ତେଣୁ ଯଦି ତାକୁ ବାଧା ଦିଆ ହୁଏ, ତେବେ ତାର ଭବିଷ୍ୟତ ଜୀବନର ରୂପ କଅଣ ହେବ ମୋର ସେ ବିଷୟରେ ଧାରଣା କିଛି ନାହିଁ ।’ ତା’ପରେ ସେ କହିଲା, ‘ତୁ କଅଣ କହୁଚୁ ?’

 

‘ମୋର ମଧ୍ୟ ଧାରଣା ସେଇଆ–କଥାଟା ଏଥର ବାପାଙ୍କୁ କହିବାକୁ ହେବ, ତୁମେ ତାର ଦାୟିତ୍ଵ ନିଅ ।’

 

‘ହଉ, ତେବେ ମୋର ଏ ବିଷୟରେ ଆଉ ଟିକିଏ ବେଶୀ ଜାଣିବା ଉଚିତ ।’

 

‘ମୁଁ ଶ୍ୟାମଳୀକୁ କହିଦେବି ତୁମ ସଙ୍ଗରେ କଥାବାର୍ତ୍ତା କରିବା ପାଇଁ ।’

 

‘ନା, ନା, ତୁ କହିଲେ ଚଳିବ, ଆଉ ହଁ ଯାଦବ କହିଲା, ‘ତୁ କ’ଣ ଠିକ୍ କଲୁ ? ବି.ଏସ୍.ସି କୁ ଆସିବୁ, ନା ଟେକ୍‍ନିକାଲ ଲାଇନ କିଛି ଧରିବୁ ?’

 

‘ମୁଁ ଠିକ୍‍ କରିଛି ଏୟାର ଫୋର୍ସରେ ଜଏନ କରିବି ।’

 

‘ଏୟାର ଫୋର୍ସ ?’ ଯାଦବ କହିଲା ।

 

‘ମୋ ପରି ଗୋଟାଏ ଲୋକ ପାଇଁ ସେଇଟା ଗୋଟିଏ ଠିକ ରାସ୍ତା–ଏକମାତ୍ର ରାସ୍ତା । ମାଟି ପାଖରୁ ଉପରେ, ବହୁତ ଉପରେ ରହିବି, ମେଘ ପାଖରୁ ଉପରେ ରହିବି, ପୃଥିବୀ, ପୃଥିବୀର ଜଞ୍ଜାଳ ଆଉ ସମାଲୋଚନାରୁ ଦୂରରେ ରହିବି–ଶବ୍ଦଠାରୁ ଜୋରରେ ଯାଇ ପାରିବି ସୁପରସୋନିକ ପ୍ଲେନରେ, ଆଉ....ଆଉ ଧ୍ୱଂସ ମଧ୍ୟ ପାଇ ପାରିବି ବିପଦ ଦେଖି ସାବଧାନ ହୋଇ ପାରିବା ଆଗରୁ-।’

 

‘ମୋହନ’

 

‘ଏ ସିଦ୍ଧାନ୍ତର ମଧ୍ୟ ପରିବର୍ତ୍ତନ ଅସମ୍ଭବ’ କହି ମୋହନ ବାହାରିଗଲା ।

 

–ନଅ–

 

ବ୍ରଜମୋହନ ବାବୁ ତାଙ୍କ ଘର ଭିତରେ ପଦଚାରଣା କରୁଥିଲେ–ମୁଣ୍ଡ ଭିତରେ ସହସ୍ର ଚିନ୍ତା, ମୁଣ୍ଡ ଭିତର ଶିରା ଗୁଡ଼ିକ ଫାଟିଲା ପରି ଜଣାପଡ଼ୁଥିଲା । ତାଙ୍କ ଆଖି ଆଗରେ ସବୁ ଅନ୍ଧାର ହେଇ ଆସୁଥିଲା । ସେ ଗୋଟିଏ ଚୌକିକୁ ଧରି ହଠାତ୍ ରହିଗଲେ । ଆଉ ଚାଲିପାରିଲେ ନାହିଁ । ତାଙ୍କୁ ନେଇ ରଘୁନାଥ ବାବୁ, ମାଧବୀ ଦେବୀ, ଯାଦବ ଓ ଅନ୍ୟମାନେ ତାଙ୍କ ବିଛଣାରେ ଶୁଆଇ ଦେଲେ ।

 

ଯାଦବ ଭାବି ପାରି ନ ଥିଲା ଯେ, ଶ୍ୟାମଳୀ କଥା ଓ ମୋହନ କଥା ବାପାଙ୍କ ମନରେ ଏପରି ଏକ ସାଂଘାତିକ ପ୍ରତିକ୍ରିୟା ଆଣିବ । ତା ମନରେ ଦୁଃଖ ହେଲା–କିନ୍ତୁ ସେ ତ ସମସ୍ତଙ୍କର ମଙ୍ଗଳପାଇଁ କିଛି କରିବାକୁ ଚେଷ୍ଟା କରିଥିଲା ମାତ୍ର !

 

ବ୍ରଜମୋହନ ବାବୁ ବିଛଣାରେ ଶୋଇ ରହିଲେ । ଆଖି ଯୋଡ଼ିକ ତାଙ୍କର କିପରି ଅପ୍ରାକୃତିକ ଅବସ୍ଥା ଧାରଣ କଲା । କେତେବେଳେ ଥୋଡ଼ାଏ ବେଳ ବନ୍ଦ ରହିଲା । ସେ ଆଖି ଖୋଲି କାହାକୁ ଯେପରି ଦେଖିବାକୁ ଚେଷ୍ଟାକଲେ; କିନ୍ତୁ ସେ ଯେପରି କାହାକୁ ଦେଖି ପାରିଲେ ନାହିଁ । ଯାଦବ ଡାକି ଉଠିଲା, ‘ବାପା, ବାପା... ।’

 

ବେଳେ ବେଳେ ସେ ଆଖି ମେଲା କଲେ, କିନ୍ତୁ ଆଉ କିଛି କହିଲେ ନାହିଁ ।

 

ମାଧବୀ ଦେବୀ କହିଲେ, ଶୁଣୁଚ..... ।’

 

ବ୍ରଜମୋହନଙ୍କର ନୀରବତା ଭଙ୍ଗ ହେଲା ନାହିଁ ।

 

ରଘୁନାଥ ବାବୁ କହିଲେ, ‘ଯାଦବ, ଯାଅ ଜଣେ ଡାକ୍ତର ଡାକ, ଭଲ ଡାକ୍ତର ।’

 

ଯାଦବ ବାହାରିଗଲା ।

 

ଅଳ୍ପ ସମୟ ପରେ ଶ୍ୟାମଳୀ ଆସିଲା, ମୋହନ ଆସିଲା । ତାଙ୍କୁ ଦେଖି ମାଧବୀ ଦେବୀଙ୍କର କୋହ ବଢ଼ି ଉଠିଲା । ଏଇ ଦୁଇ ଜଣଙ୍କ ଉପରେ ତାଙ୍କର ଅଭିମାନ ବଢ଼ି ଉଠିଲା ।

 

ଶ୍ୟାମଳୀ ପଚାରିଲା–‘ବାପାଙ୍କର କଅଣ ହୋଇଛି ?’

 

କେହି କିଛି ଉତ୍ତର ଦେଲେ ନାହିଁ ।

 

ମୋହନ ପ୍ରଶ୍ନ କଲା, ‘କଅଣ ହେଲା ହଠାତ୍ ? ସକାଳେ ତ ସେ ଭଲ ଥିଲେ ?’

ମାଧବୀ ଦେବୀ ତାକୁ ବାହାର ଆଡ଼କୁ ଡାକି ନେଇ ପଚାରିଲେ, ‘ମୋହନ, ତୁ କଅଣ ଏଆର ଫୋର୍ସରେ ଜଏନ କରୁଛୁ ?’

 

‘ହଁ, ସେୟା ଠିକ କରିଛି’

 

‘ଶ୍ୟାମଳୀ’ ମାଧବୀ ଦେବୀ ପୁଣି କହିଲେ, ‘ତୁ କଅଣ ନିଜେ ତୋର ବିବାହ କଥା ଠିକ କରି ସାରିଲୁଣି ?’

 

ଶ୍ୟାମଳୀ କିଛି କହିଲା ନାହିଁ ।

 

‘ଯାଦବ ତୁମ ଦୁଇ ଜଣଙ୍କ କଥା ତାଙ୍କ ପାଖରେ କହିବା ଫଳରେ ତାଙ୍କର ଏ ଅବସ୍ଥା ହୋଇଛି ।’

 

ଶ୍ୟାମଳୀ ଓ ମୋହନ ଦୁଇ ଜଣ ଅପରାଧୀ ପରି ଠିଆ ହୋଇ ରହିଲେ । ତାଙ୍କ ମୁହଁ ତଳକୁ ହୋଇଗଲା । ସେମାନେ କିଛି କହିଲେ ନାହିଁ ।

 

ଡାକ୍ତର ଆସିଲେ । ବ୍ରଜମୋହନ ବାବୁଙ୍କୁ ଦେଖିଲେ । ଚିକିତ୍ସାର ବନ୍ଦୋବସ୍ତ ହେଲା । ସେ କହିଲେ, ‘ସମୟ ହେଇନି କିଛି ମତ ଦେବାପାଇଁ । ତେବେ ଜୀବନରେ ଯେ ଖୁବ ଗୋଟାଏ ଆଶଙ୍କା ଅଛି ତା ମନେହୁଏ ନା ।’

 

ଡାକ୍ତରଙ୍କ କଥାରେ ଯେ ବିଶେଷ ଗୋଟାଏ ଆଶ୍ଵାସନା ଥିଲା ତା ନୁହେଁ ତଥାପି ଅଳ୍ପ ବହୁତ ସମସ୍ତେ ଆଶ୍ଵସ୍ତ ହେଲେ । ତା ଛଡ଼ା ମାଧବୀ ଦେବୀକୁ ଆଶ୍ଵାସନା ଦେଲେ ରଘୁନାଥ ବାବୁ-। ସେ କହିଲେ, ‘ବ୍ୟସ୍ତ କାହିଁକି ହେଉଛ, ଭଗବାନଙ୍କ ଦୟାରୁ ସେ ଭଲ ହୋଇଯିବେ ।’

 

ଘର ଭିତରେ ଗୋଟାଏ ନୀରବତା ଦେଖା ଦେଲା । ଶ୍ୟାମଳୀ ତା ନିଜ କୋଠରୀ ଭିତରେ ବସି କାନ୍ଦିବାକୁ ଆରମ୍ଭ କରିଦେଲା । ସେ ଭାବି ପାରି ନ ଥିଲା ଏପରି ଗୋଟାଏ ପରିସ୍ଥିତି ଉପୁଜିବ । ସେ ଜାଣିଥିଲା ତା’ର ବାପା ଖୁବ୍‍ ଉଦାରମନା, ସେ ଜାଣିଥିଲା ତାର ବାପା ତାକୁ ଖୁବ ସ୍ନେହ କରନ୍ତି, ଭଲ ପାନ୍ତି, ସେ ଜାଣିଥିଲା ଯେ ତାକୁ ସୁଖୀ କରିବା ପାଇଁ ଏବଂ ସମସ୍ତଙ୍କୁ ଭଲରେ ରଖିବା ପାଇଁ ବାପା ଅତ୍ୟନ୍ତ ପରିଶ୍ରମ କରନ୍ତି । ଏସବୁ ଦୃଷ୍ଟିକୋଣରୁ ସେ ଭାବିଥିଲା ଯେ ତାର ବିବାହ ନେଇ ବିଶେଷ ଗୋଟାଏ ଗଣ୍ଡଗୋଳ ହେବ ନାହିଁ । ବିଶେଷ କରି ଯାଦବ ଓ ମୋହନ ତା ସହିତ ଏକମତ । ରଘୁନାଥ ବାବୁ ମଧ୍ୟ ଏକମତ ଥିଲେ, ମାଧବୀ ଦେବୀଙ୍କର ବିଶେଷ ଆପତ୍ତି ନ ଥିଲା । ତେଣୁ ସମସ୍ତଙ୍କର କଥା ବାପା ଏଡ଼ି ପାରିବେ ନାହିଁ...ତା ମୁଣ୍ଡରେ ଚିନ୍ତାର ଢେଉ ଖେଳିବାକୁ ଆରମ୍ଭ କଲା ।

 

ମୋହନ ତା ବଖରା ଭିତରେ ବସିରହିଲା–ହାତ ଦୁଇଟି ଭିତରେ ମୁଣ୍ଡକୁ ପୋତି ସେ ବସି ରହିଲା । ସେ ମଧ୍ୟ ଅଶା କରି ନ ଥିଲା ଯେ, ବାପାଙ୍କର ଏପରି କିଛି ଗୋଟାଏ ହେବ । ତାର ଧାରଣା ଥିଲା ବାପା ତାର ଗୋଟାଏ ଲୁହାର ମଣିଷ, ଖୁବ୍ ହିସାବି, ଖୁବ ସଂଯତ, ଖୁବ ବିବେକୀ ।

 

ଅଳ୍ପ ସମୟ ପରେ ମାଧବୀ ଦେବୀ ତା ପାଖକୁ ଆସିଲେ । ତାଙ୍କର ମୁହଁ ଶୁଖି ଯାଇଥାଏ । ସେ ଆସି ତା ପାଖରେ ଠିଆ ହେଲେ ଏବଂ କହିଲେ, ‘ଶୁଣୁଚୁ ?’

 

ମୋହନ ମୁଣ୍ଡ ଟେକିଲା ।

 

‘ତୁ ସେ ଏଆର ଫୋର୍ସ ଛାଡ଼, ଆଉ ଶ୍ୟାମଳୀ ମଧ୍ୟ ସେ ସୁକୁମାର ଚିନ୍ତା ଛାଡ଼ୁ । ଏକଥା ତୁମେ ନିଷ୍ପତ୍ତି କରି ବାପାଙ୍କୁ କୁହ । ତାହେଲେ କିଛି ଭଲ ଫଳ ହେବ । କ’ଣ କହୁଛୁ ?

 

ମୋହନ କିଛି କହିଲା ନାହିଁ । କହି ପାରିଲା ନାହିଁ ।

 

ସେ ପଚାରିଲା, ‘କଅଣ ହେଲା ଘଟଣା କହିଲୁ ?’

 

‘ସେ ପ୍ରଥମେ ଯାଦବ ପାଖରୁ ଶୁଣିଲେ ତୁମମାନଙ୍କ କଥା, ତା’ପରେ ସେ କହି ଉଠିଲେ, ‘‘ମୋ ପିଲାଏଁ ମୋ ଇଚ୍ଛା ବିରୁଦ୍ଧରେ କିଛି କରିବେ ନାହିଁ, ଏଟା ମିଛ, ମିଛ’’–ତାପରେ ଯାଦବ ଜୋର କରି କହିଲା । ସେ ଥୋଡ଼ାଏ ବେଳ ତା ଆଡ଼କୁ ଅନାଇ ରହିଲେ, ତାଙ୍କର ଆଖି ଯୋଡ଼ାକ ଡିମା ଠିଆ ହୋଇ ଆସିଲା, ସେ ବୁଲିବାକୁ ଆରମ୍ଭ କଲେ । ହଠାତ୍ ଚୌକିଟାକୁ ଧରି ଠିଆ ହୋଇ ତଳେ ପଡ଼ିବା ଆଗରୁ ତାଙ୍କୁ ରଘୁନାଥ ବାବୁ ଧରି ପକାଇଲେ । ନହେଲେ ବୋଧେ ପଡ଼ିଯାଇ ମୁଣ୍ଡ ଫାଟିଥାନ୍ତା କି କ’ଣ ହୋଇଥାନ୍ତା’ ।’

 

‘ବୋଉ’ ମୋହନ ଦୀର୍ଘ ନିଶ୍ଵାସ ଛାଡ଼ି କହିଲା, ‘ବାପାଙ୍କୁ ଭଲ କରିବା ପାଇଁ ଯାହା କୁହାଯାଇ ପାରେ ତୁ କହ । ମୁଁ ଦୁଃଖିତ, ତାଙ୍କର ଏଇ ପ୍ରକାର ଅବସ୍ଥା ପାଇଁ ମୁଁ ନିଜକୁ ଅପରାଧୀ ବୋଲି ଯଦିବା ଭାବୁନି, ତଥାପି ମୁଁ ଦୁଃଖିତ, ଖୁବ ଦୁଃଖିତ ।’

 

‘ତୁ ଅପରାଧି ନୁହଁ ?’

 

‘କାହା ପିଲା କଣ ଏଆର ଫୋର୍ସକୁ ଯାଉନାହିଁ । ତା’ ବୋଲି କଣ ତାଙ୍କ ବାପାମାନଙ୍କୁ ପେରେଲିସିସ୍ ହେଉଛି ? ବାପା ଯଦି ତାଙ୍କ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଅହେତୁକ ଭାବରେ ଦୁର୍ବଳମନା ହେଇଯାନ୍ତି, ତେବେ ସେଥପାଇଁ କ’ଣ ଆମେ, ତାଙ୍କର ସନ୍ତାନମାନେ ଦାୟୀ-?’

 

ମାଧବୀ ଦେବୀଙ୍କୁ କଥାଗୁଡ଼ିକ ଶୁଣିବାକୁ ଭଲ ଲାଗିଲା ନାହିଁ । ସେ ଆଗରୁ ଜାଣିଥିଲେ ମୋହନ ଗଲା ପ୍ରାୟ ବର୍ଷେ ଦି’ବର୍ଷ ହେବ କିପରି ଗୋଟାଏ ହେଇ ଯାଉଛି । କିପରି ଏକ ନୂଆ ଧରଣର ହେଇ ଯାଉଛି । କିପରି ଏକ ବିକାରଗ୍ରସ୍ତ ହେଇ ପଡ଼ୁଛି ତାର ମନୋଭାବ । ବେଳେ ବେଳେ ତାକୁ ଖୁବ ବିବେକୀ ପରି ମନେହୁଏ, ବେଳେ ବେଳେ ମନେହୁଏ ଯେପରି ଖୁବ ହୃଦୟହୀନ । କଥାଗୁଡ଼ିକ ତାର ଏହା ଭିତରେ ସମସ୍ତ ମିଷ୍ଟତା ହରାଇଥିଲା–ସେଥିରେ ଦୁର୍ବଳତା, ସ୍ନେହ, ଆଦର ଏବଂ କୋମଳତାର ଲେଶ ମାତ୍ର ନ ଥିଲା ।

 

‘ତୁ କ’ଣ ସତରେ ଏଆର ଫୋର୍ସରେ ଯିବୁ ?’

 

‘ଯଦି ସିଲେକଟେଡ ହୁଏଁ ।’

 

ମାଧବୀ ଦେବୀଙ୍କ ମୁହଁରୁ ବାହାରି ଆସିଲା ଗୋଟାଏ ମାତ୍ର–‘ଓ’

 

ସେଦିନ ସନ୍ଧ୍ୟାବେଳକୁ ମିନତି ଆସିଲା । ସେ ଜଣ ଜଣ ହୋଇ ମାଧବୀ ଦେବୀ ପାଖରୁ ଆରମ୍ଭ କରି ଯାଦବ ଓ ମୋହନ ସମସ୍ତଙ୍କ ପାଖକୁ ଗଲା । ଶ୍ୟାମଳୀ ପାଖକୁ ଗଲା । ସବୁଠି ନୈରାଶ୍ୟର ଛାଇ, ଦୁଃଖର ଛାଇ । ତାକୁ କାନ୍ଦ ମାଡ଼ିଲା । ସମସ୍ତଙ୍କୁ ପ୍ରବୋଧ ଦେବାକୁ ସେ ଚେଷ୍ଟାକଲା, କିନ୍ତୁ ସେ କଅଣ ଜାଣେ ! କଅଣ ବା କହିବ ! ସେ ଦେଖିଲା ଏପରି ଅବସ୍ଥାରେ ମୋହନକୁ ତାର କିଛି କହିବାର ଅଛି ।

 

ସେ ମୋହନକୁ କହିଲା, ‘ମୋହନ ଭାଇ, ତୁମେ କାହିଁକି ତୁମର ମନ ଏତେ ଚଞ୍ଚଳ କରୁଛ, ତୁମ ସକାଶେ ଦେଖ ତ ତୁମ ବାପାଙ୍କର ଅବସ୍ଥା କଅଣ !’

 

‘ମିନି’–ମୋହନ କହିଲା, ‘ତୁ ମତେ ଦୋଷ ନ ଦେଇ ବରଂ ମୋ ପାଖରେ ବସ, କିଛି ଭଲ କଥା କହ । ଏମିତି ସମୟରେ ମତେ ଥୋଡ଼େ ଗାଳି ଦେଲେ କାହାର କିଛି ଉପକାର ହେବ ନାହଁ, ବାପାଙ୍କର ମଧ୍ୟ ନୁହେଁ । ଆ, ଏଇଠି ବସ, ଆଉ........ହଁ ମୋ ମୁଣ୍ଡରେ ହାତ ବୁଲାଇ ଦେ-।’

 

ମିନତି ତା ପାଖରେ ବସି ତା ମୁଣ୍ଡରେ ହାତ ବୁଲାଇ ଦେଲା । ମୋହନକୁ ଭାରି ଭଲ ଲାଗିଲା । ତା ଆଖିରୁ ଲୁହ ଆସିଲା । ସେ ମିନତି କୋଳରେ ମୁହଁ ପୋତି କାନ୍ଦିବାକୁ ଆରମ୍ଭ କଲା-

 

‘କାନ୍ଦୁଚ ମୋହନ ଭାଇ ?’ ମିନତି ପଚାରିଲା । ତା ମନ ଆଉ ଦୁର୍ବଳ, ଆଉ ସହାନୁଭୂତିଶୀଳ ହୋଇଉଠିଲା । ସେ ମୋହନକୁ ତା ନିଜ ଛାତି ଉପରକୁ ଟାଣି ଆଣିଲା । ତାକୁ ତା ଛାତିରେ ମିଶାଇ ଦେଇ ଏକ ଅପୂର୍ବ ଆନନ୍ଦ ଅନୁଭବ କଲା । ତା ଦେହରେ ଶିହରଣ ଦେଖାଦେଲା । ସେ ତାର ମୁହଁ ମୋହନ ମୁହଁରେ ମିଶାଇ ଦେଲା । ମୋହନ ମୁହଁ ଉଠାଇ ତା ମୁହଁକୁ ଦେଖିଲା । ପୁଣି ତା କୋଳରେ ମୁହଁ ଲୁଚାଇଲା ।

 

ମୋହନ କହିଲା, ‘ମିନି ମୋ ନିଶ୍ୱାସ ବନ୍ଦ ହୋଇ ଆସୁଛି, ଛାତି ଫାଟି ଗଲାପରି ଜଣାପଡ଼ୁଛି ।’’

 

‘ଖୋଲା ଜାଗାକୁ ଯିବ ? ଛାତ ଉପରକୁ ନେଇଯିବି ।’

 

ମିନତି ତାର ହାତ ଧରି ତାକୁ ଛାତ ଉପରକୁ ନେଇଗଲା । ସେଠି କେହି ନ ଥିଲେ । ସେ ମୋହନକୁ ତା ନିଜ ଆଡ଼କୁ ଟାଣି ଆଣିଲା । ମୋହନ ମଧ୍ୟ ଅଳ୍ପ ସମୟ ପରେ ତାକୁ ତା ନିଜ ଆଡ଼କୁ ଟାଣିନେଲା । ଦୁହେଁ ପରସ୍ପରର ବାହୁବନ୍ଧନ ଭିତରେ ହଜିଗଲେ ।

 

ଦୁଇ ଜଣଙ୍କର ବୟସ ଅଳ୍ପ, ଦୁଇ ଜଣ ଭାବପ୍ରବଣ–କେହି କାହା ପାଖରୁ ନିଜକୁ ମୁକୁଳାଇ ନେଲେ ନାହିଁ ।

 

ପରିଶେଷରେ ମୋହନ କହିଲା, ‘ମିନି, ଭାଇ ସାଙ୍ଗରେ ତୋର ବାହାଘର ପ୍ରାୟ ଠିକ ହୋଇସାରିଛି, ଜାଣିଚୁ ?’

 

ମିନତି ମୁଣ୍ଡରେ କଥାଟା ଗୋଟାଏ ଧକ୍‍କା ଦେଲା ପରି ଜଣାପଡ଼ିଲା । ତାକୁ ଚାରିଆଡ଼ ଅନ୍ଧାର ଦିଶିଲା । ନିଜକୁ ଆଉ ଦୁର୍ବଳ, ଆଉ ଅସହାୟ ଅନୁଭବ କଲା ଏବଂ ମୋହନ ଛାତିରେ ପୁଣି ମିଶିଗଲା । ତା ଆଖିକୁ ଲୁହ ଆସିଲା ।

 

ମୋହନ ଭାବିଲା, ଆଉ ଭାବିଲା । ସେ କଅଣ କହିବ କିଛି ବୁଝି ପାରିଲା ନାହିଁ । ସେ କେବଳ କହିଲା, ‘ତୁ ଚିନ୍ତା କରନା, ଯାହା ହେବାର ହେବ । ସବୁ ଭଲରେ ଭଲରେ ଛିଣ୍ଡିବ, ବାପା ଭଲ ହେବେ....... କାନ୍ଦ ନା ।’

 

ତାଙ୍କୁ ଖୋଜି ଖୋଜି ମାଧବୀ ଦେବୀ ଆସି ପହଞ୍ଚି ଶେଷ କଥାତକ ଶୁଣିଲେ । ତାଙ୍କ ମନରେ ଏଥିରେ ଶାନ୍ତି ଆସିଲା । ସେ କହିଲେ, ‘ମିନି, ମା, ଆ, ତୋ ବୋଉ ଆସିଲେଣି ।’ ମୋହନ ଛାତିରୁ ମିନତି ନିଜକୁ ମୁକୁଳାଇ ନେଲା ।

 

ସେଦିନ ରାତିରେ ମୋହନ ଖୁବ୍ ଭାବିଲା–ତା ଆଖିକୁ ନିଦ ଆସିଲା ନାହିଁ । ସେ ଯେତେ ବେଶୀ ଭାବିଲା, ସମାଧାନ କିଛି କରି ପାରିଲା ନାହିଁ, ବରଂ ସେ ସମାଧାନ ପାଖରୁ ଦୂରେଇ ଗଲା ।

 

ଦଶ

 

ବ୍ରଜମୋହନ ବାବୁ ଶଯ୍ୟାଶାୟୀ ହୋଇ ପଡ଼ିରହିଲେ । ସେ ଚାରିଆଡ଼କୁ ଅନାନ୍ତି, ଆଖି ମିଟି ମିଟି କରନ୍ତି, ତାଙ୍କ ଆଖିରୁ ବେଳେ ବେଳେ ଲୁହ ବହେ, ମାଧବୀ ଦେବୀ ତାଙ୍କ ପାଖରେ ବସି ରହନ୍ତି ଆଉ ତାଙ୍କୁ ପ୍ରବୋଧ ଦିଅନ୍ତି । ରଘୁନାଥ ବାବୁ ସକାଳ ସନ୍ଧ୍ୟା ତାଙ୍କ ପାଖରେ ବସନ୍ତି । ପୁଅ ଝିଅମାନେ ଆସନ୍ତି, ଦେଖନ୍ତି, ବେଳେ ବେଳେ ତାଙ୍କ ପାଖରେ ଠିଆ ହୁଅନ୍ତି, ତାଙ୍କ ମନର ଦୁଃଖ ତାଙ୍କର ନୀରବତାରୁ ସ୍ପଷ୍ଟ ବୁଝିହୁଏ ।

 

ଏମ ଏସ୍ ସି ପରୀକ୍ଷାର ଖବର ବାହାରିଲା । ଯାଦବ ପ୍ରଥମ ବିଭାଗରେ ପ୍ରଥମ ହୋଇ ପାଶ କଲା । କଲେଜରେ ମଧ୍ୟ ଲେକଚର୍‍ରଟିଏ ହେଲା ।

 

ମୋହନ କିଛି ଦିନ ଅପେକ୍ଷା କଲା, ଏଠି ସେଠି ବୁଲିଲା । ଥୋଡ଼ାଏ ଦିନ ପୁଣି ବୋତଲ ପାଣିରେ ବୁଡ଼ ମାରିଲା–ଏଥର ପରିବାରରେ ମଧ୍ୟ ଅଭାବ ଦେଖାଦେବାକୁ ଆରମ୍ଭ କଲା, ଆଉ ତାର ସମାଧାନ ଭାଇର ପ୍ରାୟ ଦୁଇ ଶହ ଟଙ୍କାରେ ହୋଇପାରେନା ।

 

ଯାଦବ, ମୋହନ ଏବଂ ମାଧବୀ ଦେବୀ ନିଷ୍ପତ୍ତି ଦେଲେ ମଟରଟିକୁ ବିକ୍ରି କରିଦେବା ପାଇଁ । ତାହା ମଧ୍ୟ ହେଲା । ଘରର ଗୋଟାଏ ଅଂଶ ବାଦ୍ କରିଦେଇ ତାକୁ ମଧ୍ୟ ଭଡ଼ା ଦିଆହେଲା-

 

ପୁଣି ଶ୍ୟାମଳୀର ବିବାହର ପ୍ରଶ୍ନ ଉଠିଲା, ‘ବର୍ତ୍ତମାନ ଏହି ମଟର ବିକ୍ରି ଟଙ୍କାରେ ଶ୍ୟାମଳୀର ବାହାଘରଟି ସାରିଦେଲେ ଭଲ ହ’ନ୍ତା, ପଛେ ଅଭାବ ପଡ଼ିବ, ଟଙ୍କା ମଧ୍ୟ ରହିବ ନାହିଁ-।’

 

ତୁମୁଳ ଆଲୋଚନା ଆରମ୍ଭ ହେଲା ।

 

ମାଧବୀ ଦେବୀ ଜିଦ୍ ଧରି ବସିଲେ, ‘ସେଇ ବିବାହ ପାଇଁ ଏତେ କଥା ! ମୁଁ ସେଠି ତାକୁ ଦେବାକୁ କେମିତି ରାଜିହେବି, ହୋଇ ପାରିବି ! ଅସମ୍ଭବ ।’

 

ମାଧବୀ ଦେବୀଙ୍କୁ ଯାଦବ ବୁଝାଇଲା, ମୋହନ ବୁଝାଇଲା, ରଘୁନାଥ ବାବୁ ମଧ୍ୟ ବୁଝାଇଲେ । ଶ୍ୟାମଳୀ ଅଧିକାଂଶ ସମୟରେ ତା ନିଜ କୋଠରୀ ଭିତରେ ବସି ବସି କାନ୍ଦିଲା । ବିବାହରେ ବାଧା ପାଇଁ ଯେତେ କାନ୍ଦିଲା, ସେତିକି ସେ କାନ୍ଦିଲା ବାପାଙ୍କ ସ୍ଵାସ୍ଥ୍ୟ ପାଇଁ । ସେ ମନେ ମନେ ନିଜକୁ ଅଭିଯୁକ୍ତ ବନେଇ ସାରିଥିଲା–ବାପାଙ୍କର ଏଇ ଅବସ୍ଥା ପାଇଁ ସେ ଯେ ଦାୟୀ, ସେକଥା ସେ ଭାବିବାକୁ ଆରମ୍ଭ କରି ଦେଇଥିଲା ।

 

ମାଧବୀ ଦେବୀ ତାର ଫୁଲା ଫୁଲା ଆଖିକୁ ଦେଖିଲେ । ସେ ତାକୁ କହିଲେ, ‘ମା, ତୁ କଅଣ କହୁଚୁ, କହ । କାନ୍ଦି କାନ୍ଦି ଦେହର ଅବସ୍ଥା କଅଣ କଲୁଣି, ଆଖି ଦି’ଟା ଅବସ୍ଥା କଅଣ ହେଲାଣି ! ଆଇନାରେ ନିଜ ଚେହେରାଟା ଦେଖୁଛୁ ତ !

 

ସ୍ନେହ ପାଇ, ମଧୁର କଥା ଶୁଣି ଶ୍ୟାମଳୀ ଆଖିରୁ ଆଉ ଜୋରରେ ଲୁହ ବାହାରିଲା । ସେ ମାଧବୀ ଦେବୀଙ୍କ କୋଳରେ ମୁହଁ ଲୁଚାଇ ଫୁଲି ଫୁଲି କାନ୍ଦିବାକୁ ଆରମ୍ଭ କଲା । ମାଧବୀ ଦେବୀଙ୍କର ମନ ତରଳି ଆସିଲା । ସତେ, ସେ ଯେ ଆଉ ଭଲ ହେବେ, କିଏ କହିବ ! ଗୋଟାଏ ଜୀବନ ତ ଗଲା, ଆଉ ଜୀବନ ଗୁଡ଼ିକ କିପରି ଭଲ ହେବ, ଭଲରେ ଏବଂ ଶାନ୍ତିରେ ସମସ୍ତେ କିପରି ଜୀବନ କାଟିବେ, ଏକଥା ଭାବିବା ଦରକାର ।

 

ତାଙ୍କ ଆଖି ଆଗରେ କୋଡ଼ିଏ ବର୍ଷ ଆଗର କଥା ଭାସି ଉଠିଲା । ସେତେବେଳେ ସେ ଏଇ ଯୋଡ଼ିକ ପିଲାଙ୍କୁ ପାଇ କେତେ ସୁଖୀ ହୋଇ ନ ଥିଲେ, ବ୍ରଜମୋହନ ବାବୁ କେତେ ସୁଖୀ ହୋଇ ନ ଥିଲେ ! କିନ୍ତୁ ଆଜି...ଆଜି...ମାଧବୀ ଦେବୀ ଭାବି ପାରିଲେ ନାହିଁ । କିନ୍ତୁ...କିନ୍ତୁ...ସେ ତ ଦେହର ରକ୍ତ ଦେଇ ଏଇମାନଙ୍କୁ ବଢ଼ାଇଥିଲେ । ତାଙ୍କୁ ସ୍ନେହ ଦେଇ ଆଦର ଦେଇ ବଢ଼ାଇଥିଲେ । ତାଙ୍କ ଆଖିରୁ ଲୁହ ଆସିଲା, କୋହ ଦେଖା ଦେଲା, ସେ ମଧ୍ୟ ଝିଅକୁ କୋଳରେ ଧରି କାନ୍ଦିବାକୁ ଆରମ୍ଭ କରିଦେଲେ । ସେ କହିଲେ, ‘କାନ୍ଦ ନା ମା, କାନ୍ଦ ନା.. ।’

 

ଆଲୋଚନା ପୁଣି ଆରମ୍ଭ ହେଲା, ମାଧବୀ ଦେବୀ କ୍ରମେ ରାଜିହେଲେ । କିନ୍ତୁ ନୂତନ ସମସ୍ୟା ଦେଖା ଦେଲା–ଶ୍ୟାମଳୀର ବିବାହ ସହ ଯାଦବର ବିବାହ ମଧ୍ୟ ଏକ ସମୟରେ ହେବ । ମିନତି ମା’କୁ ସେ କଥା ଦେଇଛନ୍ତି ।

 

ମୋହନ ଜାଣିଲା । ସେ ନିରୋଳାରେ ଯାଦବକୁ କହିଲା, ‘ଭାଇ, ତୁମକୁ ଗୋଟାଏ କଥା କହିବି ।’

 

‘କହ ।’

 

‘ମା’ ଠିକ କରୁଛନ୍ତି ମିନତି ସହ ତୁମର ବାହା ଦେବେ ।’

 

‘କଅଣ ହେଲା ?’

 

‘ତୁମ ସହିତ ତାର ବାହାଘର ହେଇପାରିବ ନାହିଁ ।’

 

‘ଯାଦବ କିଛି ବୁଝି ପାରିଲା ନାହିଁ । ସେ ପଚାରିଲା–କାହିଁକି ?’

 

ମୋହନ ଏ ପ୍ରଶ୍ନ ପାଇଁ ପ୍ରସ୍ତୁତ ନ ଥିଲା । ସେ ଚମକି ଉଠିଲା । ସେ କଅଣ କହିବ କିଛି ଠିକ କରି ପାରିଲା ନାହିଁ । ସେ କହିଲା, ନା, ନା, ତୁମେ ତାହା କରିବ ନାହିଁ, ମୋର ଅନୁରୋଧ, ବ୍ୟକ୍ତିଗତ ଅନୁରୋଧ, ଆଉ ତାର କାରଣ ପଚାର ନାହିଁ, ମୁଁ କହିପାରିବି ନାହିଁ ।

 

ସେ ଚାଲି ଆସୁଥିଲା । ଯାଦବ ତାକୁ ଡାକି ପ୍ରଶ୍ନ କଲା, ‘ମୋ ଆଗରେ ନ କହିବାର କାରଣ କ’ଣ ମୁଁ ବୁଝି ପାରୁନି, ତୁ କହ, ଡରିବାର କ’ଣ ଅଛି ?

 

ମୋହନ କିଛି ଗୋଟାଏ କହିବା ପାଇଁ ଚେଷ୍ଟା କଲା । କିନ୍ତୁ ତା ମୁହଁରୁ ଭାଷା ବାହାରିଲା ନାହିଁ ।

 

ତା ମୁହଁକୁ ଯାଦବ ଅନେକ ବେଳ ଅନାଇଁ ରହିଲା । ତା ଆଖି ଆଗରେ ବହୁତ ପୁରୁଣା ଦୃଶ୍ୟ ଭାସିବାକୁ ଆରମ୍ଭ କଲା । ତାର ମନେପଡ଼ିଲା ମିନତିର ବୋଉ କିପରି ତାକୁ ସ୍ନେହ କରନ୍ତି । ମିନତିକୁ ବୋହୂ କରିବେ ଆଉ ତା ସହିତ ତାର ବିବାହ ଦେବେ ବୋଲି ତା ନିଜ ବୋଉ କଥା ଦେଇଛନ୍ତି । ମିନତି ଆସେ, ତା ବୋଉ ତାକୁ କେତେବେଳେ ଦୁଧ କିମ୍ବା ଚାହା, କି ଅବା ଜଳଖିଆ ଦେଇ ତା ପାଖକୁ ପଠାଇ ଦିଅନ୍ତି । ସେ ଆସେ, ଅଳ୍ପ କଥା କହେ । ଯାଦବ ମନେ ମନେ ଭାବେ ତାକୁ କେତେ କଥା କହିବ; କିନ୍ତୁ କହି ପାରେନା । ଝିଅମାନଙ୍କ ଆଗରେ ସେ ସବୁବେଳେ ସେମିତି-। କିନ୍ତୁ ମୋହନ ଭିନ୍ନ ପ୍ରକାର । ସେ ସବୁବେଳେ ଖୋଲା, ବେଶ୍‍ ଖୋଲାଖୋଲି କଥାବାର୍ତ୍ତା କରେ-। ହସ ଖୁସି କରେ । ଯାଦବର ଈର୍ଷା ହୁଏ ମୋହନକୁ । ଆଉ ମୋହନ ତ ତାର ଭାଇ, ତା ନିଜ ଭାଇ, ମନେ ମନେ ବେଳେ ବେଳେ ତାର ଗର୍ବ ହୁଏ । ଦୁଃଖ ହୁଏ ମଧ୍ୟ, କାରଣ ମୋହନ ସବୁଥିରେ ପାରଗ; ସବୁ କାମରେ ଚାଲାଖ୍‍, କିନ୍ତୁ ପାଠରେ ମନ ଦିଏନା । ଦୋଷଗୁଣ ସମସ୍ତଙ୍କର ଅଛି ।

 

–କ୍ଷଣକ ଭିତରେ ବହୁ ଚିନ୍ତା ଖେଳିଗଲା ତାର ଛୋଟ ମୁଣ୍ଡଟା ଭିତରେ । ପୁଣି ତା’ ଆଖି ଆଗରେ ଭାସିଲା ମୋହନ ଆଉ ମିନତିଙ୍କ କଥା–ଅନେକ ସମୟରେ ଦେଖିଛି ଏମାନଙ୍କୁ, ପରସ୍ପର ପ୍ରତି ଏମାନଙ୍କର ଅନାଇବା ଭଙ୍ଗୀକୁ ।

 

ଯାଦବର ଆଖି କୋଣଗୁଡ଼ିକ ସଙ୍କୁଚିତ ହୋଇ ଆସିଲା । ତା ମନରେ ସନ୍ଦେହ ଦେଖା ଦେଲା । ସେ ପଚାରିଲା, ତୁ କ’ଣ ତାକୁ ଭଲ ପାଉ ?

 

‘ଏତିକି, କହିପାରେ’ ମୋହନ କହିଲା, ମୁଁ ତାକୁ ଘୃଣା କରେ ନା ।’

 

‘ତାକୁ ତୁ ବିବାହ କରିବାକୁ ଇଚ୍ଛା କରୁ ?’

 

‘ସେ ପ୍ରଶ୍ନ ଉଠେ ନା ।’

 

ଯାଦବ କଥାଟା ବୁଝିପାରିଲା ନାହିଁ । ସେ କହିଲା, ‘ତେବେ କଥା କ’ଣ ମୁଁ ବୁଝିପାରୁନି-। ତାକୁ ବାହା ହେବାରେ ବାଧା ତେବେ କ’ଣ ?’

 

‘ମୁଁ କିଛି କହିପାରିବି ନାହିଁ, ତୁମେ ମଧ୍ୟ ପଚାର ନାହିଁ ।’

 

ମୋହନ ବାହାରିଗଲା ।

 

ଯାଦବ ମୁଣ୍ଡ ଭିତରେ ସବୁ ଗଣ୍ଡଗୋଳ ହୋଇଗଲା । ସେ ବସି ବସି ଭାବିଲା । ସନ୍ଧ୍ୟାବେଳକୁ ଯେତେବେଳେ ମିନତି ତା ପାଖକୁ ଦୁଧ ଆଉ ଜଳଖିଆ ନେଇ ଆସିଲା, ସେ ମିନତିକୁ କହିଲା–

 

‘ମିନି, ଗୋଟାଏ କଥା ପଚାରିବି ।’

 

ମିନତି ଠିଆହୋଇ ରହିଲା ।

 

‘ମିନି’ ସେ କହିଲା, ‘ତୁମେ ଜାଣିଚ ତ ତୁମ ମା’ଙ୍କୁ ବୋଉ କଥା ଦେଇଛନ୍ତି ଯେ ତୁମକୁ ଆମ ଘରକୁ ବୋହୂ କରି ଅଣାହେବ !’

 

ମିନତି ଫେରି ପଳାଇ ଆସୁଥିଲା । ଯାଦବ ତା’ ହାତ ଧରି ପକାଇଲା । ସେଇ ହାତ ଧରି ପକାଇବାଟାରେ କ'ଣ ଥିଲା କେଜାଣି, ମିନତିର ଗୋଡ଼ ଚଳିଲାନି ।

 

ସେ ଜାଣିଥିଲା ଯାଦବ ସହିତ ତାର ବିବାହର ସବୁ ଠିକ୍‍ ହୋଇ ସାରିଛି । ତେଣୁ କରି ଅନେକ ସମୟରେ ତାର ବୋଉ ତାକୁ ୟାଙ୍କ ଘରକୁ ପଠାଇ ଦିଅନ୍ତି, ଆଉ ମାଧବୀ ଦେବୀ ମଧ୍ୟ ଯାଦବ ପାଖକୁ କୌଣସି ନା କୌଣସି କାମରେ ପଠାନ୍ତି ।

 

ସେ ଆସେ, କିନ୍ତୁ ଯାଦବ ତା ସହ ବିଶେଷ କଥାବାର୍ତ୍ତା କରେନା । ସେ ମନେ ମନେ ଆହତ ହୁଏ, କିନ୍ତୁ ପୁଣି ଆସେ, ପୁଣି କଥା କହେ । ହେଲେ ତାର କୋମଳ ମନ ଯାହା ଚାହେଁ ତା ପାଏନା । ସେ ଚାହେଁ ଆଳାପ, ସମ୍ଭାଷଣ, ବେଳେ ବେଳେ ଟିକିଏ ନିଷ୍ପେଷଣ–ସେ ବରାବର ଦୀର୍ଘ ନିଶ୍ଵାସ ଛାଡ଼ି ଚାଲିଯାଏ...ତଥାପି ଆଶା ରଖେ...ସ୍ଵପ୍ନ ଦେଖେ...

 

ଆଜି ତା ଦେହରେ ଗୋଟାଏ ନୂତନ ପୁଲକ ଦେଖାଦେଲା, ତା ଦେହରେ ଗୋlଟାଏ ଶିହରଣ ଦେଖା ଦେଇ ତାକୁ ସୁବୀର କରି ପକାଇଲା ଗୋଟାଏ ମହମ ପିତୁଳା ପରି–ଯେଉଁ ଆଡ଼କୁ ବଙ୍କେଇ ଦେଲେ ସତେ ଯେପରି ସେ ବଙ୍କେଇଯିବ ।

 

ଯାଦବ ଆଖିରେ ଦୁଷ୍ଟାମି ଥିଲା । ତାର ଦେହ ଥରୁଥିଲା । ତାର ହାତ କମ୍ପୁଥିଲା । ତାର ଛାତି ଭୀତରଟାରେ ମଧ୍ୟ ହାତୁଡ଼ିର ପାହାର ପଡ଼ୁଥିଲା ।

 

ମିନତିକୁ ଭଲ ଲାଗିଲା ଏସବୁ.....

 

ଆଜି ଯାଦବ କଥା କହିଛି । ବହୁତ ବିଳମ୍ବରେ କହିଛି । ତଥାପି କହିଛି....

 

ମୋହନ ଏତିକି ବେଳକୁ ଘର ଭିତରକୁ ପଶି ଆସିଲା । ଏବଂ ମିନତିକୁ ଦେଖି କହିଲା, ‘ମିନି, ଗଲୁ ମୋ ପାଇଁ ପାଣି ଗିଲାସେ ଆଣିବୁ ।’

 

ମିନତି ଥରେ ଯାଦବ ମୁହଁକୁ ଅନାଇଲା, ତାପରେ ମୋହନ ମୁହଁକୁ ଅନାଇଲା । ମୋହନ ମୁହଁ କିପରି ରୁକ୍ଷ ଓ କଠିନ ଦିଶୁଥିଲା, ଆଉ ଯାଦବର ମୁହଁ ଦିଶୁଥଲା ରକ୍ତହୀନ, ତା ମୁହଁରେ ଭାଷା ନ ଥିଲା–ଆହା ବିଚାରା !

 

ମିନତି ପାଣି ଆଣିବାକୁ ଚାଲିଗଲା । ତାର ବର୍ତ୍ତମାନ ମାନସ-ଚକ୍ଷୁ ଆଗରେ ଭାସି ଉଠିଲା ଗୋଟାଏ ଦୃଶ୍ୟ–ସେଇ ଦୃଶ୍ୟ ଭିତରେ ଠିଆ ହୋଇଥିଲା ସେ ନିଜେ ଦୁଇ ଜଣଙ୍କ ମଝିରେ, ଦୁଇଟି ଭାଇ ମଝିରେ । ଜଣକ ଆଖିରେ ଭାଷା ଥିଲା, ନୀରବତା ଭିତରେ ମଧ୍ୟ ଥିଲା ଅପେକ୍ଷା । କଥା କହୁ ନଥିଲେ ମଧ୍ୟ ଥିଲା ତା ଅନ୍ତର ଭିତରେ ଏକ ଅପୂର୍ବ ସଙ୍ଗୀତର ଝଙ୍କାର–ଏବଂ ଆଉ ଜଣକ ଜାଣିଥିଲା କହିବାକୁ, କେତେବେଳେ ଅବା କାନ ଧରିବା ଭିତରେ, କେତେବେଳେ ଅବା ପିଠିରେ ହାତ ବୁଲାଇ ଦେବା ଭିତରେ ସେ ଦେବାକୁ ଜାଣିଥିଲା ଶିହରଣ, ପୁଲକ, ଯାହା ତା ବୟସରେ କାମ୍ୟ, ଅତି କାମ୍ୟ.....

 

ମୋହନ କହିଲା, ‘ଦେଖ, ମିନତିଠୁ ଦୂରେଇ ରୁହ, ନ ହେଲେ, ନ ହେଲେ ମୁଁ ଜାଣେ ନା କ’ଣ ହେବ....’

 

ଯାଦବ ଅନୁଭବ କଲା ମୋହନ କଥାରେ କିଛି ଧମକ ନ ଥିଲା, ଅନୁରୋଧ ଥିଲା ଯଦିବା, କିନ୍ତୁ ସେ ଦେଖିଲା ମୋହନ ମୁହଁକୁ, ମୋହନର ମୁହଁ କରୁଣ ଦିଶୁଥିଲା । ଆଉ ତା’ ଛଡ଼ା ସେ କିଛି ପିଇଥିଲା ବୋଧହୁଏ । ଯାଦବ କିଛି ବୁଝିପାରିଲା ନାହିଁ ।

 

ଏଗାର

 

ତା ପରଦିନ ସକାଳୁ ଉଠି ଯାଦବ ମୋହନକୁ ଡାକି କହିଲା, ‘ମୋହନ, ତୋ’ରି କେତେକ ବନ୍ଧୁଙ୍କ ପାଖରୁ ଗୋଟାକେତେ କଥା ଶୁଣିଲି, ତେଣୁ ପଚାରିବାକୁ ପଡ଼ିଲା, ତୋ ଭଲ ମନ୍ଦ ଦୃଷ୍ଟିରୁ ଯେତେ, ଆମ ସମସ୍ତଙ୍କର ଭଲ ମନ୍ଦ ଦୃଷ୍ଟିରୁ ମଧ୍ୟ ସେତେ ?

 

‘କ’ଣ’ ?

 

‘ମୁଁ ଶୁଣୁଛି ତୁ ଆଜିକାଲି ପିଇବାକୁ ଆରମ୍ଭ କଲୁଣି ?’

 

‘ସେଟା ତ ଅତି ପୁରୁଣା କାହାଣୀ, ନୂଆ କଥା ଆଉ କ’ଣ ?’

 

‘ମୁଁ ନୂଆ ଶୁଣିଲି ।’

 

ମୋହନ ମୁଣ୍ଡ ହଲାଇଲା, କାନ୍ଧ ସଙ୍କୁଚିତ କଲା ବେପରୁଆ ଭାବରେ ।

 

‘ବାପା ପଡ଼ିଛନ୍ତି, ଅନ୍ତତଃ ତାଙ୍କ ଭଲ ପାଇଁ ଆମେ ଭଲ ହେବା, ସଂଯତ ଜୀବନ ଯାପନ କରିବା ଉଚିତ ନୁହେଁ କି ?’

 

ଯାଦବ ବହୁତ କଥା କହିଲା, ବହୁତ ବୁଝାଇଲା । ମୋହନ ଶେଷକୁ କହିଲା, ମୁଁ ସବୁ ଜାଣେ, ସବୁ ବୁଝେ; କିନ୍ତୁ କେଜାଣି କାହିଁକି କିଛି କରିପାରେ ନା, ମୋ ଜୀବନରେ ଆନନ୍ଦ ନାହିଁ, ଆଦର୍ଶ ନାହିଁ–ଅନ୍ତତଃ ତୁମେମାନେ ଯେପରି ଜୀବନକୁ ଗ୍ରହଣ କରିଛ । ମୁଁ ମୋର ଜୀବନ ଯାପନ କରିବାକୁ ଚାହେଁ । ଯଦି ପରିବାର ପାଇଁ, ସମାଜ ପାଇଁ ମୁଁ ଅନୁପଯୁକ୍ତ ହେଲି ତେବେ ବରଂ ତା’ଠୁ ଦୁରେଇ ଯିବି । କିନ୍ତୁ ମୋର ବ୍ୟକ୍ତିଗତ ଜୀବନକୁ ଗୋଟାଏ ଧାରାବାହିକ ସ୍ରୋତରେ ଭସାଇ ଦେଇପାରିବି ନାହିଁ ।’

 

‘ଏଇ ଧାରାବାହିକ ଜୀବନରେ ଶାନ୍ତି ସବୁଠୁ ବେଶୀ ମିଳେ ଯଦି ତୁ ତାକୁ ଗ୍ରହଣ କରିନେଇ ପାରୁ ।’

 

‘ମୁଁ ପାରୁନି ।’

 

‘ଚେଷ୍ଟା କର ! ଦେଖିବୁ ସଂସାରଟି କେତେ ଭଲ, କେତେ ସୁନ୍ଦର ହୋଇଯିବ ।’

 

‘ଚେଷ୍ଟା କରିଛି, କଠିନ ଚେଷ୍ଟା କରିଛି, କିନ୍ତୁ ହୋଇପାରିନି । ଆଉ ଯେତେ ଚେଷ୍ଟା କରିଛି ମୁଁ ସେତେ ପାଗଳ ହୋଇଉଠିଛି, ସେତେ ନୂତନତା ଖୋଜି ବୁଲିଛି–ଆଇ ଓ୍ୟାଣ୍ଟ କିକ୍‍ସ ଆଉଟ୍‍ ଅଫ୍‍ ଲାଇଫ୍‍ ।’

 

‘କିନ୍ତୁ ସେଥିରେ ମଧ୍ୟ ରିସ୍କ ଅଛି–ୟୁ ମେ ବି କିକ୍‍ଡ଼୍‍ ଆଉଟ୍‍ ଅଫ୍‍ ଲାଇଫ୍‍ ।’

 

‘ବରଂ ସେଇ ଭଲ ।’

 

‘ଜୀବନକୁ ଚଞ୍ଚଳ ସାରିଦେବାକୁ ଯେଉଁମାନେ ବସନ୍ତି, ସେମାନେ କିଛି କରିପାରନ୍ତି ନାହିଁ-।’

 

‘କିଛି ଗୋଟାଏ କରିବା, ସେଟା କଅଣ ଖୁବ୍‍ ବେଶୀ ଦରକାର ? ଆଉ କିଛି କଲେ କ’ଣ ଏ ଦେଶରେ ତା’ର ମୂଲ୍ୟ ମିଳେ ?’

 

‘ମିଳେ ନାହିଁ ବୋଲି କିଏ କହିଲା ? ବରଂ ମୁଁ କହିବି ଯେ କିଛି ଗୋଟାଏ କରିବାକୁ ଆମେ ଜାଣିନୁ, ତେଣୁ ଆମେ ପାରିଶ୍ରମିକ ଠିକ ଭାବରେ ପାଉନା ।’

 

‘କିନ୍ତୁ ଅଳ୍ପ ପରିଶ୍ରମରେ ବହୁତ ଲୋକ ବେଶୀ ପାରିଶ୍ରମିକ ପାଉଛନ୍ତି ।’

 

Unknown

‘ତୁମକୁ ପାଇବାକୁ କେହି ମନା କରିନି, ଗଣତାନ୍ତ୍ରିକ ରାଜ୍ୟରେ ରୋଜଗାର କରିବା ପାଇଁ, ବେଶୀ ରୋଜଗାର କରିବା ପାଇଁ କୌଣସି ବାଧା ନାହିଁ ।’

 

ମୋହନ କାନ୍ଧ ସଂକୁଚିତ କଲା ।

 

ଯାଦବ ଦେଖିଲା ମୋହନ କିପରି ବଦଳି ଯାଇଛି, ଆଉ ମଧ୍ୟ ବଦଳି ଯାଉଛି । ସେ କହିଲା, ‘ଯା, ଭାବି ଦେଖ, ଅନ୍ତତଃ ଆମେ ଯେ ଆଉ ଦୁଇ ଜଣ ଭଇ ଭଉଣୀ ଅଛୁ, ବାପା ରୁଗ୍‍ଣ ହୋଇ ପଡ଼ିଛନ୍ତି, ବୋଉ ଅଛନ୍ତି– ତତେ ଖୋଇ ପେଇ ସ୍ନେହ ଦେଇ ବଡ଼ କରିଛନ୍ତି, ଏମାନଙ୍କ ଦୃଷ୍ଟିକୋଣରୁ ତୁ ଯଦି ତୋର କର୍ତ୍ତବ୍ୟ ଠିକ୍ କରିନେଉ, ତେବେ ଆମର ଦୁଃଖିତ ହେବାର କିଛି ନାହିଁ-।’

 

ମୋହନ ଧୀରେ ଧୀରେ ବାହାରିଗଲା । ଯାଦବ ଥରେ ଭାବିଲା ତାକୁ ଡାକିବ, ଆଉ ପଚାରିବ କାହିଁକି ସେ ତାକୁ ମିନତି ସହିତ ସଂଶ୍ରବ ତ୍ୟାଗ କରିବାକୁ କହୁଛି । କିନ୍ତୁ ମୋହନର ଏ ପ୍ରକାର ମାନସିକ ଅବସ୍ଥା ଭିତରେ ତା ମୁହଁରୁ ଯେ କଥା ବାହାରିବ ସେପରି ଆଶା କରିବା ବୃଥା ।

 

ସେ ହାତ ପାପୁଲି ଦୁଇଟିକୁ ଘଷିଲା, ବିକଳ ଭାବରେ ଚାରିଆଡ଼କୁ ଅନାଇଗଲା– ହଠାତ୍ ଦୁର୍ବଳ ଅନୁଭବ କରି ତାର ଚୌକିଟି ଉପରେ ବସିଲା । ଠିକ ଏତିକି ବେଳେ ସେ ଦେଖିଲା ତା କକ୍ଷଟି ଆଗ ଦେଇ ଶ୍ୟାମଳୀ ଯାଉଛି । ସେ ତାକୁ ଡାକିଲା ।

 

ଶ୍ୟାମଳୀ ଆସି ଭାଇର ଅବସ୍ଥା ଦେଖି କହିଲା–‘ତୁମର ଦେହ ଭଲ ନାହିଁ କି ?’

 

ଶ୍ୟାମଳୀ ଯାଦବ ମୁଣ୍ଡରେ ହାତ ଦେଲା । ଉତ୍ତାପ ନ ଥିଲା । କିନ୍ତୁ ତା ହାତର ସ୍ପର୍ଶରେ, ସ୍ନେହର ସ୍ପର୍ଶରେ ଯାଦବର ଛଳ ଛଳ ଆଖିରେ ଲୁହର ବନ୍ୟା ଦେଖାଦେଲା ।

 

‘କାନ୍ଦୁଚ କାହିଁକି ?’

 

‘ମୋ ତରଫରୁ ତୁମେ କେବେ ସ୍ନେହର ଅଭାବ ଦେଖିଛ, ତୁ ଆଉ ମୋହନ ?’

 

ଶ୍ୟାମଳୀ ଏ ପ୍ରଶ୍ନ ଆଶା କରି ନ ଥିଲା ।

 

‘କହ !’

 

‘ନା ତ, କିଏ କହିଲା ? ତୁମର ଏମିତି ଧାରଣା କାହିଁକି ହେଲା ।’

 

‘ସମସ୍ତଙ୍କର ଭଲ ପାଇଁ ତୋର ତ କର୍ତ୍ତବ୍ୟ ଅଛି ଶ୍ୟାମଳୀ, ଆମର ପରିବାରର ଅନ୍ୟାନ୍ୟ ସମସ୍ତଙ୍କ ପାଇଁ ?’

 

‘ହଁ’–ଆକାଶ ପାତାଳ ଭାବି ଶ୍ୟାମଳୀ କହିଲା ।

 

‘ମୋହନର ତ ଅଛି ?’

 

‘ହଁ’–ପୁଣି ନୂତନ ଚିନ୍ତା ଦେଖାଦେଲା ଶ୍ୟାମଳୀ ମନରେ ।

 

ମାଧବୀଦେବୀ ଏତିକି ବେଳକୁ ଆସି ପହଞ୍ଚି କହିଲେ, ‘ଯାଦବ, ବାପାଙ୍କୁ ଯାଇ ଟିକିଏ ଦେଖ ତ, ତାଙ୍କ ଅବସ୍ଥା କିପରି ଭଲ ଜଣା ଯାଉ ନାହିଁ ?’ ତାଙ୍କ ଆଖିରେ ପଡ଼ିଲା ଯାଦବ ଆଖିରେ ଲୁହ । ସେ ପଚାରିଲେ, ‘କିରେ କାନ୍ଦୁଚୁ ନା କଅଣ ?’

 

‘ନା ମା ସର୍ଦ୍ଦି ହୋଇଛି'–କହି ଯାଦବ ବାହାରିଗଲା ।

 

‘କଅଣ ହୋଇଛି କି ଶ୍ୟାମଳୀ, କାନ୍ଦୁଥିଲା ?’

 

‘ହଁ ।’

 

‘କାହିଁକି ?’

 

‘ମୁଁ କିଛି ବୁଝି ପାରିଲି ନାହିଁ । ଅଳ୍ପ ସମୟ ଆଗରୁ ସାନଭାଇ ସାଙ୍ଗରେ କ’ଣ କଥାବାର୍ତ୍ତା କରୁଥିଲେ । ବୋଧହୁଏ ସେ କଅଣ କହିଥିବେ ।’

 

‘ତୁ କିଛି କହିନୁ ତ ?’

 

ଶ୍ୟାମଳୀ ଆହତ ଅନୁଭବ କଲା ।

 

‘ସେ କଥା ତାକୁ ପଚାରିଥିଲେ ଭଲ ହୋଇଥାନ୍ତା –’

 

କହି ଶ୍ୟାମଳୀ ଫଣ ଫଣ ହୋଇ ବାହାରିଗଲା ବାପାଙ୍କ ପାଖକୁ ।

 

ତା ଯିବା ବାଟକୁ ଚାହିଁ ମାଧବୀ ଦେବୀ ଦୀର୍ଘ ନିଶ୍ଵାସ ଛାଡ଼ିଲେ ଏବଂ ସେ ମଧ୍ୟ ତା’ରି ପଛେ ପଛେ ଆସି ପହଞ୍ଚିଲେ ବ୍ରଜମୋହନ ବାବୁଙ୍କ ଶଯ୍ୟା ପାଖରେ ।

 

ରଘୁନାଥ ବାବୁ ଯାଦବକୁ ଗୋଟାଏ ଆଡ଼କୁ ନେଇ କହୁଥାନ୍ତି ‘ଅବସ୍ଥା ସେମିତି ଭଲ ନୁହେଁ । ଡାକ୍ତରଙ୍କୁ ଡାକିବା ପାଇଁ ଶୀଘ୍ର ବାହାରିଗଲେ ଭଲ ହନ୍ତା ।’

 

ଯାଦବ ଯାଇ ବାପାଙ୍କ ପାଖରେ ଠିଆ ହେଲା.....

 

...ଏଇ ତାର ବାପା, ନିଜ ଦେହରୁ ରକ୍ତ ଦେଇ, ମାଂସ ଦେଇ, ନିଜ ରୋଜଗାରରୁ ତାଙ୍କୁ ମଣିଷ କରିଛନ୍ତି । ଦିନେ ଅଧେ ବଡ଼ ହୋଇ ତାର ପଢ଼ାଶୁଣା ବିଷୟରେ ତା ସହିତ କଥାବାର୍ତ୍ତା କରିଥିବେ । ଯାଦବ ତାଙ୍କ ଆଗକୁ ଆସିବାକୁ ଭୟ କରୁଥିଲା–ଭୟ ଠିକ ନୁହେଁ, ଭଲ ଲାଗୁ ନ ଥିଲା । ତାର ବୟସ ବଢ଼ିବା ସହିତ ସେ ଦୂରେଇ ଯାଇଥିଲା; କିନ୍ତୁ ତାଙ୍କର ଏଇ ଅସହାୟ ଅବସ୍ଥା–ସେ ଡାକି ଉଠିଲା–‘ବାପା, ବାପା’ ।

 

ବ୍ରଜମୋହନ ବାବୁ ଭିଡ଼ିମୋଡ଼ି ହେଉଥିଲେ, ସେ ସ୍ଥିର ହୋଇଗଲେ ସାମାନ୍ୟ । ଯାଦବ ବୁଲିପଡ଼ି ସେମିତି ବାହାରିଗଲା ଡାକ୍ତର ଡାକିବା ପାଇଁ...।

 

ବାର

 

ମୋହନ ଯାଦବ କକ୍ଷରୁ ବାହାରି ଆସି ରାସ୍ତାରେ ଓହ୍ଲାଇଲା । ଯାଦବ ସହିତ ତାର ଯାହା ସାମାନ୍ୟ କଥାବାର୍ତ୍ତା ହୋଇଥିଲା, ତାହା ତା’ ମନରେ ଏକ ଅସ୍ଵାଭାବିକ ପ୍ରଭାବ ପକାଇଲା । ଆଜି ବାପା ଅସୁସ୍ଥ । ତେଣୁ ଯାଦବ ବର୍ତ୍ତମାନ ଗୃହକର୍ତ୍ତାର ଆସନ ଦଖଲ କରି ବସିଛି, ତେଣୁ ବେଶ ଦୁଇ ଚାରିପଦ ଉପଦେଶ ଦେଇଦେଲା ।

ସେ ଯାଇ ତାର ନିତିଦିନିଆ ରେସ୍ତୋରାଁରେ ବସି ଗୋଟାଏ ପରେ ଆଉ ଗୋଟାଏ କଫି ପିଇ ଗୋଟାଏ ସିଗାରେରେ ନିଆଁ ଲଗାଇଲା ।

ଗୁଜୁରାଟୀ ଦୋକାନୀ ତାକୁ କହିଲା, ‘ବାବୁଜୀ, ତୁମର ଉମର ଏତେ କମ ଅଛି, ଆଉ ଆପ୍‍ ଏତେ ସିଗାରେଟ ଟାଣୁଛି, ଏ ଭଲ ନାହିଁ ।’

ମୋହନ ଉଠି ଠିଆହୋଇ କହିଲା, ‘ପଇସା କେତେ ହେଲା ?’

‘ମାଲୁମ ନେହିଁ ?’ ଗୁଜୁରାଟୀ ଦୋକାନଦାର ହସି କହିଲା ।

ମୋହନ ପଇସା ଦେଇ ଚାଲିଯିବା ପରେ ସେ କହିଲା, ‘ଛୋକରା ବାବୁ କିନା, ଶିର ବହୁତ ଗରମ ।’

ବାହାରକୁ ବାହାରି ଆସି ସାଇକଲ ଖଣ୍ଡିକ ଧରି କୁଆଡ଼କୁ ଯିବ ଭାବୁଛି, ଏତିକିବେଳେ ଅଧ୍ୟାପକ ରାଓଙ୍କ ହାବୁଡ଼ରେ ପଡ଼ିଲା ।

ସେ କହିଉଠିଲେ, ‘ଆରେ, ହେଲୋ ୟଙ୍ଗ ମେନ୍‍, ଏଥର ବି.ଏସ.ସିରେ ନାମ ଲେଖାଇଛ ରେଜିଷ୍ଟରରୁ ଦେଖିଲି, କିନ୍ତୁ କ୍ଲାସକୁ ଆସୁନ ! କଅଣ ମେଡିକେଲ କିମ୍ବା ଇଞ୍ଜିନିଅରିଂରେ ଚେଷ୍ଟା ଚାଲିଛି ?’

‘ନା ସାର’, ମୋହନ କହିଲା ।

‘ତେବେ ରେଗୁଲାର ହେବା ଉଚିତ ।’

ମୋହନ କିଛି କହିଲା ନାହିଁ ।

‘କିଛି କହୁନ ଯେ ?’

‘କିଛି କହିବାର ନାହିଁ’ ମୋହନ କହିଲା । ‘ମୁଁ କଲେଜରେ ନାମ ଲେଖାଇଛି କାରଣ ନାମ ଲେଖାଇବା ଛଡ଼ା ମୋର ଅନ୍ୟ ଉପାୟ ନଥିଲା । ଭାଇ ଓ ମା’ଙ୍କ ଇଚ୍ଛା ମୁଁ ପଢ଼େ, କିଛି ଗୋଟାଏ ପଢ଼େ । କିନ୍ତୁ ମୋର କଲେଜକୁ ଆସିବାର ମୋଟେ ଇଚ୍ଛା ନାହିଁ ।

‘କାରଣ ?’

‘ବାପା ବର୍ତ୍ତମାନ ଶଯ୍ୟାଗତ । ଭାଇ ରୋଜଗାର କେତେ । ଆଉ ତା ଛଡ଼ା ସେ ପଇସାରୁ କିଛି ନେବାପାଇଁ ମୋର ଇଚ୍ଛା ନାହିଁ ।’

‘ନିଜେ ନିଜ ଗୋଡ଼ରେ ଠିଆହେଲେ ତାଙ୍କୁ ଦେଇଦେବ ।’

‘ସେ ନେବ ନାହିଁ’

‘ତା’ର ପୁଅ ଝିଅଙ୍କୁ ଦେବ !’

‘ସେ ତ ବହୁତ ବିଳମ୍ବ !’

ମଣିଷର ଜୀବନ ଏତେ ସଅଳ ସଅଳ ସରିଯାଏ ଯେ ମଣିଷ କିଛି କରିବା ଆଗରୁ, କିଛି କରିପାରିବା ଆଗରୁ ମରିଯାଏ । ତେଣୁ ବର୍ତ୍ତମାନ କିଛି କରିବାକୁ ଆରମ୍ଭ କରିଦିଅ, ମେକ ହେ’ ହ୍ଵାଇଲ ଦି ସନ୍ ସାଇନ୍‍ସ୍‍ ।’

‘ସେଇଆ ହିଁ ଠିକ କରିଛି ସାର ।’

‘କଅଣ କରିବ ବୋଲି ଭାବିଛ ?’

‘ଏୟାର ଫୋର୍ସରେ ଯିବା ପାଇଁ ବନ୍ଦୋବସ୍ତ କରୁଛି । ଇଟ୍‍ ଇସ୍ ଏ ମେଟର୍‍ ଅଫ୍ ଡେ’ସ୍ ।’

‘ଗୁଡ୍‍, କିନ୍ତୁ ଜୀବନ କେତେବେଳେ ଯିବ, ତାର ଠିକଣା ନାହିଁ । ବର୍ତ୍ତମାନ ମଧ୍ୟ ଏକ୍‍ସପେରିମେଣ୍ଟ ଚାଲିଛି–ଯେଉଁ ମେସିନ୍ ଗୁଡ଼ିକ ବାହାରିଛି ସବୁଗୁଡ଼ିକ ଦୋଷଯୁକ୍ତ ବୋଲି ମନେହୁଏ, ପ୍ରତ୍ୟେକ ଦିନ ପ୍ରାୟ ଖବର କାଗଜରେ ଦେଖିବ ଏକ୍‍ସିଡ଼େଣ୍ଟ ।’

‘ଜୀବନଟା ତ ଦିନେ ଯିବ ସାର,ଏତେ ଭୟ କଲେ ଚଳିବ କାହିଁକି ! ତାହେଲେ ଦେଶପାଇଁ କେହି କଅଣ ଲଢ଼ିବାକୁ ଯିବେ ନାହିଁ ?’

‘ସେଇଠି ଅଛି ମଣିଷପଣିଆ–ଆମେ ତାଙ୍କରି ସକାଶେ ବଞ୍ଚୁ । ସେମାନେ ମରନ୍ତି, ତେଣୁ କରି ଆମେ ବଞ୍ଚୁ । ଉଇସ୍ ୟୁ ଲଙ୍ଗ୍ ଲାଇଫ୍‍ ୟଙ୍ଗ ମେନ୍ । ତଥାପି ଭାବି ଦେଖ ସେଇଆ କରିବା ଉଚିତ ହେବ କି ନାହିଁ ତୁମ ଫେମିଲି ଦୃଷ୍ଟିକୋଣରୁ ।’

ଅଧ୍ୟାପକ ସାଇକେଲରେ ଚଢ଼ି ବାହାରିଲେ । ମୋହନ ଆଉ ଥୋଡ଼ାଏ ବେଳ ଆଗେଇଛି ମଧୁ ସହିତ ତାର ଦେଖା ହେବା ମାତ୍ରକେ ମଧୁ ଆଗେଇ ଆସି କହିଲା–

‘ତତେ ଖୋଜୁଥିଲି ମୋହନ ?’

‘କିଛି ଉପଦେଶ ଦେବାର ଅଛି ତ ଦେ’ନା, ଆଉ ଯାହା କହିବାର ଅଛି କହ ।’

‘ମାନେ ?’ ମଧୁ କିଛି ବୁଝି ନ ପାରି କହିଲା ।

ଗୋଟାଏ ଅଦ୍ଭୂତ ହସ ହସି ମୋହନ କହିଲା, ‘ଅତି ସରଳ । ଆଜି ସକାଳୁ ଉଠି ଏତିକି ଉପଦେଶ ଶୁଣିଲିଣି ଯେ, ମୋ ମୁଣ୍ଡ ଭିତରଟା ଗୋଟାଏ ଭେକ୍ୟୁୟମ ହୋଇଗଲାଣି ।’

‘ଓ’ ମଧୁ କହିଲା, ‘କିନ୍ତୁ ଉପଦେଶ ଦେଲାବାଲାମାନଙ୍କ ବିଷୟରେ ପଦେ ଅଧେ କହିଥିଲେ ଭଲ ହୋଇଥାନ୍ତା ।’

‘ପ୍ରଥମେ ଭାଇ, ତା’ପରେ ଚାହା ଦୋକାନୀ, ତା’ପରେ ଅଧ୍ୟାପକ ରାଓ, ଆଉ ତା’ପରେ ତ ତୋ ସହିତ ଦେଖା ।’

‘ଚାହା ଦୋକାନୀ କଥା କହି ପାରୁନି, ଅନ୍ୟମାନେ କିନ୍ତୁ ଏପରି କିଛି କହି ନ ଥିବେ, ଯେଉଁଥିରେ ତୋର ଆହତ ଅନୁଭବ କରିବାର କାରଣ ଅଛି ।’

‘ଅଯାଚିତ ଭାବରେ ଉପଦେଶ ମତେ ଭଲ ଲାଗେ ନା । ଆଇ ହେଟ୍‍ ଇଟ୍‍ । ମୋ ମୁଣ୍ଡ ଉପରକୁ ରକ୍ତ ଉଠିଆସେ, ହୃତକ୍ରିୟା ବନ୍ଦ ହୋଇଗଲା ପରି ଜଣାପଡ଼େ ।’

‘ଏତେ ସେନ୍‍ସିଟିଭ ହେବା ଉଚିତ ନୁହେଁ ।’

‘ମୁଁ କେଲସ୍ ହୋଇ ପାରେନା, ଇଟ୍‍ ଇଜ୍ ନଟ୍‍ ମାଇଁ ନେଚର । ସେ ସବୁ କଥା ଛାଡ଼, ଚାଲ ଗୋଟାଏ କୁଆଡ଼େ ଯିବା ।’

‘କୁଆଡ଼େ ?’

‘ଯେ କୌଣସି ଜାଗାକୁ ଚାଲ, ଗୁଡ଼ିଏ ବୁଲି ବୁଲିଲେ ମୁଣ୍ଡଟା ଶାନ୍ତ ହୋଇଆସିବ ।’

‘କଲେଜ ବେଳ ହେଇନି, ନହେଲେ କଲେଜ ଆଡ଼େ ଗଲେ ହୋଇଥାନ୍ତା ।’

ଥୋଡ଼ାଏ ବେଳ ନୀରବରେ ସେମାନେ ଚାଲିଲେ । ମୋହନ ପଚାରିଲା, ‘ପଦ୍ମା ସାଙ୍ଗରେ ଦେଖା ହୁଏ ?’

‘ହଁ କାଲି ତ ମତେ ପଚାରୁଥିଲା–'

‘ପଚାରିଲା ?’

‘‘–ମଧୁବାବୁ, ତୁମର ବନ୍ଧୁଟି କାହାନ୍ତି ?’’

‘କଅଣ ଉତ୍ତର ଦେଲୁ ?’

‘କିଛି କହିପାରିଲି ନାହିଁ । ଭାରି ମୁଖରା ସେ, କଅଣ ନା କଣ କହି ଦିଅନ୍ତା ।’

‘କହିଲୁନି–ତମକୁ ଖୋଜିବା ପାଇଁ ମସ୍‍ଜିଦ ଗଳିକୁ ଯାଇଛି–’ ମୋହନ ପୁଣି କହିଲା, ‘ଆବେ ସେଇଟା କି ଉତ୍ତର ଦେବ ?’

‘ଭାଇ, ତୋ କଥା ଆଉ ମୋ କଥା ବହୁତ ତଫାତ୍ ।’

ମୋହନ କିଛି କହିଲା ନାହିଁ । ପ୍ରାୟ ଦଶଟା ବେଳକୁ ସେ ବୁଲି ବୁଲି ଘରକୁ ଫେରି ଦେଖିଲା, ଡାକ୍ତର ବସି ରହିଛନ୍ତି ବାପାଙ୍କ ପାଖରେ । ସମସ୍ତଙ୍କ ଆଖିରେ ଉତ୍କଣ୍ଠା । ସେ ଧୀରେ ଧୀରେ ଆସି ଠିଆ ହେଲା ।

ଡାକ୍ତର ତାକୁ ଧୀର କଣ୍ଠରେ କହିଲେ, ‘କିଛି କୁହନା’

ସେ ଥୋଡ଼ାଏ ବେଳ ସେଠି ଠିଆ ରହି ବାହାରକୁ ଗୋଡ଼ ଚିପି ବାହାରିଗଲା ଏବଂ ସେଠି ଠିଆହୋଇ ଶ୍ୟାମଳୀର ଦୃଷ୍ଟି ଆକର୍ଷଣ କରି ତାକୁ ଡାକିଲା । ଶ୍ୟାମଳୀ ଆସିଲା । ମାଧବୀ ଦେବୀ ମଧ୍ୟ ଆସିଲେ । ‘କଅଣ ହେଲା ପୁଣି ?’ ସେ ପଚାରିଲା ।

‘ବାପାଙ୍କ ଦେହ ହଠାତ୍ ବେଶୀ ଅସୁସ୍ଥ ହେଲା’ ଶ୍ୟାମଳୀ କହିଲା । ‘ତୁ ସକାଳୁ ଉଠି କୁଆଡ଼େ ଯାଇଥିଲୁ ?’

ମୋହନ କିଛି କହିଲା ନାହିଁ । ଏ ପ୍ରଶ୍ନଟି ମଧ୍ୟ ତାକୁ ଭଲ ଲାଗିଲା ନାହିଁ । ତାକୁ ଯେପରି ଜଣା ପଡ଼ିଲା ସମସ୍ତେ ତାର ଦୋଷ ଦେଖିବାକୁ ଚେଷ୍ଟା କରୁଛନ୍ତି ।

ରଘୁନାଥ ବାବୁ ଆସି ତାକୁ କୋମଳ ଭାବରେ କହିଲେ, ‘ବାପା, ଘରେ ଟିକିଏ ବେଶୀ ବେଳ ରହିଲେ ଭଲ ହନ୍ତା ନାହିଁ । ଦେଖୁଚ ତ ବାପାଙ୍କ ଅବସ୍ଥା ।’

ଆପଣମାନେ ତ ଅଛନ୍ତି, ଡାକ୍ତର ତ ଦେଖୁଛନ୍ତି, ମୁଁ ଅଧିକା କଅଣ କରନ୍ତି, ତା ଛଡ଼ା ଦେଖିଲେ ତ ଡାକ୍ତର ସେଠୁ ମତେ ବାହାର କରିଦେଲେ । ସେ ରୋଗ ଆଉ ଚିକିତ୍ସା ବିଷୟରେ ମୋଠୁ ଆଉ ଆପଣଙ୍କଠୁ ବେଶୀ ଜାଣନ୍ତି ।’

ମୋହନ ନିଜ କକ୍ଷକୁ ଚାଲିଗଲା ।

 

ତେର

 

ବ୍ରଜମୋହନ ବାବୁଙ୍କର ଦେହ କ୍ରମାଗତ ଭାବରେ ମନ୍ଦଆଡ଼କୁ ଗତି କଲା । ଡାକ୍ତର ଲାଗି ରହିଲେ । ଚିକିତ୍ସା ଏବଂ ଡାକ୍ତର ପଛରେ ଅଜସ୍ର ଅର୍ଥ ବ୍ୟୟ ହେଲା । ଏହି ଅର୍ଥବ୍ୟୟ ଆଉ ସଂସାରର ଯାବତୀୟ ଖର୍ଚ୍ଚ ସାମାନ୍ୟ ଘରଭଡ଼ା ଟଙ୍କା ଆଉ ଯାଦବର ଦରମାରୁ ଚଳିବା ଅସମ୍ଭବ । ମଟର ବିକ୍ରି ଟଙ୍କାରେ ହାତ ପଡ଼ିଲା ।

 

ମାଧବୀ ଦେବୀ ଜାଣିଲେ ବ୍ରଜମୋହନ ବାବୁ ଭଲ ହେବେ ନାହିଁ, ଯାଦବ ମଧ୍ୟ ଜାଣିଲା ଯେ ବାପା ଭଲ ହେବେ ନାହିଁ । ମୋହନ କେବଳ ନୀରବରେ ଖବର ରଖିଲା, ସବୁ ଶୁଣିଲା ଏବଂ ଯେତିକି ତା ଆଖିରେ ପଡ଼ିଲା ସେତିକି ଦେଖିଲା । ସେ କେବଳ ପ୍ରସ୍ତୁତ ହୋଇ ରହିଥିଲା ଡାକରା ଆସିବା ଯାଏ । ସବାଶେଷରେ ଡାକରା ଆସିଲା । ସେ ପତ୍ରପାଠ ବାହାରିବାପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ତାର ଯିବା ପାଇଁ ପନ୍ଦର ଦିନ ସମୟ ଥିଲା । ଆଉ, ତା’ଛଡ଼ା ଘରେ ଏପରି ଅବସ୍ଥାରେ ସେ କାହାକୁ କିପରି କହିବ ଯେ ସେ ଘର ଛାଡ଼ି ଚାଲି ଯାଉଛି–ଏଟା କହିବା ସମୟ ନୁହେଁ । ଆଉ ତା’ଛଡ଼ା ଏ ସୁଯୋଗ ମଧ୍ୟ ଛାଡ଼ିବା କଥା ନୁହେଁ । ତା ଆଖି ଆଗରେ ସବୁବେଳେ ଭାସିଉଠୁଥିଲା ସେଇ ମେଘ ଉପରର ଦୁନିଆ–ସେଠୁ ପୃଥିବୀ କିପରି ଦିଶେ, ସେ ସାଧାରଣ ଜ୍ଞାନରୁ ଯାହା ଜାଣିଥିଲା, ତାହା ମଧ୍ୟ ତାର କଳ୍ପନାକୁ ସାହାଯ୍ୟ କଲା । ସେ ଭାବିଲା ଏଇ ସୁନ୍ଦର ନୀଳ ଆକାଶର ନୀଳିମା କିପରି ସରି ସରି ଯାଇ ଆକାଶ, ନା, ଶୂନ୍ୟ କିପରି କଳା ହୋଇଉଠେ, ଗଭୀର କଳା ହୁଏ-। ତା'ଛଡ଼ା ଏଟା ମହାଶୂନ୍ୟ ଭିତରକୁ ଯିବାର ଯୁଗ ଆରମ୍ଭ ହେଲା ମାତ୍ର, ଆଉ ଦୁଇ ଚାରି ବର୍ଷ ପରେ ଆମ ଦେଶରେ ଆରମ୍ଭ ହେବ, ରକେଟ୍‍ ଆମ ଦେଶରେ ହେଲାଣି, ସୁପର୍ ସୋନିକ ପ୍ଲେନ ହେଲାଣି, କ୍ରମେ ଆମ ଦେଶ ଆଗେଇ ଚାଲିଛି, ଆଉ ଆଗେଇ ଯିବ । ବିଜ୍ଞାନାଗାର ଭିତରେ ବୈଜ୍ଞାନିକମାନେ କାମରେ ଲାଗି ପଡ଼ିଛନ୍ତି, ଅବିଶ୍ରାନ୍ତ ପରିଶ୍ରମ କରି ଚାଲିଛନ୍ତି–ପୁଣି ତାର କଳ୍ପନା ଫେରି ଆସେ, ସେ ପୁଣି ମନରେ ଭାବେ ବାପାଙ୍କ କଥା, ଶ୍ୟାମଳୀ କଥା, ଭାଇ କଥା, ବୋଉ କଥା । ପୁଣି ତା ଆଗରେ ଏକ ନୂତନ ଚିନ୍ତା ଦେଖାଦିଏ–ମିନତୀ.....ପୁଣି ବାପା, ହଁ ବାପାଙ୍କର ଅବସ୍ଥା ସାଂଘାତିକ|

 

ମିନତୀ ସବୁଦିନେ ଆସୁଥିଲା–ଗଲା ଦୁଇ ଚାରି ଦିନ ହେବ ଆସିନାହିଁ । ନା, ପ୍ରାୟ ଛ’ ଦିନ ହେବ କଥା କଅଣ ! ତା ମନରେ ଇଚ୍ଛା ହେଲା ତାକୁ ଦେଖିବା ପାଇଁ–ଇଚ୍ଛା ହେଲା ତାକୁ କହିବ ଯେ, ସେ ଏଥର ଗୋଟାଏ ପାଇଲଟ ହେବ । ଆକାଶରେ ଉଡ଼ିବ । ଯେତେବେଳେ ସେ ଶିଖିସାରି ଆସିବ ସେତେବେଳେ ତାକୁ ନେଇଯିବ ଆକାଶକୁ ଏଇ...ଏଇ ପୃଥିବୀକୁ ଦେଖାଇବା ପାଇଁ । ମୋହନ ଅନୁଭବ କଲା ଗୋଟାଏ କଅଣ ତାର ମନକୁ ମିନତି ଆଗକୁ ଟାଣି ନେଇ ଯାଉଛି-। ସେଇ ସାଧାରଣ ଝିଅ–ଆଜିକାଲିକାର ରୁଜ୍‍ ଲିପ୍‍ଷ୍ଟିକ୍‍ ଲଗା ଅଧର ବା ଗଣ୍ଡ ତାର ନାହିଁ-। ଦେଖିବାକୁ ସୁନ୍ଦରୀ ଯେ ଖୁବ୍, ତା ମଧ୍ୟ ନୁହେଁ, କଥା କହି ମନକୁ ଭୁଲାଇବାର ଯେ ଶକ୍ତି ତାର ଅଛି, ତା ନୁହେଁ–କିନ୍ତୁ ଝିଅଟିର ଆଖିରେ, ମୁହଁରେ, ଦେହରେ କିଛି, ହଁ, କିଛି ଗୋଟାଏ ଅଛି ଯାହା ତାକୁ ଟାଣି ନେଇ ଯାଉଛି –ତାର ଚିନ୍ତାକୁ ଟାଣି ନେଇ ଯାଉଛି । କାହିଁ ସେ ତ ଆଗରୁ ତା ଆଡ଼କୁ ଟାଣି ହୋଇ ଯାଉ ନଥିଲା ! ତାର ମନେପଡ଼ିଲା ସେଦିନ ଛାତ ଉପର କଥା–କି ଦୁର୍ବଳ ମୁହୂର୍ତ୍ତ–ମୋହନର ଦେହ ଶିହରି ଉଠିଲା । ନା, ନା, ତାର ଅନ୍ୟାୟ ହୋଇଛି । ମିନତିର ଦେହକୁ ମିନତିର ଦେହ ରୂପକ ମନ୍ଦିରକୁ ସେ ଅପବିତ୍ର କରିଛି, ତାର ସରଳତାକୁ ଉପଭୋଗ କରିଛି...ନା, ତାର ସରଳତାର ସୁଯୋଗ ସେ ଗ୍ରହଣ କରିଛି । ପୁଣି ମୋହନ ଦେହ ଭିତରେ ଗୋଟାଏ ଶିହରଣ ଖେଳିଗଲା । ହଁ–ସେଇ ମିନତି ସହିତ ତା ଭାଇର-ଯାଦବର ବିବାହ ପ୍ରସ୍ତାବ ଚାଲିଛି–ତା ମୁଣ୍ଡ ବୁଲାଇଗଲା–ଅସମ୍ଭବ, ମିନତି ସହିତ ତାର ବିବାହ ଅସମ୍ଭବ । ଆଉ କେହି ତାକୁ ବିବାହ କରୁ, ମିନତି ସୁଖୀ ହେଉ...ମିନତି ସୁଖୀ ହେଉ...ମିନତି ସୁଖୀ ହେଉ...।

 

ମିନତି ସହିତ ଶ୍ୟାମଳୀର ଚେହେରାଟା ତା ଆଖି ଆଗରେ ଭାସିଉଠିଲା–ହଁ, ସେ ବି ଗୋଟାଏ ଝିଅ, ତାର ନିଜ ଭଉଣୀ । ଯଦି ଆଜି ଆଉ ଜଣେ ଶ୍ୟାମଳୀକୁ ପ୍ରତାରିତ କରନ୍ତା, ଯେମିତି ସେ ଆଜି ମିନତିକୁ କରିବାକୁ ଯାଉଛି…..କଅଣ ହନ୍ତା, କଅଣ ହନ୍ତା–କିନ୍ତୁ ସେ କରିବ କଅଣ ? କହିବ ଯେ ସେ ମିନତିକୁ ବିବାହ କରିବ, ନିଜେ କରିବ ? ପାଇଲଟ ହୋଇସାରିଲା ପରେ । ନିଜ ଦରମାରେ ଦାମ୍ପତ୍ୟ ଜୀବନ ନିର୍ବାହ କରିପାରିବ, ତାର ଲୁଗାପଟା ସବୁ ସେ କିଣି ଦେଇପାରିବ, କିନ୍ତୁ ବଡ଼ ଭାଇର ହେବନି । ସେ ବର୍ତ୍ତମାନ ତାକୁ କିପରି ବିବାହ କରିବ ? କିପରି କହିବ ? ଲୋକେ କଅଣ କହିବେ ? ତା'ଛଡ଼ା ପାଇଲଟର ଜୀବନ, ଏଇ ଅଛି, ଆଉ ଏଇ ନାହିଁ । ପୁଣି ତା ଆଖି ଆଗରେ ଭାସି ଉଠିଲା ଗୋଟାକେତେ ଦୃଶ୍ୟ–ମିନତୀ ଚାହାକପ, କେତେବେଳେ ଜଳଖିଆ, କେତେବେଳେ ଦୁଧ ନେଇ ଠିଆ ହୁଏ ଯାଦବ ଆଗରେ । ତା ଆଖିରୁ, ତା ବ୍ୟବହାରରୁ ସେ ଜାଣେ, ସେ ଭଲ କରି ଜାଣେ ମିନତି ଭଲପାଏ ଯାଦବକୁ । ଆଉ ସେ ଯେ ତା ନିଜକୁ ତା ହାତକୁ ବଢ଼ାଇ ଦେଇଥିଲା ବିଚାର କରି, ଚିନ୍ତା କରି, ନିଷ୍ପତ୍ତି କରି, ତା ନୁହେଁ । ସେଟା ଥିଲା କ୍ଷଣକର ଦୁର୍ବଳତା, କ୍ଷଣକର ମୋହ, ନା, ସେ ଥିଲା କ୍ଷଣକ ପାଇଁ ମନଭିତରେ ଯେଉଁ ବ୍ୟର୍ଥତା ଆସିଥିଲା, ଯାଦବ ଲାଜକୁରା ହୋଇଥିବାରୁ, ସେଥିରେ ସେ ଭୁଲିଯାଇଥିଲା ନିଜକୁ, ତା’ରି ଏକ ଆତ୍ମପ୍ରକାଶ, ତାର ବ୍ୟର୍ଥତାର ଆତ୍ମପ୍ରକାଶ, ଏକ ଅଭିମାନ, ଏକ ଆକ୍ରୋଶ । ମୋହନ ଭାବିଲା...ନା...ନା, ଚିନ୍ତା କରି ଲାଭ ନାହିଁ–ଘରୁ ଚାଲିଗଲେ ଭଲ–ଶୀଘ୍ର ପଳାଇଯାଇ ପାରିଲେ ଭଲ । କି ଦରକାର ଅଛି, ମିନତିର ଭଲ ହେଲେ କେତେ, ମନ୍ଦ ହେଲେ କେତେ, କିଏ କାହାର ! କିନ୍ତୁ ଭାଇ ଯେ ତାକୁ ବିବାହ କରିବ ! ଏଥିରେ...ନା, ନା, ସେ ତା କରାଇଦେବ ନାହିଁ ।

 

ଶ୍ୟାମଳୀ ବସି ବସି ଭାବିଲା–ବାପାଙ୍କ କଥା, ବାପା, ହଁ ସେ ପରା କେତେ ସ୍ନେହ କରନ୍ତି ! ପିଲାଟି ଦିନରୁ ତାର ଗୋଟି ଗୋଟି ହୋଇ କେତେ କଥା ମନେପଡ଼ିଲା । କେବେ ସେ ତାକୁ କଅଣ ଆଣି ଦେଇଥିଲେ, ସେ କେବେ କେବେ କଅଣ କଅଣ ପାଇଁ ବାପାଙ୍କ ପାଖରେ ଅଳି କରିଥିଲା, ସବୁ ଘଟଣା ତାର ମନେ ପଡ଼ିଲା, ଆଉ ତା’ରି ଭିତରେ ତାର ମନେ ପଡ଼ିଲା ସୁକୁମାର କଥା–ସୁକୁମାର, କଅଣ ତାର ଦୋଷ ! କିନ୍ତୁ ବାପା ତାଙ୍କୁ ତାଙ୍କର ଜୋଇଁ କରିବାକୁ ଅମଙ୍ଗ । ଆଜିକାଲିର ସଂସାରରେ ସେ ଚାହାନ୍ତି ତାଙ୍କର ଜୋଇଁ ହେଇଥିବ ଗୋଟାଏ ଆଇ. ଏ. ଏସ୍. ଅଫିସର, କିମ୍ବା ଜଣେ ଇଞ୍ଜିନିୟର, କିମ୍ବା ଜଣେ ବିଲାତ ଫେରନ୍ତା ଡାକ୍ତର–ଯାହାର ଥିବ ଯଥେଷ୍ଟ ଟଙ୍କା, ମଟର ଗାଡ଼ି । କିନ୍ତୁ ମଣିଷ ହେବାକୁ, ମଣିଷ ଭାବରେ ବଞ୍ଚିବାକୁ କଅଣ ଦରକାର ଏସବୁ । ତାର କଅଣ ଦରକାର । ବୃହତ୍ତର ଗୋଟାଏ ଜୀବନ; ବୃହତ୍ତର ଉଦ୍ଦେଶ୍ୟ ମଣିଷର ଅଛି, ସେଥିପାଇଁ ଯେ ଚିନ୍ତା କରୁଛି, କରିବାକୁ ଚେଷ୍ଟା କରୁଛି, ସେଗୁଡ଼ିକୁ ଆଜିକାଲି କେହି ପଚାରୁନାହିଁ । କବି, ଲେଖକ, ଭାବୁକ ଏମାନଙ୍କର ମୂଲ୍ୟ ମଧ୍ୟ କିଛି ନାହିଁ । ତା ଛଡ଼ା ଏଇ ଲେଖକଗୁଡ଼ିକ, କଅଣ ଲେଖୁଛନ୍ତି ! ସୁରା, ସାକୀ ଆଉ ପାଉଁରୁଟିକୁ ଛାଡ଼ିଦେଲେ ଲେଖିବାକୁ କଅଣ କିଛି ନାହିଁ ? ତେଣୁ ସେମାନଙ୍କୁ ଯେ ଅବଜ୍ଞା କରାଯାଇଛି ଦୋଷ ଆଉ କଅଣ ! ତଥାପି ଏଇ ଲୋକଗୁଡ଼ିକ ଦରଦୀ, ସେମାନେ ଭାବନ୍ତି, ତାଙ୍କଠି ସ୍ନେହ ଅଛି; ସ୍ନେହ ନ ଥିଲେ କି ସେମାନେ କେବେ ଗୋଟାଏ ନଷ୍ଟଚରିତ୍ରକୁ ଅମରତ୍ୱ ଦାନ କରିପାରନ୍ତେ ତାଙ୍କରି ଲେଖନୀ ମୁନରେ ! ସେମାନେ ଭଲ ପାଇ ଜାଣନ୍ତି, ବିକାର ନାହିଁ ସେ ସ୍ନେହରେ, ବିକାର ନାହିଁ ତାଙ୍କର ଭଲ ପାଇବାରେ । ସେମାନେ ଦୁର୍ବଳ, ଆଉ ଏଇ ଦୁର୍ବଳତା ହେଉଛି ତାଙ୍କର ବିଶେଷତ୍ୱ । ଏଇ ଦୁର୍ବଳତା ଦେଶକୁ ସବଳ କରେ, ସାହିତ୍ୟକୁ ସମୃଦ୍ଧ କରେ, ଦେଶର ସାଂସ୍କୃତିକ ଉନ୍ନତି ଆଣେ … କିନ୍ତୁ ହାୟ ଦୁର୍ଭାଗା ଦେଶ, ହାୟ ଦୁର୍ଭାଗା ଲେଖକ, ତୁମକୁ ଏଇ ସମାଜର ଲୋକ ମଧ୍ୟ ଜାମାତା କରିବାକୁ ଇଚ୍ଛା କରେନା ! ପୁଣି ତାର ବାପାଙ୍କ କଥା ମନେ ପଡ଼ିଲା, ପୁଣି ସମାନ ଭାବରେ ମନେ ପଡ଼ିଲା ସୁକୁମାର କଥା, ଯାଦବ ଆଉ ମିନତି କଥା, ତା ମୁଣ୍ଡ ଭିତରେ ବହୁତ ଚିନ୍ତା ଦେଖା ଦେଲା, ଗୋଳେଇ ଘାଣ୍ଟି ହୋଇଗଲା–।

 

ମାଧବୀ ଦେବୀଙ୍କର ଚିନ୍ତା ମଧ୍ୟ ଥିଲା–ସେ ମଧ୍ୟ ଭାବୁଥିଲେ ବହୁତ କିଛି । ସୀମନ୍ତରୁ ସିନ୍ଦୂର ପୋଛା ହେବାକୁ ଆଉ ବିଳମ୍ବ ନାହିଁ । କୋଡ଼ିଏ ବର୍ଷ, ନା, ଆଉ ବେଶୀ ଆଗେ, ଯେତେବେଳେ ସେ ଯୁବତୀ, ନା ତରୁଣୀ, ସେତେବେଳେ ସେ ଭବିଷ୍ୟତର ଯେଉଁ ମଞ୍ଜିଗୁଡ଼ିକ ପୋତିବାକୁ ଆରମ୍ଭ କରିଥିଲେ ସେଥିରେ ଫଳ ଧରିବାକୁ ଆରମ୍ଭ କରିଥିଲା । ତେଣୁ ସେ ଚାହୁଁଥିଲେ ଅବ୍ୟାହତି । ଯେଉଁ ସୁନ୍ଦର ପରିଣତି, ଯେଉଁ କଳ୍ପନାର ରାଜ୍ୟ ତାଙ୍କର ଥିଲା, ମଝିରେ ମଝିରେ ଯାହା ଧକ୍‍କା ଖାଇ ଏଯାଏଁ ରହି ଆସିଥିଲା, ତାହା ଭାଙ୍ଗିଯିବାକୁ ଆରମ୍ଭ କରି ଦେଇଥିଲା-। ତଥାପି ସେ ଚାହିଁଲେ ସମାଧାନ । ସେ ଭାବିଲେ...ଯାଦବର ବିବାହ ଶୀଘ୍ର ସାରିବାକୁ ହେବ-। ରଘୁନାଥ ବାବୁଙ୍କ ସହିତ ପରାମର୍ଶ ସେ କଲେ । ପାଞ୍ଜି ଅଣାହେଲା । ଦେଖା ହେଲା-। କୋଷ୍ଠୀ ବହୁତ ଆଗରୁ ଦେଖା ସରିଥିଲା । ମିନତିକୁ ଶୀଘ୍ର ବୋହୂ କରି ଆଣିବାକୁ ହେବ । ସେ ଗଲା କିଛିଦିନ ହେବ ଆସିନାହିଁ । ତାଙ୍କ ଘରର କେହି ମଧ୍ୟ ଆସିନାହାନ୍ତି-। ବ୍ରଜମୋହନ ବାବୁଙ୍କ ଅବସ୍ଥା ଦିନକୁ ଦିନ ଯେ ମନ୍ଦ ଆଡ଼କୁ ଗତି କରୁଛି, ଏକଥା ଜାଣି ମଧ୍ୟ ସେମାନେ କେହି ଆସି ନାହାନ୍ତି-। ଏକଥା ତାଙ୍କ ମନରେ ଆନ୍ଦୋଳନ ସୃଷ୍ଟି କଲା । ସେ ମନେ ମନେ ଟିକିଏ ଆହତ ହେଲାପରି ଅନୁଭବ କଲେ ।

 

ଚଉଦ

 

ଖୁବ୍‍ ସକାଳୁ ରଘୁନାଥ ବାବୁଙ୍କର ନିଦ ଭାଙ୍ଗିଲା । ସେ ସାଧାରଣତଃ ଶୀଘ୍ର ଉଠନ୍ତି । କିନ୍ତୁ ବ୍ରଜମୋହନ ବାବୁଙ୍କ ଘରେ ଆସି ରହିବା ପରଠୁ ସେ ନିଦ ଭାଙ୍ଗିଲେ ମଧ୍ୟ ବିଛଣାରେ ପଡ଼ିରହନ୍ତି ।

 

ସେ ବିଛଣାରେ ଉଠି ବସିଲେ । ତାଙ୍କୁ ଗଲା କିଛି ଦିନ ହେବ କିଛି ଭଲ ଲାଗୁନଥିଲା । ବ୍ରଜମୋହନ ବାବୁଙ୍କ ସ୍ଵାସ୍ଥ୍ୟ, ମାଧବୀ ଦେବୀଙ୍କ ମାନସିକ ଅବସ୍ଥା, ମୋହନର କରଛଡ଼ା ଭାବ, ଶ୍ୟାମଳୀର ପ୍ରେମ–ଏଗୁଡ଼ିକ ସବୁ ମିଶି ଏପରି ଏକ ଅବସ୍ଥାର ସୃଷ୍ଟି କରିଥିଲା, ଯାହା ତାଙ୍କୁ ବାଧୁଥିଲା, ଖୁବ ବାଧୁଥିଲା । ସେ ବହୁତ ଦିନ ହେଲା ଇଚ୍ଛା କରିଥିଲେ, ତାଙ୍କର ଏକ ସ୍ଵପ୍ନ ଥିଲା, ଆଶା ଥିଲା– ସେ ଆସି ଏଇ ଘରେ ତାଙ୍କର ବୃଦ୍ଧ ବୟସ ଅତିବାହିତ କରିବେ । ତାଙ୍କର ସନ୍ତାନମାନଙ୍କୁ ଦେଖିବେ । ତାଙ୍କର ଭଲ ଦେଖି ନିଜେ ସୁଖୀ ହେବେ । ଜୀବନରେ ଯାହା କିଛି ସଞ୍ଚିତ କରି ରଖିଥିଲେ, ତାଙ୍କର ଇଚ୍ଛା ଥିଲା ସେମାନଙ୍କୁ ଦେଇଯିବେ ।

 

ବେଳେବେଳେ ତାଙ୍କର ମନ ହେଉଥିଲା ସେ ମୋହନକୁ କହିବେ...ହଁ, ମୋହନକୁ କହିବେ ଯେ, ସେ ପାଠ ପଢ଼ୁ । ଆକାଶରେ ଉଡ଼ି ବୁଲିବାର କଳ୍ପନା ତ୍ୟାଗ କରୁ, ବାଟରେ ବୁଲିବୁଲିବା ଅଭ୍ୟାସ ଛାଡ଼ୁ । ଆଉ...ଆଉ ବୋଧହୁଏ ସେ ମଝିରେ ମଝିରେ ପିଉଛି–ଦିନେ ଦିନେ ରାତିରେ ଆସିଲା ବେଳେ ତା ଗୋଡ଼ ଠିକ ଭାବରେ ପଡ଼େନା । –ରଘୁନାଥ ବାବୁଙ୍କ ମନରେ ଅନେକ ଚିନ୍ତା ଦେଖାଗଲା...କେତେବେଳ ପରେ ଏମିତି ଏକ ଅବସ୍ଥା ଆସିଲା, ସେତେବେଳେ ତାଙ୍କ ମୁଣ୍ଡ କିଛି କାମ କଲା ନାହିଁ, ସେ କିଛି ଚିନ୍ତା କରିପାରିଲେ ନାହିଁ, ଘରର ଗୋଟାଏ କୋଣଆଡ଼କୁ ଅନାଇ ସେ ନୀରବରେ ବସି ରହିଲେ ।

 

ସେ ହୋସକୁ ଫେରିଲେ ଯେତେବେଳେ ଶ୍ୟାମଳୀ ହାତରେ ଚାହା କପ୍‍ଟା ଧରି ଆସିଲା ।

 

ସୂର୍ଯ୍ୟାଲୋକ କବାଟ ଆଗ ଅଗଣାରେ ବିଛାଇ ହୋଇଗଲାଣି ।

 

–‘ରଖ ମା’ ରଖ, ସେଇଠି ରଖ’ କହିଲେ ରଘୁନାଥ ଟେବୁଲ ଆଡ଼େ ଦେଖାଇ ।

 

ଶ୍ୟାମଳୀ ଚାହା କପ୍‍ଟା ଟେବୁଲ ଉପରେ ଥୋଇଲା । ରଘୁନାଥ ଉଠିପଡ଼ି କୋମଳ ଭାବରେ ଡାକିଲେ–‘ଅଇଲୁ ମା'

 

ଶ୍ୟାମଳୀ ଠିଆ ହୋଇପଡ଼ିଲା । ରଘୁନାଥ ଆଗେଇ ଯାଇ ତା ମୁଣ୍ଡରେ ପିଠିରେ ହାତ ବୁଲାଇଦେଲେ, ତାକୁ ଭାରି ଭଲ ଲାଗିଲା । ମଝିରେ ମଝିରେ ସେ ଶ୍ୟାମଳୀର ମୁଣ୍ଡରେ ପିଠିରେ ହାତ ବୁଲାନ୍ତି । ସେଥିରେ ତାଙ୍କୁ ଏକ ଅପୂର୍ବ ଆନନ୍ଦ ମିଳେ ।

 

ରଘୁନାଥ ବେଳେବେଳେ ଭାବନ୍ତି ଯେ ସେ ତାଙ୍କର ପ୍ରକୃତ ପରିଚୟ ଦେବେ, କହିବେ, ହଁ କହିଦେବେ ଯେ, ସେ…..ନା, ସେ ତା ପରମୁହୂର୍ତ୍ତରେ ଅଟକି ଯା’ନ୍ତି ।

 

ଯେଉଁ ଶାନ୍ତି ରଘୁନାଥ ଲୋଡ଼ିଥିଲେ, ତାହା ମିଳିଲା ନାହିଁ । ବରଂ ଅଶାନ୍ତି ବଢ଼ିଲା ।

 

‘ଯା ମା ଯା’ ରଘୁନାଥ କହିଲେ, ‘ବାପା କିପରି ଅଛନ୍ତି ?’

 

ଭଲ ଅଛନ୍ତି’

 

‘ଭଲ’ କହି ରଘୁନାଥ ଚଟପଟ କୁଳୁକୁଞ୍ଚା ଦିଟା କରି ଚାହା କପ୍‍ଟା ଉଠାଇନେଲେ । ଏହି ସମୟରେ ତାଙ୍କ ହାବୁଡ଼ରେ ପଡ଼ିଲା ମୋହନ । ଲୁଗାପଟା ପିନ୍ଧି ସେ ତାର ସାଇକଲ ଖଣ୍ଡକ ଧରି ବାହାରିଥିଲା କୁଆଡ଼େ ।

 

‘କୁଆଡ଼େ ଯାଉଛ ମୋହନ ?’

 

‘ବାହାରକୁ ।’

 

‘ତା ତ ଦେଖୁଛି । କିନ୍ତୁ କଅଣ କାମ ଅଛି ?’

 

‘ବିନାକାମରେ କିଏ କଅଣ ଯାଏନା ?’

 

‘ବିନାକାମରେ’–ରଘୁନାଥ ଆଶ୍ଚର୍ଯ୍ୟ ହେଲେ ।

 

‘କାମ ଥାଇ ସମସ୍ତେ ଯାଆନ୍ତି ମଉସା, ମୁଁ କିନ୍ତୁ ବିନାକାମରେ ଯାଏଁ, ବିନା ଉଦ୍ଦେଶ୍ୟରେ ମୁଁ ସବୁ କରେ । ଆଉ ପ୍ରାୟ ସାତଟା ଦିନ ରହିଲା ମୁଁ ଏଆର ଫୋର୍ସରେ ଜଏନ୍ କରୁଛି । ଏଟା ମଧ୍ୟ ବିନା ଉଦ୍ଦେଶ୍ୟରେ ।’

 

ଏଆର ଫୋର୍ସ ଶବ୍ଦଟା ରଘୁନାଥ ବାବୁଙ୍କ ମନରେ ଯେପରି ଫୋଡ଼ି ହୋଇଗଲା । ସେ କହିଲେ, ‘ଆସ, ଆସ, ତୁମ ସହିତ ମୋର କିଛି କଥା ଅଛି ।’

 

ରଘୁନାଥ ବାବୁଙ୍କୁ କଥାଟା ବାଧିଲା । କିନ୍ତୁ ତାଙ୍କ ଜୀବନରେ ଏତେ କଥା ସେ ଶୁଣିଥିଲେ ଏବଂ ତାଙ୍କ ଜୀବନରେ ବାଧିବା କଥା ଏତେ ହୋଇଥିଲା ଯେ, ସେ ତାଙ୍କର ବ୍ୟଥାକୁ ବ୍ୟକ୍ତ କଲେ ନାହିଁ ।

 

ମୋହନ ସାଇକଲଟି ରଖି ଭିତରକୁ ଆସିଲା । ତାକୁ ଗୋଟୋଏ ଚୌକିରେ ବସିବାକୁ କହି ରଘୁନାଥ ବାବୁ କହିଲେ, ‘ମୋହନ, ବାବା ଦେଖ, ତୁମେ ଏଆର ଫୋର୍ସ ଛାଡ଼ ।’

 

ମୋହନ ଉଠି ଠିଆହେଲା । ସେ କହିଲା, ‘ଆପଣଙ୍କର ଆଉ କିଛି କହିବାର ଅଛି ?’

 

‘ତୁମକୁ ତୁମର ନିଷ୍ପତ୍ତି ବଦଳାଇବାକୁ ହେବ ।’

 

‘ଯଦି ବଦଳାଇବାକୁ ହେବ, ତେବେ ସେଟା ନିଷ୍ପତ୍ତି ହେଲା କେମିତି ?’

 

ରଘୁନାଥ ମୋହନ ମୁହଁକୁ ଅନାଇ ରହିଲେ । ତାଙ୍କ ମନରେ କ୍ରୋଧ ହେଲା । ଯଦି...ଯଦି...ନିଜ ଔରସରେ ମୋହନ ଜନ୍ମ ହେଇଥାନ୍ତା...ତେବେ...ସେ ଆଜି ତାକୁ ଶିକ୍ଷା ଦେଇଥାନ୍ତେ, ଉପଯୁକ୍ତ ଶିକ୍ଷା ଦେଇଥାନ୍ତେ । କିନ୍ତୁ ସେ ଅକ୍ଷମ, କ’ଣ କରିବେ, ସେ ବା କହିବାକୁ କିଏ ?

 

ରଘୁନାଥ ବାବୁ କଣ୍ଠର ସମତା ରକ୍ଷା କରି କଥା କହିଲେ, ‘ଘରର ଅବସ୍ଥା ଦେଖ, ବାପାଙ୍କ ସ୍ଵାସ୍ଥ୍ୟ ଭଲ ନାହିଁ..... ’

 

‘ଠିକ ସେଇ କାରଣ ପାଇଁ ମୋର ଚାଲିଯିବା ଉଚିତ । ମୁଁ ଘରେ ରହି ଘରର ଅର୍ଥନୈତିକ ପରିସ୍ଥିତିକୁ ବେଶୀ ଜଟିଳ କରିବା ଅପେକ୍ଷା ନିଜ ରୋଜଗାରରେ ଚଳିବା ଭଲ । ବାପାଙ୍କ ସ୍ଵାସ୍ଥ୍ୟ ମଧ୍ୟ ମୋର ଉପସ୍ଥିତିରେ ଭଲ ହେବ ନାହିଁ । ମୋର ଉପସ୍ଥିତିରେ କୌଣସି ଔଷଧ, ଗୁଣ ନାହିଁ । ତାଙ୍କର ଶାନ୍ତିଚିକତ୍ସା ଦରକାର । କିନ୍ତୁ–କିନ୍ତୁ ମୁଁ ଯାହା ଜାଣେ ଡାକ୍ତରଙ୍କ କଥାରୁ.....ଯେତେ ଯାହା କଲେ ମଧ୍ୟ ସେ ଭଲ ହେବେ ନାହିଁ ।’

 

ଶେଷ ବାକ୍ୟଟା ମୋହନ ଯେପରି କହିଲା, ରଘୁନାଥ ସ୍ଥିର କରି ନେଲେ ଯେ, ତା ଭିତରେ ହୃଦୟ ନାହିଁ, ମାନବିକତା ନାହଁ, କର୍ତ୍ତବ୍ୟଜ୍ଞାନ ନାହଁ, ଦାୟିତ୍ଵଜ୍ଞାନ ନାହିଁ, କିଛି ନାହିଁ......ସେ ହତାଶ ହେଲେ ।

 

ମୁଁ ଯାଏଁ ମଉସା । ମୋର କଥାଗୁଡ଼ିକ ଆପଣଙ୍କୁ ଭଲ ଲାଗୁନି ଜାଣେ । ତେଣୁ ଅପ୍ରୀତିକର ଅବସ୍ଥାକୁ ଏଡ଼ାଇବାର ଏକାନ୍ତ ଉପାୟ ହେଉଛି ଦୂରେଇ ଯିବା ।’

 

ମୋହନ ଯିବାକୁ ଉଦ୍ୟତ ହେଲା, ପୁଣି କହିଲା, ତଥାପି ଆଶା କରୁଛି ମତେ ଭୁଲ ବୁଝିବେ ନି’–

 

ମୋହନ ବାହାରିଗଲା ।

 

ପନ୍ଦର

 

ମୋହନ ତାର ସାଇକଲ ଖଣ୍ଡିକ ଧରି ବାହାରିଗଲା । ତା ଯିବା ବାଟକୁ ଅନାଇ ରହିଲେ ରଘୁନାଥ । ତାଙ୍କୁ କାହିଁକି ବହୁତ ବାଧୁଥିଲା ମୋହନର କଥାଗୁଡ଼ିକ । ଗୋଟିଏ ବ୍ୟର୍ଥ ଆକ୍ରୋଶ ଫଳରେ ସେ ହଠାତ୍ ଗମ୍ଭୀର ଓ ନୀରବ ପଡ଼ିଗଲେ । ତାଙ୍କର ଗୋରା ମୁହଁଟି ବେଶ ରକ୍ତିମ ହୋଇଉଠିଲା । ଆଖି ଯୋଡ଼ିକ ଅସ୍ଵାଭାବିକ ହୋଇଉଠିଲା ।

 

ସେ ଯେପରି ଠିଆ ହୋଇ ରହିଥିଲେ, ଅଜଣା ଲୋକ ତାକୁ ଦେଖିଲେ ଭାବିଥାନ୍ତା ସେ ଜଣେ ନାଟକୀୟ ଚରିତ୍ରର ଭଙ୍ଗୀକୁ ଅନୁକରଣ କରିବାକୁ ଚେଷ୍ଟା କରୁଛନ୍ତି ।

 

ମାଧବୀ ଦେବୀ ଆସି ତାଙ୍କୁ ପଚାରିଲେ–‘‘ଶ୍ୟାମଳୀ ଚାହା ଦେଇ ଯାଇଥିଲା ।’’

 

‘‘ହଁ’’

ତାଙ୍କର ଏଇ ଛୋଟ ଗମ୍ଭୀର ଉତ୍ତର ଓ ଗମ୍ଭୀର ମୁଖଭାବ ଲକ୍ଷ୍ୟକରି ମାଧବୀ ଦେବୀ ପଚାରିଲେ, ‘‘କଅଣ ଭାବୁଛନ୍ତି ?’’

 

‘‘ମୋହନ ଯୁଆଡ଼େ ଯାଉଛି ଯାଉ । ତାକୁ ଅଟକାଇବାକୁ ଚେଷ୍ଟା କର ନାହିଁ ।’’

 

ମାଧବୀ ଦେବୀ ରଘୁନାଥଙ୍କ ମୁହଁକୁ ଅନାଇ ରହିଲେ ।

 

ରଘୁନାଥ କହିଲେ, ‘ସେ ପରା ସାତଦିନ ଭିତରେ ଯିବ ?’

 

‘ସାତଦିନ ଭିତରେ । କାହିଁ, ଆମକୁ ତ କିଛି କହିନି !’’

 

‘କଅଣ ଦରକାର ଅଛି କହିବାର !’

 

‘ବାପାଙ୍କ ଦେହ ଏମିତି, ଅଥଚ....’

 

ତାଙ୍କ କଥାକୁ ପୂର୍ଣ୍ଣ କରିବାକୁ ନ ଦେଇ ରଘୁନାଥ କହିଲେ, ‘‘ସେ କଅଣ ଡାକ୍ତର, ବାପାଙ୍କୁ ଭଲ କରିଦେବ ?’’

 

‘‘ତାର କର୍ତ୍ତବ୍ୟ ତ ଅଛି !’’ ମାଧବୀ ଦେବୀ ପୁଣି କହିଲେ, ତାଙ୍କ ଆଖି ଥିଲା ରଘୁନାଥଙ୍କ ମୁହଁ ଉପରେ । ସେ ରଘୁନାଥଙ୍କ କଥା ବୁଝିପାରିଲେ ନାହିଁ । ପଚାରିଲେ ପୁଣି, ‘‘ଆପଣଙ୍କ କଥା ମୁଁ ବୁଝି ପାରୁନି ।’’

 

‘ନା ବୁଝିବାର କଅଣ ଅଛି । ଅଳ୍ପ ସମୟ ଆଗରୁ ସେ ବାହାରି ଯିବା ବେଳେ ମୁଁ ତାକୁ ବୁଝାଇବାକୁ ଚେଷ୍ଟା କଲି, ଯେ ସେ ଏପରି ଅବସ୍ଥାରେ ଘରୁ ଯିବା ଭଲ ନୁହେଁ । ସେ ମତେ ଯାହା କହିଲା ମୁଁ ତମକୁ ସେୟା କହୁଚି ।’’

 

ମାଧବୀ ଦେବୀ ବୁଝିଲେ । ତାଙ୍କ ମୁହଁରୁ ବାହାରିଲା ଗୋଟାଏ ଶବ୍ଦ–ସେ କହିଲେ, ‘‘ଓ-!’’

 

ମାଧବୀ ଦେବୀ ଚାରିଆଡ଼କୁ ଅନାଇଲେ ଏବଂ କ୍ରମେ ଗୋଟାଏ ଚୌକି ନିକଟକୁ ଯାଇ ତହିଁରେ ଭରା ଦେଇ ଠିଆ ହେଲେ ଏବଂ ପରେ ତହିଁରେ ବସିଲେ । ଥୋଡ଼ାଏ ବେଳ ଚିନ୍ତାକରି କହିଲେ, ‘ଶ୍ୟାମଳୀ କଥା କଅଣ କରିବ ?’

 

‘ଦେଖ ମାଧବୀ’ ରଘୁନାଥ କହିଲେ, ‘‘ମୋର ଜୀବନର ଅଭିଜ୍ଞତା ବଡ଼ ତିକ୍ତ ହୋଇପଡ଼ିଛି ଏବଂ ଏହି ତିକ୍ତତା ଅନ୍ୟ ଜୀବନକୁ ପ୍ରବେଶ କରୁ–ମୁଁ ତାହା ଚାହେନା । ସୁକୁମାର ପ୍ରକୃତରେ ଶ୍ୟାମଳୀକୁ ଭଲପାଏ । ଆଉ ମୁଁ ଯାହା ଜାଣେ ଶ୍ୟାମଳୀ ମଧ୍ୟ ତାକୁ ଭଲପାଏ ।’’

 

‘ସେ କଅଣ କିଛି କହୁଥିଲା ?’

 

‘ପ୍ରେମ କ୍ଷେତ୍ରରେ ମୋ ଜୀବନର’ ରଘୁନାଥ ମୁଣ୍ଡ ଟେକି, ଛାତି ଫୁଲାଇ ଏବଂ ହୁଏତ କଥାରେ ଟିକିଏ ବିଦ୍ରୂପ ମିଶାଇ କହିଲେ, ‘ହଁ, ମୋ ଜୀବନରେ ଏକମାତ୍ର ବ୍ୟର୍ଥତା ପରେ ମୁଁ ଆଖି ମେଲା କରି ରଖିବାକୁ ଚେଷ୍ଟା କରିଛି । ମୁଁ ଦେଖିଛି ବହୁତ ନାରୀ ; କିନ୍ତୁ କେହି ମତେ ଆଉ ଥରେ ଠକି ପାରି ନାହାନ୍ତି । ମୁଁ ମଧ୍ୟ କାହାକୁ ଠକି ନାହଁ । ଆଉ, ଦେଖି ଦେଖି ମୁଁ ନାରୀଙ୍କୁ ଚିହ୍ନିଛି । ନାରୀର ଆଖିରେ ସ୍ନେହ ଦେଖିଛି, କାମନା, ବାସନା, ଈର୍ଷା ,ବିଦ୍ରୂପ, କ୍ରୋଧ ସବୁ ଦେଖିଛି, ଆଉ ଦେଖିଛି ନୈରାଶ୍ୟ, ବ୍ୟର୍ଥତା । ତା ଭିତରେ ଦେଖିଛି ମାତା, ତା ଭିତରେ ଦେଖିଛି ପ୍ରିୟା, ତା ଭିତରେ ଦେଖିଛି ସନ୍ତାନ ସୁଲଭ ନମ୍ରତା । ତା ଭିତରେ ପାଇଛି ସ୍ନିଗ୍‍ଧତା ଆଉ ପାଇଛି ଜ୍ଵାଳା ! ତେଣୁ ମୁଁ ମଧ୍ୟ ଶ୍ୟାମଳୀକୁ ଦେଖିଛି–ଆଉ ତା’ରି ଆଖିରୁ, ତା ଆଖିର ଦୃଷ୍ଟିରୁ ତା ହୃଦୟ ଭିତରେ ଯେଉଁ ଝଡ଼ ବହୁଛି ତାକୁ ମଧ୍ୟ ଦେଖୁଛି ।’

 

‘‘କିନ୍ତୁ ସେ ତ ଜାଣେ ଯେ ତାର ବାପାଙ୍କର ଇଚ୍ଛା ନଥିଲା ସେ ସୁକୁମାରକୁ ବିବାହ କରୁ-।’’

 

‘‘ତାର ବାପା ମଧ୍ୟ ଜାଣି ନ ଥିଲେ ସୁକୁମାରକୁ ସେ କେତେ ଭଲ ପାଏ ।’’

 

‘‘ହୁଏତ ପାଏ ।’’

 

‘‘ନିଶ୍ଚୟ ପାଏ ।’’

 

‘‘ସେଇ ପାଇଁ ତ ବିବାହର ପ୍ରସ୍ତାବଟା ଏପର୍ଯ୍ୟନ୍ତ ନାକଚ କରାହୋଇ ନାହିଁ ।’’

 

‘‘ଆଉ ଭଲ ହୁଅନ୍ତା ଯଦି ସୁକୁମାର ସହିତ ତାର ଅତି ଶୀଘ୍ର ବିବାହ ହୋଇ ଯା’ନ୍ତା,’’ ରଘୁନାଥ କହିଲେ–‘‘ହଁ ଖୁବ୍ ଭଲ ହୁଅନ୍ତା । ମୁଁ ସେ କଥା ତୁମକୁ ଗଲା କେତେଦିନ ହେବ କହିବି କହିବି ବୋଲି ଭାବୁଥିଲି ।’’

 

ମାଧବୀ ଦେବୀ ରଘୁନାଥ ବାବୁଙ୍କ ମୁହଁକୁ ଅନାଇଲେ । ଆଜି ରଘୁନାଥ କିପରି ଏକ ନୂଆ ପ୍ରକାରର ହୋଇ ଯାଇଥିଲେ । ସେ ଆଜି ବହୁତ କଥା କହୁଥଲେ । ଏଠାକୁ ଆସିବା ପରଠୁ ସେ ଏତେ ବେଶୀ କଥା କେବେହେଲେ କହି ନାହାନ୍ତି । ମାଧବୀ ଦେବୀଙ୍କ ମନେ ପଡ଼ିଲା ବହୁତ ଦିନର ତଳର କଥା । ଆଜିକି କୋଡ଼ିଏ ବର୍ଷରୁ ବେଶୀ ହେବ । ସେତେବେଳେ ରଘୁନାଥ ଯୁବକ ଥିଲେ । ଚଞ୍ଚଳ ଥିଲେ । ବହୁତ କଥା କହୁଥିଲେ । ଚାନ୍ଦିନୀ ରାତିରେ ସଜନା ଗଛର ଦୃଶ୍ୟରେ ମଧ୍ୟ ସେ ସୌନ୍ଦର୍ଯ୍ୟ ଦେଖୁଥିଲେ । କଦଳୀ ଗଛର ଶୁଖିଲା ପତ୍ରର ଖସ୍ ଖସ୍ ଶବ୍ଦରେ ମଧ୍ୟ ସେ ସଙ୍ଗୀତ ପାଉଥିଲେ ।

 

ମାଧବୀ ଦେବୀ ଉଠି ଠିଆହେଲେ ।

 

ମୋହନ ବହୁତ ବିଳମ୍ବରେ ଆସିଲା–ବାପାଙ୍କ ସ୍ୱାସ୍ଥ୍ୟ ବିଷୟରେ ଟିକିଏ ପଚାରିଦେଲା–ବାପାଙ୍କ ପାଖରେ ଯାଇ ଟିକିଏ ଠିଆହେଲା–ଖାଇବା ସାରି ଯାଇ ଶୋଇପଡ଼ିଲା । ଆଖିକୁ ନିଦ ଆସିଲା ନାହିଁ । ଖଣ୍ଡିଏ ପକେଟ ବୁକ ଟାଣି ଆଣି ପଢ଼ିବାକୁ ଆରମ୍ଭ କରୁଛି, ଏହି ସମୟରେ ମାଧବୀ ଦେବୀ ଆସି ପହଞ୍ଚିଲେ । ତା ପାଖରେ ବସିଲେ ଏବଂ ଧୀର ମଧୁର କଣ୍ଠରେ କହିଲେ–‘‘ମୋହନ, ତୁ ସାତଦିନ ଭିତରେ ଚାଲି ଯାଉଛୁ ।’’

 

‘‘ହଁ’’

 

‘‘କହିନୁ’’

 

‘‘ଭାବୁଥିଲି କେମିତି କହିବି, କାରଣ ସମସ୍ତଙ୍କର ମନର ଅବସ୍ଥା ଯାହା, କହିବାକୁ ଭଲ ଲାଗୁନଥିଲା ।’’

 

‘‘ଯଦି କହିବାକୁ ଭଲ ଲାଗୁ ନ ଥିଲା, ତେବେ ତୁ ଏମିତି ଅବସ୍ଥାରେ ଯାଇ ବା ପାରିବୁ କେମିତି ! ଯାହା କହିବାକୁ ଭଲ ଲାଗୁନି, ତାହା କରିବାକୁ କେମିତି ଭଲ ଲାଗିବ ?’’

 

ମୋହନ କିଛି କହିଲା ନାହିଁ ।

 

‘‘ତୁ କଅଣ ନିଶ୍ଚୟ ଯିବୁ ?’’

 

‘‘ନ ଯାଇ ଉପାୟ ନାହିଁ’’

 

‘‘କାହିଁକି ?’’

 

‘‘ମୁଁ ଜାଣେନା ।’’

 

‘ପାଠ ପଢ଼ି ଭାଇପରି କିଛି ଗୋଟାଏ କଲେ...ଏଇଠି ରହିଲେ...?’

 

‘‘ମୁଁ ଭିନ୍ନ, ଭାଇ ଭିନ୍ନ, ପ୍ରତ୍ୟେକ ଲୋକ ସଂସାରରେ ଭିନ୍ନ, ବାପା ଭିନ୍ନ, ଆଉ ସେଇ ଯେଉଁ ଗଣେଶ ମାର୍କା ମାଷ୍ଟରଟି ତୋର, ସେ ମଧ୍ୟ ଭିନ୍ନ ।’’

 

‘‘ସେ ତୋର ଗୁରୁଜନ ।’’

 

‘‘ବୋଉ, ମୋର କେହି ଗୁରୁ ନାହିଁ । ମୁଁ ମୋର ନିଜର ଗୁରୁ । ମୋର ଇଚ୍ଛା ନ ଥିଲେ କେହି ମତେ କିଛି ହେଲେ କରାଇ ଦେଇ ପାରିବ ନାହଁ । ତେଣୁ ପ୍ରତାରଣା କାହିଁକି, ଅଭିନୟ କାହିଁକି, ଛଳନାର ଦରକାର କଅଣ ?’’ ମୋହନ କହିଲା ପୁଣି, ବୋଉ, ମୋର ଗୋଟାଏ ଧାରଣା ଥିଲା ଯେ ମାଷ୍ଟରୀ କଲେ ମଣିଷ ବୁଦ୍ଧି ବିବେକ ହରାଏ, କିନ୍ତୁ ସେ ଲୋକଟାର ବୁଦ୍ଧି ଅଛି ଯାହା କହ । ତୋ ନିକଟରେ କଥା କହିଦେଇ ମୋର ବହୁତ ସୁବିଧା କରିଦେଲା ।’’

 

ଏତିକି ବେଳେ ମାଧବୀ ଦେବୀ ଲକ୍ଷ୍ୟ କଲେ, ମିନତି ଆସି ଦୁଆର ପାଖରେ ଠିଆ ହୋଇଛି । ତାର ମୁହଁ ଆଖି କିପରି ଅସ୍ଵାଭାବିକ ଦିଶୁଛି ।

 

‘‘ତୋର ଦେହ ଭଲ ନାହିଁ କି ମିନି, ଆ ଭିତରକୁ’’ ମାଧବୀ ଦେବୀ ଡାକିଲେ ।

 

ମିନତି ଧୀର ପାଦରେ ଆଗେଇଲା, ତାର ଆଖି ପଡ଼ିଲା ବିଛଣା ଉପରେ ଶୋଇଥିବା ମୋହନ ଉପରେ । ମିନତି ଆସି ପାଖରେ ଠିଆହେଲା ।

 

ଷୋହଳ

 

ମିନତି ଆସି ପାଖରେ ଠିଆ ହେଲା ।

 

ମାଧବୀ ଦେବୀ କହିଲେ–‘ତେବେ ତୁ ଠିକଣା କରି ସାରିଛୁ ଯେ ତୁ ଯିବୁ, ତାପରେ ଆଉ କହିବାର କଅଣ ଥାଇପାରେ ।’

 

‘‘ମୁଁ ଦୁଃଖିତ,’’ ମୋହନ କହିଲା, ‘‘କିନ୍ତୁ ମୁଁ ନାଚାର ।’’

 

ମିନତିର କରୁଣ ଆଖି ଯେମିତିକି ଦପ୍‍ କରି ଜଳିଉଠିଲା । ବଡ଼ ବଡ଼ ହୋଇଗଲା । ତା ମୁହଁରୁ ବାହାରି ଆସିଲା–‘‘ମୋହନ ଭାଇ !’’

 

‘‘ଶୁଣିଲୁ ମିନତି, ଶୁଣିଲୁ’’ ମାଧବୀ ଦେବୀ କହିଲେ, ‘‘ସେ ଯିବ । ବାପାଙ୍କର ଅବସ୍ଥା, ଘରର ଅବସ୍ଥା ଏଗୁଡ଼ିକ କିଛି ନୁହେଁ ।’’

 

ମିନତିର ଆଖିରେ ଲୁହ ଦେଖାଦେଲା । ତାକୁ ପୋଛିବାକୁ ମଧ୍ୟ ମିନତି କିଛି ଯତ୍ନ ନେଲା ନାହିଁ । ତାର ଏପ୍ରକାର ଅବସ୍ଥା ଦେଖି ମାଧବୀ ଦେବୀଙ୍କର ଧାରଣା ହେଲା, କାଳେ ମିନତିର ଆଖିର ଲୁହରେ ମୋହନର ମନର ପରିବର୍ତ୍ତନ ହୋଇପାରେ । ଆହା–ମିନତି ଝିଅଟି କେତେ ବୁଝେ ! ଏଇ ଘରଟାର ଭଲ ମନ୍ଦରେ ତା ଆଖିରେ ଲୁହ ! ସେ କହିଲେ, ‘ମିନି, ମା ବସ, ତାକୁ ବୁଝା । ମୁଁ ଯାଉଛି ।’

 

ମାଧବୀ ଦେବୀ ବାହାରିଗଲେ ।

 

ମିନି ସେଇଠି ଠିଆହୋଇ ରହିଲା । ତା ଆଖିର ଲୁହ ସେମିତି ଝରି ଚାଲିଲା ।

 

ମୋହନକୁ ଏକଥା କିଛି ଭଲ ଲଗିଲା ନାହିଁ । ତାଛଡ଼ା ମିନତି ଆଖିର ଲୁହ ମଧ୍ୟ ତାକୁ କଣ ଭଲ ଲାଗିଲା ନାହିଁ । ଗଲା କେଇଟା ବର୍ଷ ପ୍ରକୃତରେ କହିବାକୁ ଗଲେ ତାକୁ କିଛି ଭଲ ଲାଗୁ ନ ଥିଲା । ତା ଘର, ସଂସାର, ବନ୍ଧୁ, ଧନ, ନାରୀ, ପାଠ, ସାଙ୍ଗ ସାଥୀ ସବୁ–ସବୁ ତାକୁ ପିତା ଲାଗୁଥିଲା । ସେ ଏହି ସବୁ ଭିତରେ ଖୋଜିଥିଲା ଶାନ୍ତି, ତୃପ୍ତି; କିନ୍ତୁ ପାଇ ନ ଥିଲା । ଶେଷ ବେଳକୁ ଏଇ ମିନତି ଝିଅଟି ତା ମନରେ ମଝିରେ ଦେଖା ଦେବାକୁ ଆରମ୍ଭ କରିଥିଲା । କିନ୍ତୁ ଗଲା ଏଇ କେତୋଟି ଦିନର ଅଦେଖାରେ ମିନତି ମଧ୍ୟ ଘୁଞ୍ଚିଯାଇଥିଲା–ତାର ଆକର୍ଷଣ ମଧ୍ୟ ହାର ମାନିଥିଲା । ଆଜି ପୁଣି ମିନତି, ପୁଣି ତା ଆଖିରେ ଲୁହ ।

 

‘‘କାନ୍ଦୁଛୁ କାହିଁକି ମିନି, କଥା କଅଣ !’’

 

‘‘ସତେ କଅଣ ତୁମେ ଚାଲିଯିବ ?’’

 

‘‘ଏଠି କଅଣ କରିବି !’’

 

‘‘କାହିଁକି ପାଠ ପଢ଼ିବ, ମଣିଷ ହେବ ।’’

 

ମୋହନ କହୁଣୀ ଉପରେ ଭାର ଦେଇ ଗୋଟାଏ କଡ଼ ମାଡି ଦରଶୁଆ ଅବସ୍ଥାରେ ବସିଲା ଏବଂ ହସି ହସି କହିଲା’ ‘‘ପାଠ ନ ପଢ଼ିଲେ କ’ଣ ମଣିଷ ହ’ନ୍ତି ନାହିଁ ମିନି ? ’’

 

‘‘କିଏ ହେଇଛି ?’’

 

‘‘ଆମ ଦେଶରେ ଛତ୍ରପତି ଶିବାଜୀ ଥିଲେ, ତାଙ୍କ ନାଁ ଶୁଣିଚୁ ?’’ ମୁଣ୍ଡ ହଲାଇଲା ମିନତି-

 

‘‘ହାଇଦର ଅଲି ନାଁ ଶୁଣିଚୁ ? ଆଉ ଟିପୁ ସୁଲତାନ ?’’ ପଚାରିଲା ମୋହନ । ପୁଣି କହିଲା, ‘‘ଆକବର ନାଁଟା ଛାଡ଼ିଗଲି, ମୋଗଲ ସମ୍ରାଟ ଭିତରେ ଶ୍ରେଷ୍ଠ ପୁଣି ସେ !’’

 

ମିନତି ନୀରବ ରହିଲା ।

 

‘‘ଏମାନେ ସମସ୍ତେ ମୂର୍ଖ ଥିଲେ ।’’

 

ମୋହନ କ୍ଷଣକାଳ ନୀରବ ରହିଲା । କିଛି ଗୋଟାଏ କହିବାକୁ ସେ ଇଚ୍ଛା କରିଥିଲା । କିନ୍ତୁ ଏଇ ଝିଅଟି, ଯେ ମୋଟେ ପଢ଼ିନାହିଁ, ତା ଆଗରେ ସେ କଅଣ କହିବ ? ତଥାପି ସେ ମନକୁ ମନ କହିଲା–‘‘ଏଇ ପାଠ ନାମକ ବସ୍ତୁଟି ଆବିଷ୍କୃତ ହେବା ପରଠୁ ଏଇ ସଂସାରରେ ବହୁତ ବିଭ୍ରାଟ ଘଟୁଛି । ପାଠ ପଢ଼ିବାକୁ ଯାଇ ବହୁତ ଦର ପାଠୁଆ ହେଲେ, ସମାଜ ଭିତରେ ବହୁତ ବଡ଼ ବଡ଼ ପାଚେରୀ ତା ଫଳରେ ଠିଆ ହେଲା ।’’

 

‘‘ତୁମେ ତା ବୋଲି ଦରପାଠୁଆ ହେବ କାହିଁକି ?’’

 

‘‘ପାଠ ମୋ ପାଇଁ ଲେଖା ହୋଇ ନ ଥିଲା ମିନି–ତା ଭିତରେ ମୋ ପାଇଁ କିଛି ନାହିଁ । ମୋ ମନକୁ ପାଇବା ପାଇଁ କିଛି ନାହିଁ । ନିଜ ଗୋଡ଼ରେ ଠିଆ ହେବାପାଇଁ ଯାହା ଦରକାର, ସେତିକି ହେଇସାରିଛି ।’’

 

‘‘କିନ୍ତୁ ତମେ ଯାଇ ପାରିବ ନାହଁ ମୋହନ ଭାଇ’’ ମିନତି ଆଗେଇ ଆସି କହିଲା, ‘ଅନ୍ତତଃ ମୋ ପାଇଁ ତମକୁ ରହିବାକୁ ହେବ ।’’

 

‘‘ମୁଁ କାହା ପାଇଁ ରହି ପାରିବି ନାହିଁ, କରିବି କଅଣ ? ତୋର କଅଣ ବା ଉପକାର ମୁଁ କରିପାରିବି !’’

 

ମିନତି ଆଗେଇ ଆସି ମୋହନର ଗୋଡ଼ ଧରି କାନ୍ଦି ପକାଇ କହିଲା, ‘‘ନା, ମୋହନ ଭାଇ, ତମକୁ ରହିବାକୁ ହେବ, ତୁମ ଗୋଡ଼ ଧରୁଛି, ତୁମେ ରୁହ ।’’

 

‘‘କିନ୍ତୁ କାହିଁକି ! ଗୋଡ଼ ଛାଡ଼’’ ମୋହନ ଉଠି ବସିଲା । ସେ ଏଥିପାଇଁ ମୋଟେ ପ୍ରସ୍ତୁତ ନ ଥିଲା । ତା’ରି କୋଳରେ ମୁଣ୍ଡ ଥୋଇ ମିନତି ଫୁଲି ଫୁଲି କାନ୍ଦିଲା । ତା ପିଠିରେ ମୋହନ ହାତ ବୁଲାଇ ଦେଲା । ଥୋଡ଼ାଏ ବେଳପରେ ମିନତି ମୁଣ୍ଡ ଟେକିଲା । ମୋହନର ମୁହଁକୁ ଅନାଇଲା । ମୋହନ ତା ମୁହଁକୁ ଅନାଇଲା । ମିନତିର ମୁହଁ ତାକୁ କରୁଣ ଦିଶିଲା । ସେ ଅନୁଭବ କଲା ମିନତି ତା ମନରେ ପ୍ରଭାବ ବିସ୍ତାର କରିବାକୁ ଆରମ୍ଭ କଲାଣି । ସେ ଦୁର୍ବଳ ଅନୁଭବ କଲା । ନା, ନା, ତା ହୋଇ ପାରେନା ।

 

‘‘ତମେ ମତେ ନିଜ ହାତରେ ମାରି ଦେଇ ପାରିବ ?’’

 

କଥାଟାର ମାନେ ମୋହନ କିଛି ବୁଝିପାରିଲା ନାହିଁ ।

 

‘‘କ’ଣ ତୁ କହିବାକୁ ଚାହୁଁଛୁ ?’’

 

ମିନତି ଅନାଇଲା ତା ମୁହଁକୁ । କିନ୍ତୁ ସେ ଯାହା କହିବାକୁ ଆସିଥିଲା, ଯାହା କହିବାକୁ ଇଚ୍ଛା ପ୍ରକାଶ କରୁଥିଲା, କହି ପାରିଲା ନାହିଁ । କଥାତକ ତା ତଣ୍ଟି ପାଖରେ ଆସି ମରିଗଲା ।

 

‘‘କୁହ ତୁମେ ମତେ ନିଜ ହାତରେ ମାରିଦେଇ ପାରିବ ତ !’’ –ପୁଣି ମିନତି ପଚାରିଲା ।

 

‘‘ସିଧାସଳଖ ତୋ କଥା କହ । ମୁଁ ଏତେ କଥା ବୁଝିପାରେ ନା’’ କହିଲା ମୋହନ ।

 

ତା କଥାଟା ମିନତିକୁ ଟିକିଏ ରୁକ୍ଷ ଜଣାଗଲା । ସେ ଆହତ ଅନୁଭବ କଲା । କିନ୍ତୁ ପରକ୍ଷଣରେ ତାର ବ୍ୟବହାର ସଂପୂର୍ଣ୍ଣ ବଦଳିଗଲା । ସେ କହିଲା, ‘‘ବୁଝିବାକୁ ଚେଷ୍ଟା କଲେ ସିନା ବୁଝିବ ! କିନ୍ତୁ ସେତକ ମଣିଷପଣିଆ କାହିଁ ତମଠି ? ପାଠ ପଢ଼ିଛ, ଭଲଘରେ ଜନ୍ମ ହେଇଛ; କିନ୍ତୁ ଏସବୁର ପ୍ରଭାବ ତୁମ ଉପରେ ପଡ଼ିନି । କେଉଁ ଉପାଦାନରେ, କିପରି ଭାବରେ ତମର ମନଗଢ଼ା, ତାହା ମୁଁ ବୁଝିପାରୁନି ! ତମେ ଯେତେବେଳେ ମଣିଷକୁ ଚିହ୍ନି ପାରନା, ତାର ମୁହଁକୁ ଦେଖି କିଛି ଭାବି ପାରନା, ତମକୁ ନେଇ ଘର କରିବା ମଧ୍ୟ ଏକ ଯନ୍ତ୍ରଣା–ଜୀବନବ୍ୟାପୀ ଯନ୍ତ୍ରଣା ।’’

 

ମୋହନ ଧୀରେ ଧୀରେ କହିଲା–‘‘ମତେ ନେଇ ଯେ ଘର କରିବାର କଳ୍ପନା କରେ, ତା’ଠୁ ବଳି ବୋକା ନାହିଁ । ମୁଁ ଯେ କାହାକୁ ନେଇ ଘର କରିବି ସେପାଇଁ ମୁଁ ଅନୁପଯୁକ୍ତ, ଏକଥା ମୁଁ ଜାଣେ । ପରିବାର ଭିତରେ, ଘର ଭିତରେ ମୋର ନିଶ୍ଵାସ ଚିପି ହୋଇ ଆସେ, ମୁଁ ଚାହେଁ ନିର୍ଜନତା, ଏକକତା, ମୁଁ ଚାହେଁ ମଦ, ମୁଁ ଚାହେଁ ଆକାଶ–ତଳକୁ ଖସିପଡ଼ି ମରିବାକୁ ମୋର ଭୟ ନାହିଁ–କିନ୍ତୁ ମୁଁ ଜାଣେ ମୁଁ ବାବାଜୀ ନୁହେଁ । ମୁଁ ଜାଣେ ମଣିଷ ହୋଇ, ଦେହ ଥାଇ ମୁଁ ମଧ୍ୟ ଅନ୍ୟର ଦେହ ପ୍ରୟୋଜନ କରେ । ତେଣୁ ମୋର ଏଇ ପ୍ରକାର ମାନସିକ ଗଠନ ଭିତରେ ସଂସାରୀ ହେବାର ପ୍ରଶ୍ନ ଉଠେନା, ଉଠିପାରେନା ?’’

 

ମିନତି ତା ଆଡ଼କୁ ଅନାଇ ରହିଲା । ମିନତି ମୁହଁ ଆଡ଼କୁ ଅନାଇ ମୋହନ ପୁଣି ମନରେ କିଛି ଗୋଟାଏ ଚିନ୍ତା ଦେଖା ଦେଲା, ‘‘ତୁ–ତୁ କ’ଣ ମତେ ନେଇ ଘର ସଂସାର କରିବାର କଳ୍ପନା କରିଥିଲୁ ମିନି ? କହ, ନା, ବରଂ କହନା, ବରଂ.....ବରଂ.....’’

 

ମୋହନ କଛି କହିବା ଆଗରୁ ମିନତି କହିଲା, ‘‘ମୁଁ ବର୍ତ୍ତମାନ ଅନ୍ତଃସତ୍ତ୍ଵା’’ ।

 

ସତର

 

ମୋହନ ମୁଣ୍ଡରେ ବଜ୍ର ପଡ଼ିଲା । କ୍ଷଣକ ଭିତରେ ତା ମୁଣ୍ଡ ଭିତରେ ସବୁ ଗଣ୍ଡଗୋଳ ହୋଇଗଲା ।

 

‘‘ମିନି....ମିନତି.....ସତ କହୁଚୁ !’’

 

‘କୌଣସି ସ୍ତ୍ରୀ ଲୋକ କ’ଣ ଏ ବିଷୟରେ କେବେ ମିଛ କହିପାରେ ।’

 

ମୋହନ ମୁହଁରୁ କିଛି କଥା ବାହାରିଲା ନାହିଁ ।

 

ସେ ଭାବିବାକୁ ଆରମ୍ଭ କଲା–ଏଇ ଝିଅ–ମିନି, ମିନତି, ଦେଖିବାକୁ ମନ୍ଦ ନୁହେଁ, ଗୁଣରେ ମନ୍ଦ ନୁହେଁ, ଗାର୍ହସ୍ଥ୍ୟ ଜୀବନ ପାଇଁ ବରଂ ଭଲ ଝିଅଟିଏ । ଯେ କୌଣସି ଲୋକ, ଯେ ସଂସାର କରିବାକୁ ଚାହେଁ, କେବେହେଲେ ଅସନ୍ତୁଷ୍ଟ ହେବ ନାହଁ । ଏମିତି ଝିଅ ପାଇଲେ, ତାର ସଂସାର ସୁନ୍ଦର ହୋଇ ଉଠିବ, ହସି ଉଠିବ ।

 

ମୋହନର ମନେପଡ଼ିଲା–ସେଦିନ ରାତିରେ ସେଇ ଛାତ ଉପରେ । ମାତ୍ର କେଇଟା ମିନିଟ–କିନ୍ତୁ ଏଇ ମିନି ସେତେବେଳେ କେତେ ମଧୁର ହୋଇଉଠିଥିଲା । ତାର ମନେପଡ଼ିଲା ଅନ୍ୟମାନଙ୍କ କଥା–ଯେଉଁମାନଙ୍କ ଦେହ ସେ କିଣିଥିଲା–କ’ଣ ତଫାତ ? ହଁ, ଥିଲା । ସେଇ ନାରୀଗୁଡ଼ିକ ଯେତେବେଳେ ତା ନିକଟକୁ ଆସିଥିଲେ, ସେମାନେ ଜାଣିଥିଲେ ସେ ତାଙ୍କର ଦେହ ବିକ୍ରିତ, କିନ୍ତୁ ମିନି ଯେତେବେଳେ ତା ପାଖକୁ ଯାଇଥିଲା, ସେ ପ୍ରକାର ତାର ମନୋଭାବ ନଥିଲା । ତାର ମନୋଭାବ ଥିଲା ମୋହନଙ୍କୁ ଭଲ କରିବ...କିନ୍ତୁ ସେମାନେ ଚାହିଁଥିଲେ ମୋହନର ପକେଟ ହାଲୁକା କରିବା ପାଇଁ–ମୋହନ ଜୀବନରେ ଯେମିତି ଗୁଡ଼ିଏ ଆସିଥିଲେ ସେ ପ୍ରକାରର ସ୍ତ୍ରୀ ଲୋକ, ସେମାନଙ୍କ ଜୀବନରେ ମଧ୍ୟ ବହୁତ ମୋହନ ଦେଖା ଦେଇଥିଲେ । ଦୁଇ ପକ୍ଷ ଭିତରେ ବନ୍ଧନ ଥିଲା ପଇସା । ମିନି ଚାହିଁ ନ ଥିଲା କିଛି, କିନ୍ତୁ କିଏ କହିବ ! ପ୍ରତ୍ୟେକ ନାରୀ ଚାହେଁ, ଇଚ୍ଛା କରେ, ମନେ ମନେ ସ୍ଵପ୍ନ ଦେଖେ ତାର ଗୋଟାଏ ଛୋଟିଆ ସଂସାର–ସେଠି ହସ ଥିବ, ଖେଳ ଥିବ, କୌତୁକ ଥିବ, ଆନନ୍ଦ ଥିବ ।

 

ପୁଣି ମୋହନ ଭାବିଲା–ସେଇ ସ୍ତ୍ରୀ ଲୋକଗୁଡ଼ିକ–ହଁ ସେଇମାନେ, କେବେ କାହିଁକି ଟାଣିବାକୁ ଚେଷ୍ଟା କରି ନାହାନ୍ତି ତାକୁ ? ସେମାନଙ୍କର କଣ ଅଭିଳାଷ ନ ଥିଲା । ସେମାନେ କଅଣ ଘର ସଂସାର ବସାଇବାକୁ ତାଙ୍କର କିଶୋରୀ ବୟସରେ ଭାବି ନ ଥିଲେ ? ସ୍ପୃହାହୀନ ଭାବରେ, ଆବେଗହୀନ ଭାବରେ ସେମାନେ ତାକୁ ତାଙ୍କର ଦେହ ଦେଇଛନ୍ତି । କାରଣ ଦେହ ଦେବାକୁ ହେବ, ଏଟା ଜଣା କଥା, ନ ହେଲେ କିଏ କାହିଁକି ତାଙ୍କ ପାଖକୁ ଯାଆନ୍ତା । କିନ୍ତୁ ବିବାହ ପରେ–ବିବାହ ପରେ ମଧ୍ୟ ନାରୀ କଅଣ ସେଇଆ ଭାବେ ନା ? ବିବାହ ପରେ କଅଣ ନାରୀ କାମନାର ଖୋରାକ ହୁଏନା ? ସେ ଯେ ସେୟା ହେବ ସେଟା କଅଣ ସେ ଜାଣେ ନା ? ସେ ଜାଣେ, ସେ ନିଶ୍ଚୟ ଜାଣେ । ତେଣୁ ସେଇ ନାରୀଗୁଡ଼ିକ ଆଉ ନିଜର ପତ୍ନୀ ଏକ ମନୋଭାବ ଧରି ସ୍ଵାମୀ ପାଖକୁ ଯାନ୍ତି । କାମନାର ଖୋରାକ ହେବାକୁ ଆସନ୍ତି । ତାଙ୍କର ଦେହଗୁଡ଼ିକ, ତାଙ୍କର ମନଗୁଡ଼ିକ ସବୁ ଏକପ୍ରକାର । କିନ୍ତୁ ପତ୍ନୀ–ସେ ଗୋଟାଏ ଘର ଆଉ ଗୋଟାଏ ମଣିଷ ପାଖରେ ଆବଦ୍ଧ ରହେ; କାରଣ ସେ ଜାଣେ ଯୌବନ ବେଶୀ ଦିନ ରହିବ ନାହିଁ । ତେଣୁ ଅବଲମ୍ବନ ପାଇଁ, ଜୀବନରେ ସ୍ଥିରତା ପାଇଁ, ବୃଦ୍ଧ ବୟସରେ ଅସହାୟ ନ ହେବାପାଇଁ ଘରଟିକୁ ବାଛିନିଏ, ପୁଅ ଝିଅ ଉତ୍ପାଦନ କରେ । ଏଇ ଝିଅଗୁଡ଼ିକ ବେଶୀ ଚାଲାଖ୍‍, ବେଶୀ ଧୂର୍ତ୍ତ । ବିବାହ ତାଙ୍କ ପାଇଁ ଗୋଟାଏ ଇନସ୍ୟୁରେନ୍‍ସ, ଗୋଟାଏ ସିକ୍ୟୁରିଟି ।

 

ମୋହନ ଜୀବନ, ପରିବାର, ସାଂସାରିକ ସୁଖ ଦୁଃଖ ସହିତ କେବେ ହେଲେ ଜଡ଼ିତ ନ ଥିଲା । ତେଣୁ ତାର ବିକାରଗ୍ରସ୍ତ ମନୋଭାବ ବିକୃତ କଳ୍ପନାରେ ବ୍ୟସ୍ତ ରହିଲା । ଗୋଟାଏ ପରେ ଗୋଟାଏ ଚିନ୍ତା କ୍ଷଣକ ଭିତରେ ଆସିଲା, ଉଭେଇ ଗଲା, ପୁଣି ଦେଖାଦେଲା । କିନ୍ତୁ ତାର ଆଖି ସ୍ଥିର ଭାବରେ ଥିଲା ମିନି ଉପରେ । ତାର ଆଖିର ଦୃଷ୍ଟିରେ କୋମଳତା ନ ଥିଲା, ସ୍ନେହ ନ ଥିଲା । କିମ୍ବା ଗୋଟାଏ ଦାୟିତ୍ଵପୂର୍ଣ୍ଣ ଲୋକ ଗୋଟାଏ ବିଶେଷ କାମ ପଡ଼ିଲେ ଯେପରି ସ୍ଥିର ହୋଇ ଚିନ୍ତା କରେ ତା’ର ଲକ୍ଷଣ ନ ଥିଲା ।

 

‘‘ମୋହନ ଭାଇ, ତୁମେ ଚାଲିଗଲେ ମୁଁ କଅଣ କରିବି ?’’

 

‘‘ଭାବିବାର ବିଷୟ ।’’

 

‘‘ମୋର ଭବିଷ୍ୟତ କଅଣ ହେବ ?’’

 

‘‘ମୁଁ ଭବିଷ୍ୟତବକ୍ତା ନୁହେଁ, ମିନି ! ମୁଁ ବର୍ତ୍ତମାନ କେବଳ ମତେ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛି । ମୋ ପାଖରେ ଆଉ କିଛି ଚିନ୍ତା ନାହିଁ । ଅନ୍ୟ କିଛି ମଧ୍ୟ ମୁଁ ଚିନ୍ତା କରିବାକୁ ଚାହେଁନା; କିନ୍ତୁ ହଜାର ହଜାର ପ୍ରଶ୍ନ ଆସି ମତେ ବିବ୍ରତ କରୁଛି । ବାପାଙ୍କ ଦେହ ଖରାପ, ଶ୍ୟାମଳୀର ବିବାହ । ତୁ ପୁଣି ଏକ ନୂଆ ବିପଦ–ଏଗୁଡ଼ିକ ସବୁ ବାଧା ଦେବାକୁ ଆରମ୍ଭ କରିଛି । ମୁଁ ଦେଖୁଛି ଏଠି ଯେତେଦିନ ରହିବି, ଏଇ ବିପଦର ମାତ୍ରାଗୁଡ଼ିକ ସବୁ ବଢ଼ି ବଢ଼ି ଚାଲିବ ।’’

 

‘‘ମୋ କଥା କିଛି ଭାବିବ ନାହିଁ ?’’

 

‘‘ଭାବିବି, ଭାବିବି,’’ ମୋହନ ଉଠି ବସିଲା, ‘‘ନିଶ୍ଚୟ ଭାବିବି ! ମୁଁ ଟିକିଏ ଆସେ, ପଛେ ଆସିବୁ, ଭାବି ଚିନ୍ତି କହିବି...’’ ମୋହନ ଉଠି ଜାମାଟା ପିନ୍ଧିବାକୁ ଗଲା । ଜାମା ପିନ୍ଧି ସାରି ସେ କହିଲା, ‘‘ମୁଁ ଆସେ, ଭାବେ, ତତେ ଜଣାଇବି...’’ କହି ତାର ସାଇକେଲ ରଖିବା ଜାଗାକୁ ଗଲା ଏବଂ ବିରକ୍ତିର ସହ ତାର ସାଇକେଲଟିକୁ ବାହାର କରି ପଛକୁ ଅନାଇ ଦେଖିଲା ଘର ସେପଟ କଣକୁ ବୋଉ ଠିଆ ହୋଇଛନ୍ତି । ତା’ ମୁହଁରୁ ବାହାରିଲା, ‘‘ନନସେନ୍‍ସ’’। ପୁଣି ତା ମୁଣ୍ଡରେ ଭିନ୍ନ ଚିନ୍ତା ଦେଖା ଦେଲା । ବୋଉ ବୋଧହୁଏ ସବୁ ଶୁଣିଛନ୍ତି । ସେ ବୁଲି ପୁଣି ଥରେ ବୋଉ ମୁହଁକୁ ଦେଖିଲା । ବୋଉ ଆଖିରେ ସେତେବେଳେ ଥିଲା ଆକ୍ରୋଶ, ଗୋଟାଏ ନିଆଁ, ଗୋଟାଏ ଆତଙ୍କ ଆଉ...ଆଉ...ମୋହନ ସାଇକେଲକୁ ଧରି ବାହାରିଗଲା ଏବଂ ମନକୁ ମନ କହିଲା–‘‘ଆଇ ଡୋଣ୍ଟ କେଆର୍‍’’ ।

 

ମାଧବୀ ଦେବୀ ଧୀରେ ଧୀରେ ମୋହନର କକ୍ଷ ଭିତରକୁ ପ୍ରବେଶ କଲେ । ମିନତି ସେତେବେଳେ ଫୁଲି ଫୁଲି କାନ୍ଦୁଥିଲା । ମାଧବୀ ଦେବୀ ଯେତେବେଳେ ତା ପିଠିରେ ହାତ ଥୋଇଲେ, ମିନତି ଅନାଇଲା ପଛପଟକୁ । କିନ୍ତୁ ସେ ଯାହା ଭାବିଥିଲା, ହାତଟି ଯାହାର ବୋଲି ଭାବୁଥିଲା, ଦେଖିଲା ତାହା ନୁହେଁ ।

 

ମାଧବୀ ଦେବୀ କୋମଳ ଭାବରେ କହିଲେ– ‘‘ମିନି, ତୁ କାନ୍ଦନା, ତୁ ମୋ ଝିଅ ପରା, ଆ ।’’

 

ମାଧବୀ ଦେବୀ ସବୁ କଥା ଶୁଣିଥିଲେ । ଯାହା ଶୁଣି ପାରି ନଥିଲେ ତାହା ଅନୁମାନ କରିନେଇଥିଲେ, ଏବଂ ଯାହା କୁହା ନ ହୋଇଥିଲା ତାହା ମଧ୍ୟ ଅନୁମାନ କରିନେଇଥିଲେ । ନାରୀମାନଙ୍କର ଏହା ଗୋଟିଏ ବିଶିଷ୍ଟ ଗୁଣ । ଅଳ୍ପ ଦେଖି, ଅଳ୍ପ ଶୁଣି ସେମାନେ ଢେର ବେଶୀ ଦୂରକୁ ଦେଖି ପାରନ୍ତି । ଅନେକ ବେଶୀ କଥା ବୁଝିପାରନ୍ତି । ତାଙ୍କର ଧାରଣା ଗୁଡ଼ିକ ଅନେକ ସମୟରେ ଠିକ ହୁଏ–ତାଙ୍କର ଦୁର୍ବଳ ମନରେ ଯେଉଁ ଛୋଟ ବଡ଼ ଦାଗଗୁଡ଼ିକ ପଡ଼େ, ତାଙ୍କର ମନର ତନ୍ତ୍ରୀରେ ଯେଉଁ ସୁର ଜାଗେ, ତାକୁ ସେମାନେ ଠିକ ଶୁଣନ୍ତି, ଠିକ ବୁଝନ୍ତି ।

 

ମିନତି ମାଧବୀ ଦେବୀଙ୍କ ଛାତିରେ ଲୁଚିଯାଇ କଇଁ କଇଁ ହେଇ କାନ୍ଦିଲା ।

 

ଏଇ ଗୋଟାଏ ଝିଅ, ମାଧବୀ ଦେବୀ ଭାବିଲେ, ଜୀବନରେ ଯେତେଗୁଡ଼ିଏ ଭୁଲ ସେ ନିଜେ କରିଥିଲେ, ତାର ପରିଣାମରେ ଆଜି ଯେଉଁ ବିଷୟ ପ୍ରକ୍ରିୟା ଏଇ ପରିବାର ଭିତରେ ଆରମ୍ଭ ହୋଇଛି, ତାରି ଭିତରେ ପ୍ରବେଶ କରି ଏଇ ଝିଅଟି ମଧ୍ୟ ବିଷର ଜ୍ଵାଳା ଅନୁଭବ କରିବାକୁ ଆରମ୍ଭ କରିଛି । ସେ ତା ପିଠିରେ ହାତ ବୁଲାଇ ଦେଲେ । ତାକୁ କାନ୍ଦିବାକୁ ମନା କଲେ, ତାକୁ ବୁଝାଇବାକୁ ଚେଷ୍ଟା କଲେ । ତାଙ୍କର ମୁହଁ କଥା କହୁଥାଏ, କିନ୍ତୁ ତାଙ୍କର ମୁଣ୍ଡ ଥିଲା ଅନ୍ୟଠି, ଚିନ୍ତା ଥିଲା ଅନ୍ୟଠି । ସେ ଭାବୁଥିଲେ–ଭାବୁଥିଲେ–ଭାବୁଥିଲେ ମିନତି ଦେହରେ ହାତ ବୁଲାଉଥିଲେ–ମିନତି କାନ୍ଦୁଥିଲା ।

 

ଅଠର

 

ମୋହନ ଘରୁ ଯେତେବେଳେ ବାହାରିଲା, ସେ ଜାଣି ନ ଥିଲା କୁଆଡ଼କୁ ଯିବ; କିନ୍ତୁ ଏତକ ଜାଣିଥିଲା ଯେ ସେ ଘରେ ରହିପାରିବ ନାହିଁ । କଅଣ ମିନତି ବର୍ତ୍ତମାନ ଘରେ ଥିବ । ବୋଉ.....ହଁ, ବୋଉ ବୋଧହୁଏ ଶୁଣିଛି, ତାର ସେଇ ଆଖି, ହଁ, ସେ ନିଶ୍ଚୟ ଶୁଣିଛି.....ନିଶ୍ଚୟ ଶୁଣିଛି ।

 

ମୋହନ ସାଇକେଲ ଖଣ୍ଡିକ ଧରି କଲେଜ ପାଖରେ ପହଞ୍ଚିଲା । କଲେଜଛକ ପାଖରେ ଓହ୍ଲାଇ ଦେଖିଲା କଲେଜ ଆଡ଼କୁ । ଏଇ ପ୍ରକାଣ୍ଡ କୋଠାଟି ସହିତ ଗଲା ତିନିଟି ବର୍ଷ ସେ ସଂସ୍ପର୍ଶରେ ଆସିଛି । କିନ୍ତୁ ଯେମିତି ଜଣାଗଲା ଏ ଜାଗାଟା ସହିତ ତାର କିଛି ସଂଶ୍ରବ ନାହିଁ ।

 

କଲେଜର ସହପାଠୀମାନଙ୍କୁ ଦେଖିଲା । କେହି କେହି ତା ପାଖରେ ଆସି ତା ସହ କଥାବାର୍ତ୍ତା କରିବାକୁ ଆରମ୍ଭ କଲେ । କିଏ ପଚାରିଲା ସେ କେବେ ବିମାନ ବାହିନୀରେ ଯୋଗ ଦେବ । ଆଉ କିଏ କହିଲା, ‘‘ମୁଁ ଭାବୁଛି, ସେ ବିପଦ ଭିତରକୁ ଯିବାଠୁ ପାଠ ପଢ଼ି କିଛି ଗୋଟାଏ ଛୋଟିଆ ଚାକିରି କରିଥିଲେ ବରଂ ଭଲ ହୋଇଥାନ୍ତା ।’’

 

ଆଉ କିଏ କହିଲା, ‘‘ମୋହନ, ଆକାଶରେ ଯେଉଁଦିନ ଉଡ଼ିବୁ, ସେତେବେଳେ ତୁ କଅଣ ଏଇ ତୋର ମାଟି ଉପରର ସହପାଠୀମାନଙ୍କ କଥା ମନେ ପକାଇବୁ ?’’

 

ପଦ୍ମା ସେଆଡ଼ୁ ଆସିଲା ଏବଂ ମୋହନକୁ ଦେଖି ଠିଆ ହୋଇଗଲା, ‘‘ଆପଣ ପଢ଼ା ଛାଡ଼ିଦେଲେ ?’’

 

ମୋହନ ହସରେ ଉତ୍ତର ଦେଲା ।

 

‘‘ବିମାନ ବାହିନୀରେ ଯୋଗ ଦେଉଛନ୍ତି ଶୁଣିଲି ?’’

 

ମୋହନ ମୁଣ୍ଡ ହଲାଇଲା ।

 

‘‘ଆକାଶରେ ଉଡ଼ିବେ, କେତେ ମଜା !’’

 

‘‘ତୁମେ କେବେ ଉଡ଼ିଛ ?’’

 

ପଦ୍ମା ମୁଣ୍ଡ ହଲାଇଲା । ତା ମୁହଁରେ ଥିଲା ହସ । ତା ଆଖିରେ ଥିଲା କଳ୍ପନା । ତା ଅଧରର ଶିଥିଳତା ବୁଝାଉଥିଲା....ହଁ, ବୁଝାଉଥିଲା ଗୋଟାଏ ଚୁମ୍ବନର ଈପ୍‌ସା –ମୋହନ ଭାବିଲା-

 

ମୋହନ ହସିଲା ।

 

‘‘ତୁମେ ଉଡ଼ିବାକୁ ଇଚ୍ଛା କର !’’ ମୋହନ ପଚାରିଲା ।

 

‘‘କିଏ ମତେ ନେଇଯିବ ?’’

 

‘‘ମୁଁ ଆସେ, ଆର ଥରକୁ ନେଇଯିବି ।’’

 

‘‘କିନ୍ତୁ ସେଠାକୁ ଗଲେ ଆମ କଥା ତୁମର ମନେରହିବ ତ !’’

 

‘ଆପଣ’ରୁ ‘ତୁମେ’କୁ ଖସି ଆସିବା ମୋହନ ନଜରରେ ପଡ଼ିଲା । ମୋହନ ଆଉ ପଦ୍ମାର କଥାବାର୍ତ୍ତା ଆରମ୍ଭ ହେବାରୁ ଅପର ବନ୍ଧୁମାନେ ସୌଜନ୍ୟ ଦୃଷ୍ଟିକୋଣରୁ ଅପସରି ଯାଇ ଦୂରରେ ଠିଆ ହେଲେ ।

 

‘‘ନିଶ୍ଚୟ ମନେରହିବ’’

 

‘‘ପ୍ରମାଣ କଅଣ ?’’

 

ମୋହନ ଚାରିଆଡ଼କୁ ଦେଖିନେଲା, ନା, ପାଖରେ କେହି ନାହାନ୍ତି, ସେ କହିଲା, ‘‘ପ୍ରମାଣ ଦେବା ପାଇଁ ଏଟା ଉପଯୁକ୍ତ କ୍ଷେତ୍ର ନୁହେଁ ପଦ୍ମା, ଟିକିଏ ନିରୋଳା ହୋଇଥିଲେ ନିଶ୍ଚୟ ପ୍ରମାଣ ଦେଇଥାନ୍ତି ।’’

 

ମୋହନ ମୁହଁକୁ ପଦ୍ମା ଅନାଇଲା–ତୀକ୍ଷ୍‍ଣ ଦୃଷ୍ଟି । ମୋହନ ଆଖିରେ ଥିଲା ହସ, ଓଠରେ ଥିଲା ହସ, ମନରେ ମଧ୍ୟ ଥିଲା ହସ ।

 

ପଦ୍ମା ବାଷ୍ପପୂର୍ଣ୍ଣ କଣ୍ଠରେ, ଚିପା କଣ୍ଠରେ କହିଲା ‘ଆମ ଘରକୁ ଯିବ !’

 

‘‘ନିମନ୍ତ୍ରଣ କରୁଛ ?’’

 

ପଦ୍ମା ମୁଣ୍ଡ ହଲାଇଲା–

 

‘‘କଅଣ ଦେବ’’

 

‘‘କଅଣ ଚାହଁ’’

 

‘‘ଶହେଟି ଚୁମା’’

 

ପଦ୍ମା କଣେଇ ଚାହଁ କହିଲା, ‘‘ମାତ୍ର ?’’

 

ତାପରେ ଧୀରେ ଧୀରେ ସେ ଚାଲିବାକୁ ଆରମ୍ଭ କଲା । ବେଶ ଛନ୍ଦରେ ପଡ଼ିଲା ତାର ଗୋଡ଼ । ମୋହନ ରହି ଯାଉଥିଲା । ପଦ୍ମା କହିଲା, ‘‘ଆସ, ଯିବ ପରା ?’’

 

ସେ ଦିନ ରାତି ପ୍ରାୟ ଦଶଟା ପରେ ଯେତେବେଳେ ମୋହନ ପଦ୍ମା ଘରୁ ବାହାରିଲା, ଗୋଟାଏ ଭୟ ଦେଖାଦେଲା ତା ମନରେ । ତାର ଗୋଡ଼ ଚଳିଲା ନାହିଁ । ସେ ଘରଆଡ଼କୁ ଆଗେଇ ପାରିଲା ନାହିଁ । ତାର ଯେମିତି ମନେହେଲା ସେଇ ଘରେ କିଛି ଗୋଟାଏ ଅଛି, ଯାହା ତାକୁ ଖତମ କରି ଦେବାକୁ ବସିଛି । ମିନି, ହଁ, ମିନତି ସେଠି ଥାଇପାରେ । ମିନତି ପାଇଁ ସେ ରହିପାରେନା । ଅସମ୍ଭବ । ତା ଛଡ଼ା ଏଇ ସରଳ ଝିଅଟି ପ୍ରତି ତା’ ମନରେ ଏକ ଭୟ ଜାତ ହେଲା-। ସେ କଅଣ ? ତାର କି ଶକ୍ତି ଥିଲା ?! ତାର ମନେପଡ଼ିଲା ମିନିର ଆଖି ଦିଓଟି । ସେ ଆଖିର କରୁଣ ଚାହାଣୀ । ଓଃ କି କରୁଣ, ସହି ହୁଏନା, ନିଜର ହାଡ଼ ଭିତରେ ମଧ୍ୟ କଲିଜାଟା ଚିପି ହୋଇ ଆସେ । ପୁଣି ମନେପଡ଼ିଲା ବୋଉର ଆଖି । ଓଃ କି ଭୟଙ୍କର ! କେମିତି ସେ ଯାଇ ଠିଆ ହେବ ବୋଉ ଆଗରେ ! ନା, ଅସମ୍ଭବ । ସେ କାଲି, ହଁ କାଲି କଟକ ଛାଡ଼ିଯିବ । କୌଣସି ଜଣେ ବନ୍ଧୁ ପାଖରୁ କିଛି ଟଙ୍କା ଧାର କରି ଚାଲିଯିବ । ଲୁଗାପଟା କିଣିନେବ । କିନ୍ତୁ ଘରକୁ ଫେରି ହେବ ନାହିଁ-। ବର୍ତ୍ତମାନ ଅନ୍ତତଃ ନୁହେଁ ।

 

ଆଜି ରାତିଟା ବିଶ୍ରାମ ନେବ କେଉଁଠି ? କେଉଁଠାକୁ ଯିବ ? ତାର ହଠାତ ମନେପଡ଼ିଲା ମଧୁ କଥା । ହଁ ମଧୁ ଘରକୁ ଯିବ । ମଧୁ ଘର ବେଶୀ ବାଟ ନୁହେଁ । ଦଶଟା ମିନିଟରେ ସେଠି ପହଞ୍ଚି ହେବ । ସେ ନିକଟରୁ ଗୋଟାଏ ଦେକାନରୁ ଗୋଟାଏ ପାକେଟ ସିଗାରେଟ କିଣି ସାଇକଲରେ ଉଠିଲା ।

 

‘‘କିରେ’’ ମଧୁ ତାକୁ ଦେଖି କହିଲା, ‘‘ଏତେବେଳେ’’

 

‘‘ହଁ, ଆଜି ରାତିଟା ପାଇଁ ବିଶ୍ରାମ ଦରକାର ।’’

 

‘‘ଏଇଠି ରହିବୁ ?’’

 

‘‘ହଁ’’

 

‘‘କାହିଁକି ? ନିଜ ଘରେ କଅଣ ହେଲା ?’’

 

‘‘ଆଜି ରାତିଟା ମୁଁ ବାହାରେ ରହିବାକୁ ଚାହେଁ ।’’

 

ମଧୁ ତା ମୁହଁକୁ ଦେଖିଲା । ବାଳ ଗୁଡ଼ିକ କିପରି ଏପଟ ସେପଟ ହୋଇଯାଇଛି । ମୁହଁରେ କ୍ଳାନ୍ତିର ଆଭାସ । ହୁଏତ ଖାଇନାହିଁ । କଥା କଅଣ ! ପୁଣି, ମୋହନ ବଡ଼ ଲୋକ । ତାଙ୍କ ଘରେ ଦଦରା ଶେଯରେ ଶୋଇବ । ଯଦି ଖାଇ ନଥାଏ, ତାଙ୍କ ଘରେ କଅଣ ଖାଇ ତାର ମନ ମାନିବ ? ସେ ଭୟ ଭୟରେ ପଚାରିଲା, ‘‘ଶୋଇବୁ ଯେ, କିନ୍ତୁ ଜାଣିଚୁ ତ ଭାଇ ଆମେ ଗରିବ, ଯାହା ଦିଟା ଥିବ, ଆ ଦେଖେ.... ।’

 

ତାର ହାତ ଧରିପକାଇ ମୋହନ କହିଲା, ‘‘ଚିନ୍ତା କରନା । ମୁଁ ଖାଇ ଆସିଛି ।’’

 

ମଧୁ ଅଟକି ଯାଇ କହିଲା, ‘‘କଅଣ ଖାଇଚୁ ?’’

 

ମୋହନ ହସି ହସି କହିଲା, ‘‘ଗଣି ଗଣି ଶହେଟା ଚୁମା ।’’

 

ମଧୁ ତା କଥାକୁ ବିଶ୍ୱାସ କରିପାରିଲା ନାହିଁ । ସେ ପଚାରିଲା ‘‘କଅଣ କହିଲୁ ?’’

 

ଆଉ ଥରେ ମୋହନ କହିଲା, ‘‘ଚୁମା, ଆଉ ତାର ସଂଖ୍ୟା ହେଉଛି ଶହେ ।’’

 

ଉଣେଇଶ

 

ମୋହନ ବାହାରିଗଲା ।

 

ମାଧବୀ ଦେବୀ ମିନତିକୁ ଏକା ଛାଡ଼ି ଅନ୍ୟ ଆଡ଼େ ଯାଇ ପାରିଲେ ନାହିଁ । ସେ ତା ପାଖରେ ଥୋଡ଼ାଏ ବେଳ ବସି ରହିଲେ ମୋହନର କକ୍ଷ ଭିତରେ । ତାଙ୍କ କାନ ଭିତରେ ଯେପରି ଶୁଣାଗଲା ମୋହନ ଆଉ ମିନତିର କଥା ଗୁଡ଼ିକ । ସେ ସବୁ କଥା ଶୁଣିଥିଲେ । ସେ ଘରୁ ବାହାରି ପ୍ରକୃତରେ ଅନ୍ୟଆଡ଼େ ଯାଇ ନଥିଲେ–ସେ ଭାବିଥିଲେ ମିନତି ମୋହନକୁ ଅନୁରୋଧ କରିବ ଘରେ ରହିବା ପାଇଁ, ପଢ଼ା ଶୁଣାରେ ମନଦେବା ପାଇଁ–ତାଙ୍କର ଇଚ୍ଛା ହେଲା ସେ ମିନତିକୁ ସବୁ କଥା ପଚାରିବେ । କିନ୍ତୁ କେମିତି ପଚାରିବେ । ସେ ମା’ ଆଉ ମିନତି ଝିଅ । କଅଣ ପଚାରିବେ ! ଏହି ସମୟରେ କଅଣ ଗୋଟାଏ କାମରେ ଶ୍ୟାମଳୀ ଆସି ତାଙ୍କ ପାଖରେ ପହଞ୍ଚିଲା ।

 

‘‘ଶ୍ୟାମଳୀ, ମା ଆଇଲୁ’’ ମାଧବୀ ଦେବୀ କହିଲେ ।

 

ଶ୍ୟାମଳୀ ଦେଖିଲା ମିନତି କାନ୍ଦୁଛି ।

 

‘‘କଅଣ ହେଲା ବୋଉ’’ ସେ ପଚାରିଲା । ତାକୁ ଇଙ୍ଗିତରେ ବାହାର ଆଡ଼କୁ ଡାକି ନେଇ ମାଧବୀ ଦେବୀ କହିଲେ, ‘‘ତା ପାଖରେ ବସି ରହ, ତାକୁ ନୀରୋଳାରେ ମୋଟେ ଛାଡ଼ିଦେବ ନାହିଁ । ନ ହେଲେ ସେ କଅଣ ନା କଅଣ କରି ବସିବ ।’’

 

ଶ୍ୟାମଳୀ କିଛି ବୁଝିପାରିଲା ନାହିଁ ।

 

ବୋଉ ଚାଲିଯିବା ପରେ ଶ୍ୟାମଳୀ ମିନତି ପାଖରେ ବସି ପଚାରିଲା, ‘‘ମୋହନ ଭାଇ କ’ଣ କହିଲେ ?’’

 

ତା’ପରେ ପଚାରିଲା, ‘‘ବୋଉ କ’ଣ କହିଲେ ?’’

 

ପୁଣି ପଚାରିଲା, ‘‘ଯାଦବ ଭାଇ କ'ଣ କହିଲେ’’ ?

 

ପୁଣି ସେ କଅଣ ଭାବିଲା, ଆଉ ପଚାରିଲା, ‘‘ଘରେ କଅଣ ହେଇଛି ?’’

 

କିଛି ଉତ୍ତର ଆସିଲା ନାହିଁ । ଶ୍ୟାମଳୀକୁ କାହିଁକି କଥାଟା ମୋଟେ ଭଲ ଲାଗିଲା ନାହିଁ-। ଜଣେ ପାଖରେ ବସି ବସି କାନ୍ଦିବ–ଏଟା ତାକୁ ମୋଟେ ଭଲ ଲାଗେନା । ଜଣେ ପାଖରେ ବସି କଷ୍ଟ ପାଇବ–ଏଟା ସେ ମୋଟେ ସହି ପାରେନା । ବାପା ଯେ ବର୍ତ୍ତମାନ ରୋଗରେ ପଡ଼ିଛନ୍ତି, ଉଠିବା ଶକ୍ତି ନାହିଁ, କହିବା ଶକ୍ତି ନାହିଁ–ଏଟା ତାକୁ ମୋଟେ ଭଲ ଲାଗୁନି । ଘରଟା ଭିତରେ ଯେ ଗୋଟାଏ ଅଶାନ୍ତି କୁଆଡ଼ୁ ଆସି ସମସ୍ତଙ୍କୁ ମାଡ଼ି ବସିଛି, ଏଟା ତାକୁ ମୋଟେ ଭଲ ଲାଗୁନି-। ତାର ନିଶ୍ୱାସ ଚିପି ହେଲାପରି ଜଣାଯାଉଛି । ଘରୁ କୁଆଡ଼କୁ ପଳାଇ ପାରିଲେ ସେ ହୁଏତ ରକ୍ଷା ପାଆନ୍ତା । ଘର, ସଂସାର, ଆଉ ଘର ସଂସାରର ଶାନ୍ତି ବିଷୟରେ ବହୁତ ଗଳ୍ପ କବିତା ସେ ପଢ଼ିଥିଲା, ଘର ଭିତରର ଜଞ୍ଜାଳ ବିଷୟରେ ମଧ୍ୟ ସେ ବହୁତ କିଛି କାହାଣୀ ପଢ଼ିଥିଲା, ଶୁଣିଥିଲା, କିନ୍ତୁ ସେ ଦେଖିଲା ତାର ବ୍ୟକ୍ତିଗତ ଅନୁଭୂତି ସେ ସବୁ ଗଳ୍ପ କାହାଣୀଠୁ ଭିନ୍ନ । ଆହୁରି କରୁଣ-

 

ମିନତି ହଠାତ୍ ଉଠି ବସିଲା । ତାର ବାଳଗୁଡ଼ିକ ଫୁରୁ ଫୁରୁ ହୋଇ ଉଡ଼ୁଥାଏ । କାନ୍ଦି କାନ୍ଦି ତାର ଆଖି ଯୋଡ଼ିକ ନାଲିଆ ପଡ଼ିଯାଇଥାଏ । ତାର ମୁହଁଟା ଫୁଲିଲା ପରି ଦିଶୁଥାଏ ।

 

ମିନତି କହିଲା, ‘‘ମୁଁ ଯାଏଁ.....’’

 

‘‘କୁଆଡ଼େ ଯିବ ?’’

 

‘‘ଘରକୁ ।’’

 

‘‘ବୋଉ ତୁମକୁ ଅଟକାଇବାକୁ କହିଯାଇଛି, ତୁମେ ଯାଇପାରିବ ନାହିଁ ।’’

 

‘‘ଆମ ଘରକୁ ଯାଇପାରିବି ନାହିଁ ?’’

 

ଠିକ ଏଇ ସମୟରେ ମାଧବୀ ଦେବୀ ଆସି କହିଲେ, ‘‘କୁଆଡ଼େ ଯିବୁ ମିନି ?’’

 

‘‘ଘରକୁ’’

 

‘‘ତୁ କେଉଁଠୁ ଅଛୁ ?’’

 

କଥାଟାର ଇଙ୍ଗିତ ମିନତି ଅଧା ବୁଝିଲା, ଅଧା ବୁଝିଲା ନାହିଁ । ମାଧବୀ ଦେବୀ ବହୁବାର ତାକୁ କହନ୍ତି ଏଇଟା ତା ନିଜ ଘର ।

 

ମିନତି କିଛି କହିଲା ନାହିଁ । ମାଧବୀ ଦେବୀ ଶ୍ୟାମଳୀକୁ କହିଲେ, ‘‘ଗଲୁ ପାଣି ଗିଲାସେ ଆଣିବୁ’’....ସେ ଚାଲିଯିବା ପରେ ମାଧବୀ ଦେବୀ ମିନତିକୁ କହିଲେ, ‘‘ମୋହନକୁ ଯାହା କହିବାକୁ ଆସିଥିଲୁ ମୁଁ ଶୁଣିଛି ।’’

 

ମିନତିର ଆଖି ଯୋଡ଼ିକ ହଠାତ୍‍ ବଡ଼ ବଡ଼ ହୋଇଉଠିଲା । ସେ ଲଜ୍ଜାରେ ମ୍ରିୟମାଣ ହୋଇପଡ଼ିଲା । ସେ ଦେଖିଲା ମାଧବୀ ଦେବୀଙ୍କୁ ତାଙ୍କ ଆଖିକୁ । ନା, ସେ ଆଖିରେ ଭର୍ତ୍ସନା ନ ଥିଲା,ଆକ୍ରୋଶ ନ ଥିଲା । ଥିଲା ସ୍ନେହ, ଥିଲା କରୁଣା । ମାଧବୀ ଦେବୀ ତା ଆଗକୁ ଆଗେଇ ଆସିଲେ । ମିନତି ହଠାତ୍‍ ତାଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା, ‘‘ମୋର ଏକମାତ୍ର ବାଟ ହେଉଛି ବିଷ ଖାଇବା ମାଉସୀ, ମୋତେ କ୍ଷମା କର ।’’

 

ମତେ ମା’ଡାକିଲେ ଆଉ ଖୁସି ହେବି । ଆଜିଯାଏ ମାଉସୀ ଥିଲି–ଆଜିଠୁ ମା’ ଡାକିବୁ-!’’ ତା’ପରେ ମାଧବୀ ଦେବୀ ପୁଣି କହିଲେ ତାକୁ କୋଳ ଉପରକୁ ଆଉଜାଇ ନେଇ ‘‘ମୋର ଦୁଇଟି ପୁଅ ଅଛନ୍ତି–ରହ ସେ ଆସୁ । ତୁ ଏକା କାହିଁକି, ମା ଝିଅ ଦୁହେଁ ଖାଇବା,...’’ ଏତିକିବେଳକୁ ଶ୍ୟାମଳୀ ପାଣି ଆଣି ପହଞ୍ଚିଲା ।

 

ସନ୍ଧ୍ୟା ହୋଇଆସିଲା ।

 

ଯାଦବ ଆସିଲା ।

 

ଯାଦବକୁ ଡାକି ନେଇ ମାଧବୀ ଦେବୀ ତାକୁ କହିଲେ, ‘‘ଯାଦବ, ତୁ ବଡ଼ ପୁଅ । ଘରର ଦାୟିତ୍ଵ, ମାନ ସମ୍ମାନ ତୋ ହାତରେ । ସମସ୍ତେ ଯାହା ଦୋଷ ଗୁଣ କରିବେ ତୋ ମୁଣ୍ଡରେ ।’’

 

ଯାଦବ ମୁଣ୍ଡ ହଲାଇଲା ।

 

ମାଧବୀ ଦେବୀ କଥା କେଉଁଠୁ ଆରମ୍ଭ କରିବେ ଠିକ୍ କରିପାରିଲେ ନାହିଁ । କିନ୍ତୁ କହିବାକୁ ହେବ । ବିଳମ୍ବ କଲେ ଚଳିବ ନାହିଁ । ବର୍ତ୍ତମାନ କହିବାକୁ ହେବ ।

 

ଯାଦବ ଶୁଣିଲା, ସବୁ ଶୁଣିଲା । ସବାଶେଷରେ ବୋଉ ତାକୁ କହିଲେ, ‘‘ନିତ୍ୟ ନୂତନ ପରିସ୍ଥିତି ଦେଖା ଦେଉଛି–ମୁଁ ଆଗରୁ ସାବଧାନ ହେବା ଉଚିତ ଥିଲା, ମୋହନ ଉପରେ ମୋର ଆଖି ରଖିବା ଉଚିତ ଥିଲା –ଦୋଷ ମୋର, ମୋ ମୁହଁକୁ ଚାହିଁ ତୁ ଗୋଟାଏ କିଛି କରି, ତା ଜୀବନକୁ ବଞ୍ଚା ।’’

 

ଯାଦବ ମୁହଁ ଶୁଖି ଯାଇଥିଲା । ସେ କରୁଣ ଭାବରେ କହିଲା, ‘‘ବୋଉ, ଦୋଷ ତୋର ନୁହେଁ । ତୁ ଅତି ସରଳ ବୋଲି ଦୋଷଟା ଟାଣି ନେଉଛୁ, ନିଜକୁ ଦୋଷୀ କରି ଠିଆ କରୁଛୁ, ଅସଲ ଦୋଷଟା ମୋର ।’’

 

‘‘ତୋର କଅଣ ଦୋଷ ?’’ ମାଧବୀ ଦେବୀ ପଚାରିଲେ । ତୁ କଅଣ କରିପାରିଥାନ୍ତୁ !’’

 

ଯାଦବ କିଛି କହିପାରିଲା ନାହଁ । ତା’ ଆଖି ଆଗରେ ନାଚିଲା କେତେଗୁଡ଼ିଏ ଦୃଶ୍ୟ । ମିନତି ତା ପାଖକୁ ଚାହା ଆଣେ, ଜଳଖିଆ ଆଣେ । ତା ପାଖରେ ଆସି ଠିଆ ହୁଏ । କିଛି କହେ, କିଛି ପଚାରେ । ଦୀର୍ଘ ନିଶ୍ଵାସ ମଝିରେ ମଝିରେ ଛାଡ଼େ । କିନ୍ତୁ ଯାଦବ ମୁହଁରୁ କିଛି କଥା ବାହାରେ ନାହିଁ । ସେ ବିଶେଷ କିଛି କହିପାରେ ନାହିଁ । ତା ମନ ଭିତରେ ଥାଏ ବହୁତ କଥା । ଅନ୍ତତଃ ଗୋଟିଏ କଥା ସେ ଥରକୁ ଥର ହଜାର ଥର ତାକୁ କହିବାକୁ ଇଚ୍ଛା କରିଥିଲା । ଆଉ ମିନତି, ହଁ ମିନତି ସେଇ କଥାଟିକୁ ଶୁଣିବାକୁ ଚାହିଁଥିଲା, ବ୍ୟର୍ଥ ହୋଇଥିଲା । ଆଉ...ଆଉ....ଆଉ ଗୋଟାଏ ବ୍ୟର୍ଥ ଆକ୍ରୋଶରେ ଯାଇ ଆତ୍ମସମର୍ପଣ କରିଥିଲା ଗୋଟାଏ, ହଁ ,ଗୋଟାଏ ଦୁର୍ବଳ ମୁହୂର୍ତ୍ତରେ ମୋହନ ନିକଟରେ ।

 

ଯାଦବ ପୁଣି କହିଲା, ‘‘ନା ବୋଉ,ତୁ ବୁଝିବୁନି ଦୋଷ ମୋର ।’’

 

ମାଧବୀ ଦେବୀ ପୁଣି କହିଲେ, ‘‘ଶୀଘ୍ର କିଛି ଗୋଟାଏ କରିବାକୁ ହେବ ।’’

 

‘‘ନାହାକ ଡାକି ଗଣାପଢ଼ା କରିଦେ ।’’

 

‘‘ତୁ ବର୍ତ୍ତମାନ ଯା, ଦେଖ, ଲଗ୍ନ କେବେ ଅଛି, ଘରେ ତ ପାଞ୍ଜି ନାହିଁ । ଗଣାପଢ଼ା ଦରକାର ନାହିଁ ।’’

 

ଯାଦବ ସାଇକଲ ଧରି ବାହାରିଗଲା ।

 

ମାଧବୀ ଦେବୀ ଚାକର ଟୋକାଟାକୁ ଡାକି ତାକୁ ପଠାଇଲେ ମିନତି ଘରକୁ, ତା ବୋଉକୁ ଡାକି ଦେବାକୁ । ସେମାନେ ଆସିଲେ କଥାବାର୍ତ୍ତା ଛିଣ୍ଡିଗଲା । ଆସନ୍ତା ଲଗ୍ନରେ ସବୁ ହେବ । ସେମାନେ କିଛି ଦେଇପାରିବେ ନାହିଁ । ଯାହା ପାରିବେ ଦେବେ । ମାଧବୀ ଦେବୀ କହିଲେ, ‘‘କିଏ ତମକୁ କଅଣ ମାଗୁଛି ହୋ, ମୋର ବୋହୂଟିଏ ଦରକାର, କନ୍ୟାଦାନଟା ଦେବ ତ, ନା ତା'ବି ଦବ ନାହିଁ ।’’

 

ବଡ଼ କୃତଜ୍ଞ ଭାବରେ ମିନତିର ବାପା କହିଲେ, ‘‘ତା’ ତ ଦେବାକୁ ହେବ ।’’ ତାଙ୍କ ଆଖିରେ ଲୁହ ଠିଆ ହୋଇଥିଲା ।

 

ତାଙ୍କ ପାଇଁ ଖିଆପିଆର ବନ୍ଦୋବସ୍ତ କରିବାକୁ ମାଧବୀ ଦେବୀ ଯେତେବେଳେ ଉଠିଗଲେ, ମିନତିର ବୋଉ କହିଲେ, ‘‘ଯାହାହେଉ, ମାଧବୀ ମତେ ଠକିଲା ନାହିଁ, ଯାହା କଥା ଦେଇଥିଲା ରଖିଲା ।

 

ମିନତିର ବାପା କହିଲେ, ‘‘ପିଲାଦିନର ସାଙ୍ଗକୁ କେହି ମନେ ରଖନ୍ତି ନାହିଁ । ମାଧବୀ ତୁମର ସାଙ୍ଗ ହୋଇପାରନ୍ତି; କିନ୍ତୁ ସେ ମଣିଷ ନୁହନ୍ତି, ସେ ଦେବୀ.....’’

 

ଖିଆପିଆ ଆଗରୁ ଆଉ ଆଲୋଚନା ଆରମ୍ଭ ହେଲା । ଯାଦବ ଫେରି ଆସି କହିଲା ମଝିରେ ଦୁଇଦିନ ଛାଡ଼ି ଗୋଟାଏ ଲଗ୍ନ ଅଛି । ତାର ଦୁଇ ମାସ ଅଠର ଦିନ ପରେ ଆଉ ଗୋଟାଏ-

 

‘‘ନା, ଏଇ ଲଗ୍ନରେ ହେବ’’

 

‘ଯାଦବ କହିଲା, ‘‘ତେବେ ଏଇଥିରେ ଶ୍ୟାମଳୀର ବାହାଘରଟା ସାରିଦିଅ ।’’

 

ମାଧବୀ ଦେବୀ ନୀରବ ରହିଲେ ।

 

‘‘ତୋର କଅଣ ସେୟା ଇଚ୍ଛା ?’’

 

ଯାଦବ କହିଲା, ‘‘ବୋଉ, ସରଳ ହୃଦୟରେ ମଣିଷ ଯେତେବେଳେ ନିଜକୁ ଅର୍ପଣ କରିଥାଏ ତାର ମୂଲ୍ୟ ବହୁତ ବେଶୀ, ତେଣୁ କରି ତାଙ୍କର ବିବାହ ହେବା ଉଚିତ । ତା ନ ହୋଇ ଥିଲେ ମୁଁ ଆଜି ମିନତିକୁ କେବେ ବାହାହୋଇ ନଥାନ୍ତି ।’’

 

ତା ମୁହଁକୁ ମାଧବୀ ଦେବୀ ଅନାଇଲେ । ସେ ନରମ ଭାବରେ କହିଲେ, ‘‘ମୁଁ ଯାହା ଦେଖିଛି, ସୁକୁମାର ପିଲା ଗରିବ ହେଲେ ମଧ୍ୟ ଭଲ । ତୁ କଅଣ ଭାବୁଛୁ ।’’

 

‘‘ସେ ପିଲା ହିସାବରେ ଭଲ, ଆଉ, ଗରିବ କଥା କହୁଚୁ ? ବାପା ଦିନେ ଗରିବ ଥିଲେ, ଆମେ କଅଣ ଖାଇବା ଅଭାବ ଦିନେ ଜାଣିଛୁ, ନା ପିନ୍ଧିବା ଅଭାବ ଦିନେ ଜାଣିଛୁ । ତା’ ଛଡ଼ା ଦିନ କାଳ ବଦଳି ଯାଇଛି । ମୂର୍ଖ କିଛି ନୁହେଁ, ମୁଁ ମଧ୍ୟ ଜାଣେ ସେ ଭଲ ଚାକିରିଟା ପାଇଁ ଚେଷ୍ଟା କରୁଛି । ୟାରି ଭିତରେ ପାଇଯିବ ।’’

 

‘‘ସେ କଅଣ ଏତେ ଶୀଘ୍ର ରାଜି ହେବ ?’’

 

‘‘ପଚାରିବାକୁ ହେବ ?’’

 

‘‘ଯା ବୁଝି ଆ’’

 

‘‘ବର୍ତ୍ତମାନ ?’’

 

‘‘ଆଉ ସମୟ କାହିଁ ?’’

 

ସାଂସାରିକ ଜୀବନରେ ଏହି ସବୁ ନିଷ୍ପତ୍ତିତକ ଗ୍ରହଣ କରାଯାଉଥିବା ବେଳେ ରଘୁନାଥ ବାବୁ ବାହାରେ ବସିଥିଲେ ଏବଂ ବ୍ରଜମୋହନ ବାବୁଙ୍କର ଦେଖାଶୁଣା କରୁଥିଲେ । ଘରର ମୁରବି ହୋଇ ମଧ୍ୟ ଆଜି ଏହିସବୁ କାମରୁ ଅଲଗା–ସେ କଅଣ ସବୁ କଥା ବୁଝନ୍ତେ, ତାଙ୍କ କଥା ବୁଝିବା ସକାଶେ ମଧ୍ୟ ଲୋକଙ୍କର ସମୟ ବା ମନ କିଛି ନ ଥିଲା ।

 

ରାତି ଆଗେଇ ଚାଲିଲା ।

 

ମାଧବୀ ଦେବୀ ବହୁତ ରାତିରେ ପ୍ରଶ୍ନ କଲେ, ‘‘ମୋହନ ଆସି ନାହିଁ ?’’

 

ଶ୍ୟାମଳୀ କହିଲା, ‘‘ନା’’

 

ମାଧବୀ ଦେବୀଙ୍କ ମୁହଁରୁ ଗୋଟାଏ ମାତ୍ର ଦୁର୍ବୋଧ ଶବ୍ଦ ବାହାରିଲା ।

 

ଶ୍ୟାମଳୀ କାନରେ ଗୁଡ଼ାଏ କଥା ପଡ଼ୁଥଲା । ସେ ଗୁଡ଼ାଏ କଥା ବୁଝୁଥିଲା, ଆଉ ଗୁଡ଼ାଏ କଥା ବୁଝି ପାରୁ ନ ଥିଲା । ହଠାତ୍ ତାର ଆଉ ଯାଦବ ଭାଇର ବିବାହର ନିଷ୍ପତ୍ତି ହେବ, ସେଇଟା ସେ ଆଶା କରି ନ ଥିଲା । ତାର କାରଣଟା କେଉଁଠି ସେ ବୁଝିପାରିଲା ନାହିଁ । କିନ୍ତୁ ସମସ୍ତ ସତ୍ତ୍ୱେ ତା ମନରେ ଦେଖାଦେଲା ଏକ ଆନନ୍ଦ । ଜୀବନ ପ୍ରତି ତାର ସ୍ପୃହା କମି ଆସୁଥିଲା । ଜୀବନଟା ନିରାନନ୍ଦ ହୋଇଉଠୁଥିଲା । ଗୋଟିଏ ଗ୍ରାମୋଫୋନ ଚକ ଠିକ୍‍ ନିୟମିତ ବୁଲିଲା ପରି ଦିନରାତି ଗୁଡ଼ାକ ବୁଲୁଥିଲା । ସବୁ ଦୁଃଖ, ସବୁ ଦୁଶ୍ଚିନ୍ତା ତାର ଉଭେଇଗଲା । ତା ଆଖି ଆଗରେ ଭାସିଉଠିଲା ଗୋଟାଏ ଚେହେରା । ହଁ ସେ ଚେହେରାଟିର ବରବେଶ ସେ ମନେ ମନେ କଳ୍ପନା କଲା ।

 

କୋଡ଼ିଏ

 

ଦିନଗୁଡ଼ିକ ଜୋରରେ ଗଡ଼ିଗଲା–ବିବାହ ପରେ ଶ୍ୟାମଳୀ ଗଲା ସୁକୁମାର ସହିତ ଘର ସଂସାର ବସାଇବାକୁ । ଏହା ଭିତରେ ଦିନ ପରେ ମାସ, ମାସ ପରେ ବର୍ଷ–ଏହିପରି ହୋଇ ତିନିଟା ବର୍ଷ ବିତିଗଲା ।

 

ମା ପୁଅ ବୋହୂର ସଂସାର ।

 

ସୁକୁମାର ଦରମା ପାଉଥାଏ ଅଢ଼େଇ ଶହ । ସେଥିରେ ତାଙ୍କର ଚଳିଯାଉଥାଏ ।

 

ଦିନ ଗୋଟାଏ କବିତା ଲେଖୁ ଲେଖୁ ସେ କଅଣ ଭାବି ଶ୍ୟାମଳୀକୁ କହିଲା, ‘‘ଶ୍ୟାମଳୀ, ମୁଁ ଯଦି ଚାକିରି ଛାଡ଼ିଦିଏ ?’’

 

‘’କାହିଁକି ?’’

 

‘‘ପରର ଅଧୀନସ୍ଥ ହେବାକୁ,’ସଲାମ ସାବ’ କହିବାକୁ ମତେ କେବେହେଲେ ଭଲ ଲାଗେନା ।’’

 

‘‘ତେବେ ଚାକିରି କଲ କାହିଁକି ?’’

 

‘‘କେବଳ ତମରି ପାଇଁ ।’’

 

‘‘ତେବେ ଛାଡ଼ିବ କାହିଁକି ?’’ ଶ୍ୟାମଳୀ ହସି ହସି କହିଲା, ‘‘ପୁରୁଣା ହେଇଗଲିଣି, ସରାଗ ଛାଡ଼ିଗଲାଣି, ନା ?’’

 

ସୁକୁମାର କହିଲା, ‘‘ନା, ନା, ଶ୍ୟାମଳୀ, ତୁମେ ମତେ ଭୁଲ ବୁଝୁଛ, ଆମେ ଯେ ଭଲ ଦି’ଟା ଖାଇବା, ପିନ୍ଧିବା, ରହିବା, ସେଇଥିପାଇଁ ସେତେବେଳେ ଚାକିରିଟା ଦରକାର ଥିଲା ।’’

 

‘‘ଆଜିକାଲି କଅଣ ଆମେ ଖିଆ, ପିଆ ଛାଡ଼ିଦେଲେଣି ନା କଅଣ ?’’ ଶ୍ୟାମଳୀ ମୁହଁରେ ହସ ଥିଲା ।

 

ସୁକୁମାର ହତାଶ ହେଲା ।

 

ସେ କହିଲା, ‘‘ଗଲ, ଯାଅ ଚାହା କପେ ଆଣିବ’’

 

ଶ୍ୟାମଳୀ ତା ପାଖକୁ ଆଗେଇ ଆସି କହିଲା, ‘‘କେବଳ ଚାହା କପେ ଖାଇଦେଲେ ମନ, ପେଟ ସବୁ ପୂରିଯିବ ତ !’’

 

‘‘ହଁ, ଯାଅ, ଶୀଘ୍ର କରିଆଣ’’

 

ସୁକୁମାର ଆଡ଼କୁ ଅନାଇ, ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ି ଶ୍ୟାମଳୀ କହିଲା, ‘‘ଯାଉଛି’’

 

ଶ୍ୟାମଳୀ ସୁକୁମାରର ବ୍ୟବହାରରେ ଆଉ କିଛି ଆଶା କରିଥିଲା । କାଲି ରାତିରେ ସେ ତା ପାଖରେ ଶୋଇଥିବାବେଳେ ତାଙ୍କୁ ଗୋଟାଏ କେଡ଼େ ବଡ଼ ଖବର ଦେଇଥିଲା । ଆଉ ତା ବଦଳରେ ସେ ଆଶା କରିଥିଲା ସୁକୁମାର ତାକୁ ଆଉ ବେଶୀ ଆଦର କରିବ, ସ୍ନେହ କରିବ, ତାକୁ ପାଖକୁ ଟାଣି ନେବ, ଦେହରେ ମିଶାଇଦେବ । କିନ୍ତୁ ସୁକୁମାର ହାତରେ ହାତକୁ ଦଳି ଦଳି କହିଥିଲା, ‘‘ସତେ’’

 

ଶ୍ୟାମଳୀ ଚାହା ଖାଇ ଆସିଲା ବେଳକୁ ସୁକୁମାର ଗୋଟିଏ କାଗଜରେ କଅଣ ଲେଖି ରଖିଥିଲା । ତାକୁ ଟେକି ନେଲା ଅତି ଆନନ୍ଦରେ ଏବଂ କହିଲା, ‘‘ଶ୍ୟାମଳୀ ଶୁଣିଚ ? ଆସ ଶୁଣିବ’’

 

‘‘ଚାହା ନିଅ, ମୁଁ ଯାଉଛି’’ ଶ୍ୟାମଳୀ କହିଲା ଅଭିମାନରେ ।

 

‘‘ଶୁଣ ।’’

 

ଶ୍ୟାମଳୀ ଚାଲିଗଲା ବେଳକୁ ତା କାନକୁ ଧରି ପକାଇ ସୁକୁମାର କହିଲା, ‘‘ବଡ଼ଲୋକ ଝିଅ, ଟିକିଏ ରୁହ, ଶୁଣ...... ’’

 

ସୁକୁମାର ହାତରୁ କାଗଜ ଛଡ଼ାଇ ନେଇ ଶ୍ୟାମଳୀ ତାକୁ ଦୁଇ ଖଣ୍ଡ କରିଦେଲା ।

 

ସୁକୁମାର ତାର କାନ ଗେଲଟାରେ ଧରିଥିଲା–ଛାଡ଼ିଦେଲା । ତାର ଆଖି ଦିଇଟା ଦପ କରି ଜଳିଉଠିଲା । ସେ ଠାଏ କରି ବସାଇ ଦେଲା ଗୋଟାଏ ଚାପୁଡ଼ା । ଶ୍ୟାମଳୀ ଚମକି ଉଠିଲା । ତା ମୁଣ୍ଡ ଭିତରେ ଅନ୍ଧାର ଦିଶିଲା । ସେ ସେଇଠି ତଳେ ପଡ଼ିଗଲା ।

 

ସୁକୁମାର ଘର ଭିତରୁ ବାହାରି ଚାଲିଗଲା । ନ ଖାଇ, ନ ପିଇ ବାଟରେ ବାଟରେ ବୁଲି ସେ ଗଲା ଅଫିସକୁ । ଅଫିସରେ କାମ କିଛି କରିପାରିଲା ନାହିଁ । ତାର ମନେପଡ଼ିଲା ଶ୍ୟାମଳୀ କଥା । ରାଗ ତାର କମିଗଲା । କିନ୍ତୁ ସେ କବି, ସେଇ ଛୋଟ କବିତାଟି ସେ ତ ପ୍ରକୃତରେ ଶ୍ୟାମଳୀ ପାଇଁ ଲେଖିଥିଲା । କାଲି ରାତିରେ ଶ୍ୟାମଳୀ ତାକୁ ଯେଉଁ ବଡ଼ ଉପହାରର ସୂଚନା ଦେଇଥିଲା, ସେଇ କଥା ଶୁଣି ସେ ଲେଖିଥିଲା କବିତାଟି । ଆଉ ସେଇ ଉପହାରଟି ହେବ ଗୋଟିଏ ସନ୍ତାନ । ସେ ବାପ ହେବ ।

 

ସୁକୁମାର ଚାଲିଯିବା ପରେ ଶ୍ୟାମଳୀ ଉଠିଲା । ସେ ସମ୍ପୂର୍ଣ୍ଣ ବେହୋସ ହୋଇ ନ ଥିଲା; କିନ୍ତୁ ପ୍ରକୃତିସ୍ତ ହୋଇ ଉଠିବା ଆଗରୁ ସୁକୁମାର ଚାଲିଯାଇଥିଲା ।

 

ସେ ଛିଣ୍ଡା କାଗଜ ଦୁଇଟି ଉଠାଇ ନେଲା । ତାକୁ ଯୋଡ଼ି ଦେଖିଲା ସେଥିରେ ଗୋଟିଏ କବିତା । କବିତାଟି ତା’ରି ପ୍ରତି ଉଦ୍ଦେଶ୍ୟ କରି ଲେଖା ହୋଇଛି । କବିତାଟି ପଢ଼ି ତା ମନରେ ଦୁଃଖ ଆସିଲା । ସୁକୁମାର ଉପରେ ତାର ଯେଉଁ ରାଗ ହୋଇଥିଲା, ତାହା କ୍ରମେ କ୍ଷୀଣ ହୋଇ ଆସି ମିଶିଗଲା କୁଆଡ଼େ କେଜାଣି ତାର ପତ୍ତା ରହିଲା ନାହିଁ । ସେ ଉଠି ଠିଆହେଲା । ଦେଖିଲା ଟେବୁଲ ଉପରେ ଚାହା ଥଣ୍ଡା ହେଇଯାଇଛି ।

 

ସେ ଅନୁଭବ କଲା ଦେହ ଭିତରେ କିପରି ଗୋଟାଏ ଅସ୍ଵସ୍ତି । ତାର ମୁଣ୍ଡ ଭିତରଟା ମଧ୍ୟ କିପରି କିପରି ଜଣାଗଲା । ବାନ୍ତି ବାନ୍ତି ମଧ୍ୟ ଦେଖାଗଲା । ସେ ଯାଇ ସୁକୁମାର ବିଛଣାରେ ଶୋଇପଡ଼ିଲା ।

 

ଶାଶୁ ଆସି ଦେଖିଲେ ବୋହୂ ଶୋଇପଡ଼ିଛି । ସେ ଭାରି ଆଦର କରନ୍ତି ତାଙ୍କର ଏଇ ବୋହୂଟିକୁ । ୟେ ଆସିବା ଦିନୁ ଘରକୁ ଲକ୍ଷ୍ମୀ ଆସିଛି । ତେଣୁ ସେ ତାକୁ ବରାବର ଡାକନ୍ତି କେତେବେଳେ ‘ଲକ୍ଷ୍ମୀ’ କେତେବେଳେ ‘ଅନ୍ନପୁର୍ଣ୍ଣା ।’ ଯାଇ ତା ମୁଣ୍ଡରେ ହାତ ମାରି ଦେଖିଲେ, ତାକୁ ଡାକିଲେ । ଶ୍ୟାମଳୀ ଆଖି ମେଲି ଉଠି ବସିବାକୁ ଚେଷ୍ଟା କଲା । କହିଲା, ‘‘ମୁଣ୍ଡ-ଭିତରଟା କିପରି ହେଉଛି, ବାନ୍ତି ଦେଖାଉଛି....’’

 

ଶାଶୁ ତାର ତା’ ଆଡ଼କୁ ଭଲ କରି ଦେଖିଲେ । ତାଙ୍କର ଦୁଶ୍ଚିନ୍ତା ପରିବର୍ତ୍ତେ ମୁହଁରେ ସରସତା ଦେଖାଦେଲା । ସେ ଉପର ଆଡ଼କୁ ଅନାଇ, କୌଣସି ଅଦୃଶ୍ୟ ଶକ୍ତିକୁ ଉଦେଶ୍ୟ କରି କହିଲେ, ‘‘ଭଗବାନ ମଙ୍ଗଳ କରନ୍ତୁ ।’’

 

ଏହିପରି ସମୟରେ ବାପଘରୁ ଚାକର ଆସି ପହଞ୍ଚି ଖବର ଦେଲା ଯେ, ଶ୍ୟାମଳୀକୁ ବର୍ତ୍ତମାନ ଯିବାକୁ ହେବ । ଶାଶୁ ଛାଡ଼ିବାକୁ ଟିକିଏ ଅମଙ୍ଗ ହେଉଥିଲେ । ପୁଅ କୁଆଡ଼େ ଯାଇଛି, ପୁଣି ଖାଇନି । ବୋହୂର ମଧ୍ୟ ଦେହ ଭଲ ନାହିଁ । କିନ୍ତୁ ଶ୍ୟାମଳୀ କହିଲା, ‘‘କଅଣ କାମ ଥିବ, ମୁଁ ଚାଲି ଆସିବି ନାହିଁକି ?’’

 

ଯେତେବେଳେ ସୁକୁମାର ଅଫିସରୁ ଛୁଟି ନେଇ ପ୍ରାୟ ଦେଢ଼ଟା ବେଳକୁ ଘରକୁ ଫେରିଲା, ସେ ଶୁଣିଲା ଶ୍ୟାମଳୀ ତାର ବାପଘରକୁ ଯାଇଛି । ତା ମୁଣ୍ଡରେ ସ୍ଵର୍ଗ ଛିଣ୍ଡି ପଡ଼ିଲା ପରି ଜଣାପଡ଼ିଲା । ତାର ଭୋକ ଶୋଷ ସବୁ ଉଭେଇଗଲା । ସେ ବୋଉକୁ କହିଲା,‘‘ବୋଉ, ତାକୁ ଛାଡ଼ିଦେଲୁ କାହିଁକି ?’’

 

‘‘କାହିଁକି କଅଣ ହେଲା ।’’

 

ସୁକୁମାର ପାଗଳ ପରି ହୋଇ କହିଲା, ‘‘ତାକୁ ଆଜି ସକାଳେ ଚଟକଣାଟିଏ ମାରିଥିଲି-। ମୋରି ଦୋଷ । ପଛେ ବୁଝିଲି । ସେଇ ରାଗରେ ସେ ପଳାଇଲା ।’’

 

‘‘ତୁ ଯା ତାକୁ ନେଇ ଆସିବୁ ।’’

 

‘‘ମୋର ମୁହଁ ନାହିଁ ବୋଉ । ତା’ର ଗୋଡ଼ ଧରି କ୍ଷମା ମାଗିନେଇ ପାରିବି, କିନ୍ତୁ ତା ବାପଘରକୁ ଯାଇ ସେଠି ତା କରିପାରିବି ନାହଁ । ତାକୁ ତୁ ପଠାଇ ଦେଲୁ କାହିଁକି ? ତାକୁ ଛାଡ଼ିଦେଲୁ କାହିଁକି ?’’

 

ସୁକୁମାର ପାଗଳ ପରି ଅନୁଭବ କଲା ।

 

ଏକୋଇଶ

 

ଶ୍ୟାମଳୀ ଘରେ ପହଞ୍ଚି ଶୁଣିଲା ଯେ, ମୋହନ ଭାଇ ଚାରିଟା ବେଳକୁ ଆସିବ ।

 

ଘର ଛାଡ଼ିବାର ଆଜି ଠିକ୍ ତିନି ବର୍ଷ ପରେ ସେ ଘରକୁ ଫେରିବ । ସେ ଘର ଛାଡ଼ିଥିଲା ତାର ବାହା ହେବାର ତିନି ଦିନ ଆଗରୁ । ମଝିରେ ମଝିରେ ସେ ଚିଠି ଲେଖେ । କିନ୍ତୁ ଚିଠି ସେ ପ୍ରଥମରୁ ଦେଇନି । ତାର ଠିକଣା ଜଣାଇନି । ଯାଦବ ଭାଇ ଦେଶରକ୍ଷା ବିଭାଗ ଦପ୍ତରକୁ ଲେଖାଲେଖି କରି ବହୁତ କଷ୍ଟରେ ତାର ଠିକଣା ପାଇଥିଲା ଏବଂ ଲେଖିଥିଲା ।

 

ମୋହନ ଆସିବ ।

 

ଆଜି ଏଇ ଘର ଭିତରେ ବହୁତ ଅଦଳ ବଦଳ ହୋଇଯାଇଛି । ବାପା ସେ ପୁରକୁ ଚାଲି ଯାଇଅଛନ୍ତି । କିନ୍ତୁ ଜନସଂଖ୍ୟା କମିନାହିଁ । ବାପା ମରିବାର ଅଳ୍ପ ଦିନ ପରେ ମିନତିର ଗୋଟିଏ ପୁତ୍ର ସନ୍ତାନ ଦେଖା ଦେଇଛି । ଆଜି ସେ ମଧ୍ୟ ପ୍ରାୟ ଦୁଇ ବର୍ଷର । ସୁନ୍ଦର ଗୋଲଗାଲ ଚେହେରା, ମିନତି, ମାଧବୀ, ଯାଦବ–ସମସ୍ତଙ୍କର ଆଦର ଭିତରେ ବଢ଼ୁଛି । ବାବୁନା ତାର ଡାକ ନାଁ । ହଁ, ବାବୁନା ଆଉ ଜଣକର ମଧ୍ୟ ସ୍ନେହର ପାତ୍ର । ରଘୁନାଥ ବାବୁ ତାଙ୍କ ଅବସର ବେଳେ ସକାଳ ସନ୍ଧ୍ୟାରେ ବାବୁନାକୁ ଧରି ବସନ୍ତି । ତା ସହିତ କେତେ କଥାବାର୍ତ୍ତା କରନ୍ତି । ବାବୁନା ମଧ୍ୟ ତାଙ୍କ ପାଖରେ ରହେ । ହସେ ଖେଳେ । ମିନତି କାମ କଲାବେଳେ ପିଲା ଚାକର ଚାକରାଣୀ ହାତରେ ରହୁ, ଏକଥା ସେ ପସନ୍ଦ କରନ୍ତି ନାହିଁ । ପିଲାଟି ସହିତ ହସି ଖେଳି, ତାକୁ ହସାଇ ଖେଳାଇ ସେ ଆନନ୍ଦ ପାଆନ୍ତି ।

 

ଘର ଭିତରେ ଅଳ୍ପ ବହୁତ ଶାନ୍ତି ଅଛି । ମୋହନ କଥା ବୋଉଙ୍କର ସବୁବେଳେ ମନେପଡ଼େ । ଯାଦବ କାନରେ ପଡ଼ିଛି ବୋଉ ଆଉ ରଘୁନାଥ ବାବୁ ଅନେକ ସମୟରେ ତା ବିଷୟରେ ଆଲୋଚନା କରନ୍ତି । ସେ ଜାଣିଥିଲା ବାପା, ବୋଉ ଏବଂ ଘରର ବୟସ୍କ ଲୋକ ସବୁବେଳେ ଘରର ଦୁଷ୍ଟ ପିଲାଟି ପାଇଁ ବେଶୀ ଚିନ୍ତା କରନ୍ତି । ତାରି ଉପରେ ବେଶୀ ସ୍ନେହ ଢାଳନ୍ତି-। ତେଣୁ ସେ ଚିଠି ଲେଖାଲେଖି କରି ତାର ଠିକଣା ଯୋଗାଡ଼ କରି, ତା ପାଖକୁ ଲେଖି ଏତେ ଦିନ ପରେ ତାକୁ ଅଣାଉଥିଲା । ତାର ଆଶା ଥିଲା ଯେ ଏହା ଫଳରେ ବୋଉ ମନରେ କେତେକ ପରିମାଣରେ ସୁଖ ଦେଖା ଦେବ । ଆଉ ସେ ସବୁ କଥା ଲେଖିଥିଲା । ତାର ନିଜର ବିବାହ କଥା ଲେଖିଥିଲା, ଶ୍ୟାମଳୀର ବିବାହ ବିଷୟରେ ଲେଖିଥିଲା, ତାର ପିଲା ହେବା କଥା ମଧ୍ୟ ଲେଖିଥିଲା; କିନ୍ତୁ ସେ ଲୁଚାଇଥିଲା ଯେ ସେ ମିନତିକୁ ବିବାହ କରିଛି ।

 

ଯାଦବ ଆଶା କରିଥିଲା ଆଜି ମୋହନ ବହୁତ ବଦଳି ଯାଇଥିବ । ମିଲଟାରୀ ଜୀବନର ଶୃଙ୍ଖଳା ଭିତରେ ତାର ଜୀବନ ଏକ ଭିନ୍ନ ରୂପ ଧାରଣ କରିଥିବ । ତା’ଛଡ଼ା ସେ ଜାଣିଥିଲା ଯେ ମୋହନ ଶିକ୍ଷା ସମୟରେ ଭଲ କାମ କରିବା ପାଇଁ ପୁରସ୍କାର ପାଇଥିଲା । ସାହସ ପାଇଁ ପୁରସ୍କାର ପାଇଥିଲା ।

 

ଚାରିଟା ପରେ ମୋହନ ଆସି ପହଞ୍ଚିଲା ।

 

ମାଧବୀ ଦେବୀଙ୍କର ବୈଧବ୍ୟ ବେଶ ତା ଆଖିରେ ନୂଆ ପଡ଼ିଲା । ତାକୁ କିପରି ଗୋଟାଏ ଲାଗିଲା । ଗଲା ତିନିଟା ବର୍ଷ ଭିତରେ ବୋଉ କଥା ସେ ବହୁତ ଥର ଭାବିଛି । ତାର ସେଇ ଶେଷଥର ଦେଖାର ଆଖି ଯୋଡ଼ିକ ତାର ମନକୁ ଅନେକ ଥର ଫୋଡ଼ିଛି, କିନ୍ତୁ ଏକଣ ! ବୋଉର ଆଜି ଆଖି ସେପରି ନ ଥିଲା । ସେ ଆଖିରେ ଥିଲା ବାତ୍ସଲ୍ୟ, କରୁଣା, ଲୁହ ।

 

ମୋହନ ମାଧବୀ ଦେବୀଙ୍କ ଗୋଡ଼ରୁ ଧୂଳି ନେଇ ମୁଣ୍ଡରେ ମାରିଲା । ଭାଇଙ୍କୁ ମୁଣ୍ଡିଆ ମାରିଲା । ଶ୍ୟାମଳୀ ଆସି ତାକୁ ମୁଣ୍ଡିଆ ମାରିଲା ।

 

ମାଧବୀ ଦେବୀ କହିଲେ, ‘‘ରଘୁନାଥ ବାବୁଙ୍କୁ ପ୍ରଣାମ କର’’

 

‘‘ନମସ୍କାର’’ ହାତଟେକି କରିଲା ମୋହନ ।

 

ଗଲା ତିନିଟା ବର୍ଷ ଭିତରେ ମୋହନର ଚେହେରାରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଥିଲା । ତାର ଦେହ ଆଉ ଭାରି ହୋଇଥିଲା । ଚେହେରାରେ ଗାମ୍ଭୀର୍ଯ୍ୟ ଆସିଥିଲା । ସେ ସ୍ଵାଭାବିକ ଭାବରେ ଗୋରା । କିନ୍ତୁ ତାର ମୁହଁ ଟିକିଏ ନାଲିଆ ଦିଶୁଥିଲା । ଯାଦବ ତାର ମୁହଁକୁ ଦେଖିଲା ଏବଂ ମନେ ମନେ ସ୍ଥିର କରିନେଲା, ଆଜି ସନ୍ଧ୍ୟା ପରେ ତା ସହିତ କଥାବାର୍ତ୍ତା କରିବ । କାରଣ ଏ ରକ୍ତିମତା ବେଶୀ ପରିମାଣରେ ମଦ ପିଇବାର ଲକ୍ଷଣ ।

 

ଛୋଟ ପିଲାଟିଏ ରଘୁନାଥ ବାବୁ କୋଳରେ ବସି ଖେଳୁଥିଲା ଏବଂ ତା’ରି ଆଡ଼କୁ ଦେଖୁଥିଲା । ମୋହନ ପଚାରିଲା–‘‘ଏ ଛୁଆଟି କିଏ.....କାହାର !’’

 

ସମସ୍ତେ ହସିଲେ ।

 

ମୋହନ ଅପ୍ରସ୍ତୁତ ହେଲାପରି ଜଣାଗଲା ।

 

ମାଧବୀ ଦେବୀ କହିଲେ, ‘‘ଚିହ୍ନିଲୁ ?’’

 

ମୋହନ ହଠାତ ଚିହ୍ନି ପାରିଲା, ‘‘ଭାଇର ପୁଅ !’’

 

ସେ ଲମ୍ବା ଗୋଡ଼ରେ ଆଗେଇ ଯାଇ ପିଲାଟିକୁ ଟେକି ନେଲା । ପିଲାଟି ସୁନ୍ଦର ଦେଖିବାକୁ । ବେଶ ଗୋଲଗାଲ ଚେହେରା । ତା ଛଡ଼ା ତାର ମୋଟା ମୋଟା ଆଙ୍ଗୁଠିରେ ସେ ମୋହନର ଗାଲ, ନାକ, ଆଖିକୁ ଆମ୍ପୁଡ଼ିବାକୁ ଆରମ୍ଭ କରିଦେଲା ।

 

ଶ୍ୟାମଳୀ ଆଗେଇ ଆସି ତା ହାତରୁ ପିଲାଟିକୁ ନେଇ କହିଲା, ‘‘ମିଲଟାରୀ ହାତ ପିଲାଟିର ନରମ ଦେହକୁ କାଟିବ !’’

 

ମୋହନର ଜିନିଷ ଥୁଆ ହେଲା । ତାର ୟୁନିଫର୍ମ ସେ କାଢ଼ି ପକାଇଲା । ବାକ୍‍ସ କାଢ଼ିଲା । ତା ଭିତରୁ ଛୋଟିଆ ହାରଟିଏ ବାହାର କରି ସେ ଛୁଆଟି ବେକରେ ପିନ୍ଧାଇ ଦେଲା । ଗୋଟିଏ ବଡ଼ ହାର ବାହାର କରି ଶ୍ୟାମଳୀ ବେକରେ ପିନ୍ଧାଇ ଦେଲା । ଅଉ ଗୋଟାଏ ବଡ଼ ହାର ବାହାର କରି ବୋଉ ହାତରେ ଦେଇ କହିଲା, ‘‘ବୋଉ, ଏଇଟା ଭାଉଜ ପାଇଁ ଆଣିଛି ।’’

 

ବେଶୀ ଦାମିକା ହାରଟା । ମାଧବୀ ଦେବୀ ଦେଖିଲେ ଯାଦବ ଆଡ଼କୁ । ଯାଦବ କହିଲା, ‘‘ବୋଉ ହାତରେ କାହିଁକି ଦେଉଛୁ, ଭାଉଜକୁ ପିନ୍ଧାଇଦେବୁ । ବୋଉ ପାଇଁ କ’ଣ ଆଣିଚୁ-?’’

 

ମୋହନ କହିଲା, ‘‘ବୋଉ, ତୋ ପାଇଁ କିଛି ପାଇଲି ନାହିଁ । ବହୁତ ଖୋଜିଲି ବଜାରରେ । ଶେଷକୁ ଠିକଣା କଲି କ’ଣ ଜାଣିଚୁ, ତୋ ପାଇଁ ମୁଁ ମୋ ନିଜକୁ ଆଣିଛି ।’’ ସେ ବୋଉ କୋଳରେ ମିଶିଗଲା । ମାଧବୀ ଦେବୀ ତାକୁ କୁଣ୍ଢାଇ ଧରିଲେ । ତାଙ୍କ ଆଖିରେ ଲୁହ ପୁଣି ଦେଖାଦେଲା ।

 

ମୋହନ ବୋଉ ଆଖିର ଲୁହ ପୋଛିଦେଲା ଏବଂ ଭାବିଲା ବୋଉର କାନ୍ଦ ବନ୍ଦ କରିବାକୁ ସେ କ'ଣ କରିବ, ତାର ହଠାତ୍ ମନେପଡ଼ିଲା ଗୋଟାଏ କଥା । ସେ କହିଲା, ବୋଉ, ହଁ, ଘରର ବହୁତ ଅଦଳ ବଦଳ ହୋଇଛି, କିନ୍ତୁ ସେଇ ଗଣେଶ ମାର୍କା ଭଦ୍ରଲୋକଟିର ପେଟଟି ଠିକ୍ ସେମିତି ଅଛି ।’’

 

ମାଧବୀ ଦେବୀ କହିଲେ, ‘‘ତୋର ଦୁଷ୍ଟାମି ଯାଇନି–ଠିକ୍ ସେମିତି ଅଛୁ !’’

 

‘‘ବୋଉ, କୋଇଲା ଧୋଇଲେ କ’ଣ କେବେ ହେଲେ ଧଳା ହୁଏ !’’ ମୋହନ କହିଲା ।

 

ପୁଣି ମୋହନ ବାକ୍‍ସରୁ ଥୋଡ଼ାଏ କନା ବାହାର କଲା । ଦାମିକା ଗରମ କନା । ଯାଦବ ହାତରେ ଦେଇ କହିଲା, ‘‘ଏଥିରେ ତମର ସୁନ୍ଦର ଦି’ଟା ସୁଟ୍‍ ହେବ ।’’

 

ଯାଦବ କନା ପାଇ ଖୁବ୍ ଖୁସି ହେଲାପରି ଜଣାପଡ଼ିଲା । ସେ କହିଲା, ‘‘ଏତେ ଗୁଡ଼ିଏ ପଇସା କାହିଁକି ଖର୍ଚ୍ଚ କରୁଥିଲୁ ?’’

 

‘‘ପଇସା କଅଣ ହେବ !’’ କହିଲା ମୋହନ, ‘‘ଆମର ଜୀବନ କଅଣ ? ଏଇ ଅଛି, ଆଉ ଏଇ ନାହିଁ । ଗୋଟାଏ ମୁହୂର୍ତ୍ତରେ ଏପଟ ସେପଟ । ଆମ ଜୀବନର ଦର୍ଶନ ହେଉଛି ଖାଅ, ପିଅ ଆଉ ଜୀଅ । ଭାବୁଥିଲି ଗୋଟାଏ ଇନ୍‍ସୁରାନ୍‍ସ କରିବି । ଏଥର ଗଲେ କରିଦେବା ।’’

 

ମୋହନ ପାଇଁ ଯୋଉଁ କକ୍ଷଟି ନିର୍ଦ୍ଦିଷ୍ଟ କରା ହୋଇଥିଲା, ତାକୁ ସେଠାକୁ ନେଇଗଲେ ସମସ୍ତେ । ସେ ଲୁଗାପଟା ବଦଳାଇ ବସିଲା । ଗରମ କୋକୋ ଖାଇବା ପରେ ତାକୁ ଟିକିଏ ସୁସ୍ଥ ଲାଗିଲା ।

 

ବୋଉ କହିଲେ, ‘‘ଟିକିଏ ବିଶ୍ରାମ କର ।’’ ସେ ବାହାରିବାକୁ ଉଦ୍ୟତ ହେଉଥିଲା ବେଳେ ମୋହନ କହିଉଠିଲା, ‘‘ବିଶ୍ରାମ କଅଣ, କାମ କରି କରି ହେଉ କିମ୍ବା ମଦ ପିଇ ପିଇ ହେଉ ଆଖି ବୁଜି ବୁଜି ହୋଇ ନ ଯିବାଯାଏ ବିଶ୍ରାମ କଅଣ ଆମେ ଜାଣୁନା ।’’

 

ଯାଦବ କହିଲା, ‘‘ବୋଉ ଆଗରେ ଏକଥା କହୁଛୁ, ଲାଜ ମାଡ଼ୁନି ।’’

 

ମୋହନ କିଛି କହିଲା ନାହଁ । ସେ ବୁଝିପାରିଲା ନିଜର ଭୁଲ । ସେ ଦୁଃଖିତ ଭାବରେ ବୋଉକୁ ଅନାଇ କହିଲା, ‘‘ବୋଉ, ମୋ ଉପରେ ରାଗିବୁନୁ, ତୋର ଏଇ ପୁଅଟା ଭଲ ନୁହେଁ ।’’

 

‘‘ଭଲ ହେବାକୁ ଚେଷ୍ଟା କଲେ ତୁ କଅଣ ଭଲ ହୋଇ ପାରିବୁନି !’’ କହିଲେ ମାଧବୀ ଦେବୀ ।

 

ମାଧବୀ ଦେବୀଙ୍କ ପଛେ ପଛେ ସମସ୍ତେ ବାହାରିଗଲେ । ମୋହନ ବାକ୍‍ସ ଭିତରୁ ଷ୍ଟାନ୍‍ଲି ଗାର୍ଡନରଙ୍କର ଗୋଟାଏ ଉପନ୍ୟାସ ବାହାର କରି ପଢ଼ିବାକୁ ଆରମ୍ଭ କଲା । ସେହି ସମୟରେ ଶ୍ୟାମଳୀ ଆସି କହିଲା, ‘‘ଭାଇ, ମୁଁ ଯାଉଛି । ସେ ଅଫିସରୁ ଫେରି ବ୍ୟସ୍ତ ହେଉଥିବେ-।’’

 

ମୋହନ କହିଲା ‘‘ସବୁଦିନେ ଆସୁଥିବୁ ।’’

 

ଅଳ୍ପ ସମୟ ପରେ ମୋହନ ଅନୁଭବ କଲା କବାଟ ପାଖରେ ଗୋଟାଏ କଅଣ ଶବ୍ଦ । ଦେଖିଲା ବାବୁନାକୁ । ସେ ଉଠି ଆସି ତାକୁ କହିଲା, ‘‘ରହ, ଆଉ ଟିକିଏ ପରେ ତୋ ପାଇଁ ମିଠାଇ ଆଣିବି ।’'

 

ତାର ହଠାତ୍ ଆଖି ପଡ଼ିଲା ଟେବୁଲ ଉପରେ । ତା ଉପରେ ଥୁଆ ହୋଇଥିଲା ଭାଉଜ ପାଇଁ ଅଣା ହୋଇଥିବା ହାର । ସେ ତାକୁ ଯାଇ ଉଠାଇ ନେଲା ଏବଂ ଡାକ ଛାଡ଼ିଲା –‘‘ବୋଉ ।’’

 

ମାଧବୀ ଦେବୀ ଆସିଲେ ।

 

‘‘କଅଣ ?’’

 

‘‘ଭାଉଜ କାହାନ୍ତି କି ? ତାଙ୍କୁ ତ ଦେଖିଲି ନାହିଁ ? ହାରଟା ତାଙ୍କୁ ଦେଲୁ ନାହିଁ ।’’

 

‘‘ଯା, ତୁ ଦେ ! ସେ ରନ୍ଧାଘରେ ଅଛି ।’’

 

ମୋହନ ହାରଟାକୁ ନେଇ ରନ୍ଧାଘରକୁ ଗଲା । ସେ ମନକୁ ମନ ଭାବିଗଲା କେତେ କଥା । ଭାଉଜଟି ଦେଖିବାକୁ କେମିତି ହେଇଥିବ ! ଭଲ ନିଶ୍ଚୟ । ସୁନ୍ଦର ପିଲାଟି ହେଇଛି । ଗୋରା ନିଶ୍ଚୟ ହୋଇଥିବ । ଭାଇ ଲେଖିଥିଲା ଯେ ସେ କୁଆଡ଼େ ଭାରି ଭଲ ।

 

ମୋହନ ରନ୍ଧାଘରେ ଯାଇ ଦେଖିଲା ଭାଉଜ ମୁଣ୍ଡରେ ବେଶ ଓଢ଼ଣୀଟିଏ ଦେଇ ରୋଷେଇ କାମରେ ବ୍ୟସ୍ତ ।

 

‘ଭାଉଜ’ ମୋହନ ଡାକିଲା ।

 

ତା ହାତର ହାରଟାକୁ ଟାଣିବାକୁ ଆରମ୍ଭ କରିଦେଲା ବାବୁନା । ‘‘ଆଃ, ଆଃ, ରହ ରହ ଏଇଟା ତୋ ପାଇଁ ନୁହେଁ ।’’

 

ମିନତି ମୁହଁ ଫେରାଇ ଓଢ଼ଣାଟି କମାଇ ଦେଲା । ମୋହନ ଦେଖିଲା ତା ମୁହଁକୁ । ପ୍ରଥମେ ତାକୁ ଚିହ୍ନା ଚିହ୍ନା ଲାଗିଲା । ତା ପରେ ସେ ଚିହ୍ନିଲା–ମିନତି !

 

ହସ ହସ ମୁହଁରେ ମିନତି ପଚାରିଲା, ‘‘ଆଜି ଏତେ ଦିନରେ ଭାଇ, ଭଉଣୀ, ମା’ଙ୍କ କଥା ମନେପଡ଼ିଲା ?’’ ମୋହନ ମୁହଁରୁ କିଛି କଥା ବାହାରିଲା ନାହିଁ ।

 

‘‘ତୁମକୁ ଭାଇ ବାହା ହେଲେ ? ସେ ତ କାହଁ ସେକଥା ଲେଖି ନାହାନ୍ତି ?’’

 

‘‘ତା ହେଲେ ତୁମେ ଆସି ନ ଥାନ୍ତ, ନା ?’’ ମିନତି କହିଲା ‘‘ଏଇ ତୁମର ମଣିଷ ପଣିଆ, ପୁରୁଷ ପଣିଆ ! ଏଇଥିରେ ତୁମେ ଆଜି ଆକାଶ-ବାହିନୀର ବୀର ?’’

 

ଚୋରଙ୍କ ପରି ମୋହନ ଠିଆହୋଇ ରହିଲା ।

 

ତାର ଏପରି ଅବସ୍ଥାରେ ମିନତିର ମନ ହେଲା ନାହିଁ ତାକୁ ଆଉ ଆଘାତ କରିବାକୁ । ସେ କହିଲା, ‘‘ବଡ଼ ଆଗ୍ରହରେ ତ ଭାଉଜ ପାଖକୁ ଆସିଥିଲ, କଅଣ କିଛି ଦେବ ?’’

 

ମୋହନ ନୀରବରେ ହାରଟି ବଢ଼ାଇ ଦେଲା ।

 

‘’ନା ସେମିତି ନୁହେଁ’’ ମିନତି କହିଲା । ସେ ନିଜ ମୁଣ୍ଡ ଓ ବେକରୁ ଲୁଗା କାଢ଼ି ବେକଟି ଦେଖାଇଦେଲା । ମୋହନ ପିନ୍ଧାଇ ଦେଲା ।

 

ମୋହନ ଚାରିଆଡ଼କୁ ଅନାଇଲା । କେହି କୁଆଡ଼େ ନାହାନ୍ତି । ତାକୁ ଆଉରି ଖରାପ ଲାଗିଲା । ଯେପରି ମନେ ହେଲା ସେ ସେଠାରୁ ପଳାଇ ଯାଇପାରିଲେ ବଞ୍ଚେ ।

 

ମିନତି ହାତ ବଢ଼ାଇ ବାବୁନାକୁ ତା ପାଖରୁ ନେଲା ଏବଂ କହିଲା, ‘‘ୟାକୁ ଚିହ୍ନିଚ ?’’

 

‘‘ତୁମ ପୁଅ’’

 

‘‘ଠିକ ଚିହ୍ନିଲ ନାହିଁ’’

 

ମୋହନ ଠିଆହୋଇ ରହିଲା ।

 

‘‘ତୁମେ ଯେଉଁଦିନ ଘର ଛାଡ଼ିଗଲ, ସେ ଦିନ କଥା ମନେ ଅଛି ?’’

 

ମୋହନର ମନେପଡ଼ିଲା ।

 

ସେ ପଚାରିଲା, ‘‘ଭାଇ ଜାଣେ ? ବୋଉ ?’’

 

ମିନତି ହସି କହିଲା, ‘‘ସମସ୍ତେ ଜାଣନ୍ତି’’

 

ମୋହନର ଗୋଡ଼ ଚଳିଲା ନାହିଁ । ଯାଦବ ଏତିକିବେଳେ ଗଳା ଖଙ୍କାର ମାରି ଆସି ପହଞ୍ଚି କହିଲା, ‘‘ଦେଖିଲୁ ଭାଉଜକୁ ।’’

 

ମୋହନ ମୁହଁରେ ରକ୍ତ ନ ଥାଏ ।

 

‘‘ମୋହନ’’ ଯାଦବ ଡାକିଲା, ‘‘ଆ, କଥା ଅଛି’’

 

ମନ୍ତ୍ରମୁଗ୍‍ଧ ପରି ଯାଦବ ପଛେ ପଛେ ମୋହନ ଚାଲିଗଲା । ଯାଦବ କହିଲା, ‘‘ମୋହନ, ମନରେ କିଛି ଭାବିବାର ନାହିଁ । ଯେପରି ଅବସ୍ଥାରେ ତୁ ଗଲୁ, ମିନି କଅଣ କରିଥାନ୍ତା ? ତେଣୁ ମୁଁ ତାକୁ ବାହା ହେଲି ! ତୋ ଉପରେ ତାର କୌଣସି ରାଗ ବା ଆକ୍ରୋଶ ନାହିଁ । ତୁ ଘରକୁ ଆସିଛୁ, ସମସ୍ତେ ତୋର, ତୋର ନିଜର, ତୁ ଏଟା ଅନୁଭବ କର କେବଳ ଏତିକି କରିବା ପାଇଁ ଡାକିଲି ।’’

 

ଯାଦବ ଏପଟ ସେପଟ କଅଣ କହିଲା ତା’ପରେ; କିନ୍ତୁ ମୋହନର ଅବସ୍ଥା ଦେଖି ସେ କହିଲା, ‘‘ବସ, ମୁଁ ଆସେ, ମୋର ଟିକିଏ କାମ ଅଛି ।’’

 

ବାଇଶି

 

ସେଦିନ ରାତିରେ ମୋହନ ଖାଇଲା ।

 

ବିଛଣାରେ ବହୁତ ବେଳ ପର୍ଯ୍ୟନ୍ତ ଛଟପଟ ହେଲା । ଆଖିକୁ ନିଦ ଆସିଲା ନାହିଁ । ତାର ମନେପଡ଼ିଲା ଭାଇ କଥା, ବୋଉ କଥା, ମିନତି କଥା, ପିଲାଟି କଥା । ଗାର୍ଡ଼ନରଙ୍କର ସୁନ୍ଦର ଉପନ୍ୟାସରେ ମଧ୍ୟ ତାର ମନ ବସିଲା ନାହଁ । ସେ ବାକ୍‍ସ ଖୋଲି ବାହାର କଲା ଗୋଟାଏ ବୋତଲ । ଢକ୍ ଢକ୍ କରି ପିଇଲା ଥୋଡ଼ାଏ । ପୁଣି ଶୋଇବାକୁ ଚେଷ୍ଟା କଲା । ତଥାପି ନିଦ ଆସିଲା ନାହିଁ । ଆଉ ଥରେ ପିଇଲା । ଏଥର ତାକୁ ବାନ୍ତି ମାଡ଼ିଲା । ବେଶୀ ହୋଇଯାଇଥିଲା । ସେ ବାନ୍ତି ନ କରି ନିଶ୍ୱାସ ବନ୍ଦ କରିଦେଲା ଥୋଡ଼ାଏ ବେଳ । ଏଥର ତାର ଆଖି ବନ୍ଦ ହୋଇ ରହିଲା । କିଛି ସମୟ ପରେ ତାର ମନ ହେଲା ତାର ଖଟଟା ତାକୁ ନେଇ ବୁଲି ଯାଉଛି, ଓଲଟି ଯାଉଛି । ତାପରେ ଧୀରେ ଧୀରେ ତାର ଜ୍ଞାନ ଲୁପ୍ତ ହେଲା ।

 

ତାର ନିଦ ଭାଙ୍ଗିଲା ବେଳକୁ ସକାଳ ହେଲାଣି । ସେ ବିଛଣାରେ ଉଠି ବସିଲା । ତାର ମନେପଡ଼ିଲା ଏଟା ଅଫିସର୍ସ ମେସ୍ ମୁହେଁ । ସେ ଉଠି ମୁହଁ ଧୋଇଲା ଏବଂ ଦେହରେ ପାଣି ଥୋଡ଼ାଏ ଢାଳି ନୂଆ ଲୁଗା ପିନ୍ଧିଲା ।

 

ଅଳ୍ପ ସମୟ ପରେ ମିନତି ଆଣି ତା ଆଗରେ ଥୋଇ ଦେଲା ଜଳଖିଆ । ସେ ଦେଖିଲା ମିନତିକୁ ।

 

ମିନତିର ଚେହେରା ବଦଳି ଯାଇଛି । ତାର ଦେହ ଆଉ ପୂର୍ଣ୍ଣ ହୋଇଉଠିଛି । ତାର ଆଖି ଓ ମୁହଁରେ ଫୁଟିଉଠିଛି ଏକ ସ୍ନିଗ୍‍ଧତା, ଏକ କମନୀୟତା । ମିନତିକୁ ଦେଖି ସେ ତନ୍ମୟ ହେଇପଡ଼ିଲା ।

 

‘‘କଅଣ ଦେଖୁଚ ?’’ ମିନତି ପଚାରିଲା ।

 

ମୋହନ କିଛି କହିପାରିଲା ନାହିଁ ।

 

ସେ ଦିନଟା ଯାକ ଦେଖିଲା ବାବୁନାକୁ । ଏଇ ପିଲାଟି ତାର ପୁଅ । ଏଇ ପିଲାଟିକୁ ସେ ସ୍ୱୀକାର ନ କରି କାପୁରୁଷ ପରି ପଳାଇଥିଲା ।

 

ଆତ୍ମ ଘୃଣା, ଆତ୍ମ ଧିକ୍‍କାରରେ ତାର ମନ ପୂର୍ଣ୍ଣ ହୋଇଗଲା ।

 

ମଧୁ ଖବର ପାଇ ଆସି ସନ୍ଧ୍ୟା ଆଗରୁ ପହଞ୍ଚିଲା ।

 

‘‘ଆରେ ଭାଇ, ତୁ ବର୍ତ୍ତମାନ ଅଫିସର, ଆମେ ମଳିମୁଣ୍ଡିଆ ଲୋକ ।’’

 

‘‘ଆ.... ଆ’’ ମୋହନ ତାକୁ ଡାକି ବସାଇଲା ? ତାକୁ କପେ କୋକୋ ଖୁଆଇଲା । ତାପରେ କହିଲା, ‘‘ଚାଲ, ଘେରାଏ ବୁଲି ଆସିବା ।’’

 

ବାଟରେ ମୋହନ ପଚାରିଲା, ‘‘ହଇରେ ମଧୁ, ଖବର କଅଣ କହ !’’

 

‘‘ପଚାର’’

 

‘‘ପଦ୍ମା କେଉଁଠି’’ ?

 

‘‘ଯିବୁ ତାଙ୍କ ଘରକୁ’’ ?

 

‘‘ଚାଲ ।’’

 

ଗୋଟାଏ ରିକ୍‍ସାରେ ବସାଇ ମଧୁ ତାକୁ ବାଟ କଢ଼ାଇ ନେଇଗଲା ।

 

‘‘ଏ ବାଟ ତ ନୁହେଁ ?’’

 

‘‘ସେ ଆଉ କଅଣ ସେଇ ପୁରୁଣା ଘରେ ଅଛି ?’’

 

ମୋହନ ନୀରବ ରହିଲା ।

 

ଗୋଟାଏ ପ୍ରକାଣ୍ଡ କୋଠା ଆଗରେ ସେମାନେ ଠିଆ ହେଲେ । ମଧୁ କହିଲା, ‘‘ଏଇଟା ତା ଘର । ସେ ଜଣେ ବଡ଼ ଇଞ୍ଜିନିଅରଙ୍କୁ ବାହା ହୋଇଛି ।’’

 

‘‘ବାହା ହେଲାଣି ?’’

 

ଭିତରକୁ ଖବର ଗଲା । କିଛି ସମୟ ପରେ ପଦ୍ମା ବାହାରିଲା । ପରିଧାନରେ ଦାମୀ ଶାଢ଼ି, ମୂଲ୍ୟବାନ ଅଳଙ୍କାର । ଖୁବ ଗମ୍ଭୀର ମୁହଁରେ ଗୋଟାଏ ହସ ଟାଣିବାକୁ ଚେଷ୍ଟା କରି ହାତଯୋଡ଼ି ନମସ୍କାର କଲା ପଦ୍ମା । କହିଲା, ‘‘କେବେ ଆସିଲେ ?’’

 

‘‘କାଲି !’’

 

‘‘ଆଉ ଆଜି ମୋ କଥା ମନେପଡ଼ିଲା ?’’ ତାପରେ କହିଲା, ‘‘ଚାହା ଖାଇବେ ? ଯଦି ରହିଯିବେ, ତେବେ ସନ୍ଧ୍ୟା ପରେ ସେ ଆସିବେ, ଆଳାପ କରିବେ ।’’

 

‘‘ନା, ନା ମୁଁ ତୁମ ସହିତ ଦେଖା କରିବାକୁ ଆସିଥିଲି ।’’

 

‘‘ମୁଁ ସ୍ଵାଧୀନ ନୁହେଁ–ଅବଶ୍ୟ ସେ ସ୍ଵାଧୀନତା ମୋର ଯଥେଷ୍ଟ ଅଛି । ଇଚ୍ଛାକଲେ ମୁଁ ତୁମ ସାଙ୍ଗରେ ସିନେମା ଦେଖିବାକୁ ଚାଲିଯାଇ ପାରିବି; କିନ୍ତୁ ମୁଁ ତାର ସୁଯୋଗ ଗ୍ରହଣ କରିବାକୁ ଚାହେନା ।’’

 

ମୋହନ ଆହତ ଅନୁଭବ କରି କହିଲା, ‘‘ସେ ଥିବାବେଳେ ଅନ୍ୟ ଦିନ ଆସିବି ।’’

 

‘‘ଭଲ ।’’

 

‘‘ଚାହା ଟିକିଏ ଖାଇ ଯିବେନି ?’’

 

‘‘ସେତିକିବେଳେ ଖାଇବା । ତା ଛଡ଼ା ମୁଁ ଆଜିକାଲି ଚାହା ପିଉନି ?’’

 

‘‘କଅଣ ପିଉଛ ?’’

 

‘‘ବୋତଲ କିମ୍ବା ଅଧରରୁ ମଦିରା’’ ହସି କହିଲା ମୋହନ, ‘‘ମୁଁ ଆସେ । ନମସ୍କାର...’’ଯିବା ଆଗରୁ ବୁଲି ପଡ଼ି କହିଲା, ‘‘ସେଇ ଶହକ କଥା ମୋର ମନେ ଅଛି ।’’

 

ପଦ୍ମା ଓଠକୁ ଦାନ୍ତରେ କାମୁଡ଼ିଲା !

 

ମଧୁ ବାହାରେ ଅପେକ୍ଷା କରୁଥିଲା । ତାକୁ ମୋହନ କହିଲା, ‘‘ଚାଲ ।’’

 

ଦିନେ ଗଲା । ଦୁଇଦିନ ଗଲା । ତିନି ଦିନ ଗଲା । ମୋହନର ମନ ଦିନକୁ ଦିନ ଅସ୍ଥିର ହୋଇଉଠିଲା । ମିନତିକୁ ସେ ଯେତେ ଦେଖିଲା, ବାବୁନାକୁ ସେ ଯେତେ ଦେଖିଲା, ତାର ମନ ସେତେ ଅତିଷ୍ଠ ହେଲା । ସେ ଅନୁଭବ କଲା ଯେପରି ସେମାନେ ତାର ମନ ଟାଣି ନେଉଛନ୍ତି ।

 

ମିନତିର ମୁହଁ, ମିନତିର ଚାଲିଚଳଣ ଭିତରେ ସେ ଆଉ ଗୋଟାଏ କିଛିର ସନ୍ଧାନ ପାଇଲା । ସେ ଯେ କେବଳ ନାରୀ, ତାର ଯେ କେବଳ ଗୋଟାଏ ଅବୟବ ଥିଲା ତା ନୁହେଁ, ତା ପାଖରେ ଆଉ କିଛି ଥିଲା–କଅଣ...କଅଣ...ସେ ଯେତେ ଭାବିଲା ସେ ସେମିତି ଅନୁଭବ କଲା ମିନତିକୁ ତାର ଦରକାର । ମିନତିକୁ, ହଁ, ମିନତି ନ ହେଲେ ତାର ହେବନାହିଁ । ଆଉ ବାବୁନା, ବାବୁନା ଉପରେ ଭାଇର କ'ଣ ଅଧିକାର ଅଛି ? ସେ ଯେତେବେଳେ ଡାକିବାକୁ ଶିଖିବ, କହିବାକୁ ଶିଖିବ, ସେତେବେଳେ ତା ବାପ ଡାକର ଅଧିକାର ହେବ ଭାଇ । ସେ ଯେପରି କେହି ନୁହେଁ, କିଛି ନୁହେଁ ! ବାବୁନାର ସେଇ ହସ, ତାର ସେଇ ଗୋଡ଼ କଚାଡ଼ି କଚାଡ଼ି ଚାଲିବା ତାକୁ ଆକର୍ଷଣ କଲା-। ତା ଭିତରେ ବ୍ୟର୍ଥ ପିତୃତ୍ଵ ଚେଇଁ ଉଠିଲା ।

 

ତା ଆଖିକୁ ନିଦ ଆସିଲା ନାହିଁ । ରାତ୍ରି ଗୁଡ଼ିକରେ ସେ ଖୁବ୍‍ ପିଇଲା । ବେହୋସ୍ ହେବାଯାଏଁ ପିଇଲା ।

 

ଦିନେ ସକାଳେ ଘରକୁ ପଶିଆସି କ'ଣ ଗୋଟାଏ ଖୋଜୁ ଖୋଜୁ ମିନତି ଦେଖିଲା ଟେବୁଲ ଉପରେ ମଦ ବୋତଲ । ମୋହନ ଭୁଲି ଯାଇଥିଲା ଆଗଦିନ ରାତିରେ ତାକୁ ବାକ୍‍ସ ଭିତରେ ଥୋଇ ଦେବାକୁ । ସେ ତାର ଠିପି ଖୋଲି ଶୁଙ୍ଘି ଜାଣିଲା ଯେ ସେ ମଦ । ସେ ତାକୁ ନେଇଗଲା ।

 

ମୋହନର ନିଦ ଭାଙ୍ଗିଲା ପରେ ଜଳଖିଆ ଖାଇବାକୁ ଦେଲାବେଳେ ମିନତି କହିଲା, ‘‘ସାଙ୍ଗରେ କେଇଟା ବୋତଲ ମଦ ଆଣିଥିଲ ?’’

 

‘‘କାହିଁ, ନା ତ ?’’

 

‘‘ମିଛ କହିବା, ଠକିବା ଏଗୁଡ଼ିକ ଆଜିଯାଏଁ ଛାଡ଼ିନ ?’’ ମିନତିର କଣ୍ଠରେ ଥିଲା ଭର୍ତ୍ସନା-। ମୋହନ ଆହତ ଅନୁଭବ କଲା ।

 

‘‘ଘରେ ମଦ ଖାଆନ୍ତି ?’’ ମିନତି ପଚାରିଲା ନରମ ଭାବରେ । ମୋହନ କିଛି କହିଲା ନାହିଁ ।

 

‘‘ଘରେ ମଦ ପିଇ ପାରିବ ନାହିଁ’’ ମିନତି କହିଲା, ‘‘ମୋର ଅନ୍ତତଃ ଏତିକି କଥା ରଖିବ-?’’

 

‘‘କହି ପାରୁନି’’

 

ମିନତି ଆଖିରେ ଲୁହ ଠିଆ ହେଲା । ସେ କହିଲା, ‘‘ତୁମେ ଜାଣନା ତୁମର ଭାଇ, ତୁମର ମା’ ତୁମକୁ କେତେ ଭଲପା’ନ୍ତି, ସେମାନେ ତୁମଠାରେ କେତେ ଆଶା ରଖନ୍ତି, ତୁମେ ଭଲ ହେଲେ, ତୁମେ ମଣିଷ ହେଲେ କେତେ ସୁଖ ହ’ନ୍ତା ତାଙ୍କ ମନରେ !’’

 

ମୋହନ କୋକୋ କପ୍‍ଟିକୁ ଉଠାଇ ନେଇ କହିଲା, ‘‘କାହାରି ଜୀବନରେ ସୁଖ ଦେବାପାଇଁ ମୋର ଜନ୍ମ ହୋଇ ନଥିଲା । ମୁଁ ଏକ ଦୁର୍ଭାଗା ।’’

 

‘‘ସେ ତୁମର ବୁଝିବା ଭୁଲ !’’

 

ଏତିକିବେଳେ ମାଧବୀ ଦେବୀ ଆସି ପହଞ୍ଚି କହିଲେ, ‘‘ମା, ଯା, ଯାଦବ କୁଆଡ଼େ ଯିବ, ତାକୁ କ’ଣ ଦି’ଟା ଖାଇବାକୁ ଦେ ।’’

 

ମାଧବୀ ଦେବୀ କହିଲେ, ‘‘ତୁ କୁଆଡ଼େ ସତେ ମଦ ପିଉଚୁ ? ସେଦିନ କହିଲୁ ମୁଁ ବିଶ୍ଵାସ କରି ନଥିଲି’’

 

ମୋହନକୁ ଏସବୁ ଶୁଣିବାକୁ ଭଲ ଲାଗିଲା ନାହିଁ । ବରଂ କେହି ଯଦି ଆସି ଟଙ୍କା ବାଜି ପକାଇ ମଦ ପିଇବାକୁ ଡାକିଥାନ୍ତା, ତେବେ ସେ ଖୁସି ହୋଇଥାନ୍ତା । ମଦ ପିଇବନି ତ ମଣିଷ କ’ଣ ପିଇବ !

 

ମାଧବୀ ଦେବୀ କହିଲେ, ‘‘ମୋ ଦେହ ଛୁଇଁ ଶପଥ କର ଯେ, ତୁ ଆଉ କେବେ ମଦ ପିଇବୁ ନାହିଁ ।’’

 

ମୋହନ ସ୍ଥିର ଭାବରେ ବସିରହିଲା ।

 

‘‘ଶପଥ କରିବୁ ନାହିଁ !’’

 

‘‘ମିଛ କହି କେମିତି ଶପଥ କରିବି ବୋଉ !’’

 

‘‘ତୁ ମଦ ଛାଡ଼ିପାରିବୁ ନାହିଁ ?’’

 

‘‘ମଦ କାହିଁକି ଛାଡ଼ିବି ! କ’ଣ ଦରକାର ଅଛି ! ତେବେ କ’ଣ ପାଇଁ ବଞ୍ଚିବି ?’’

 

‘‘ଯେଉଁମାନେ ମଦ ପିଉ ନ ଥିଲେ, ପିଅନ୍ତି ନାହିଁ, ସେମାନେ କଣ ପାଇଁ ବଞ୍ଚନ୍ତି !’’

 

‘‘ସେମାନେ ଯାହା ମୁଁ ସେୟା ନୁହେଁ ବୋଉ, ମୁଁ ସେୟା ନୁହେଁ । ମୁଁ ଭିନ୍ନ, ମୁଁ ଗୋଟାଏ ଦୁଷ୍ଟ ଗ୍ରହ ! ସେମାନେ ଘଣ୍ଟାରେ ଚାରିମାଇଲ ଯାନ୍ତି; ମୁଁ ଘଣ୍ଟାରେ ବାରଶହ ମାଇଲ ଯାଏଁ । ବହୁତ ବହୁତ ତଫାତ୍ । ତୁ ଯା ବୋଉ, ମତେ ଟିକିଏ ନିରୋଳାରେ ରହିବାକୁ ଦେ ।’’

 

ମାଧବୀ ଦେବୀ ଅପମାନିତ ଅନୁଭବ କଲେ । ସେ ଉଠି ଠିଆ ହେଲେ । ତାଙ୍କ ମନରେ ଦୁଃଖ ମଧ୍ୟ ହେଲା । ସେ କହିଲେ, ‘‘ତୋ ଭଲ ପାଇଁ କହୁଛି ।’’

 

ମାଧବୀ ଦେବୀ ବାହାରିଗଲେ ।

 

ତାଙ୍କ ଯିବା ବାଟକୁ ଚାହିଁ ମୋହନ ଦୀର୍ଘ ନିଶ୍ଵାସଟାଏ ଛାଡ଼ିଲା । ସେ ଅନୁଭବ କଲା ଯେପରି ତା ମୁଣ୍ଡରୁ ଗୋଟାଏ ବୋଝ ଓହ୍ଲାଇଗଲା ।

 

ଅଧିକନ୍ତୁ ସେ ଅନୁଭବ କଲା ଯେ ସେ ଘରେ ସେ ରହିପାରିବ ନାହିଁ । ତାକୁ କିଛି ଭଲ ଲାଗୁ ନଥିଲା । କିନ୍ତୁ ସେ ମଧ୍ୟ ଅନୁଭବ କଲା ଯେ ସେ ଘର ଛାଡ଼ି ଯାଇ ପାରୁନାହିଁ । କିଛି ଗୋଟାଏ ତାକୁ ଟାଣି ରଖୁଥିଲା । ମିନତିର ମୁହଁ, ବାବୁନାର ମୁହଁ ତା ଆଖି ଆଗରେ ଭାସିଲା ।

 

ନିରୋଳା ସମୟ ଦେଖି ସେ ସେଇ ଦିନ ସନ୍ଧ୍ୟାବେଳେ ମିନତିର ହାତ ଧରିପକାଇ କହିଲା, ‘‘ତୁମ ପ୍ରତି ମୁଁ ଯେଉଁ ଅବିଚାର କରିଥିଲି, ମୁଁ ବୁଝିଛି ତୁମେ ମତେ କ୍ଷମା କରିଛ । ମୋ ଦୋଷର ପ୍ରାୟଶ୍ଚିତ୍ତ କରିବାକୁ ମତେ ଅନୁମତି ଦେବ ?’’

 

ମିନତି ପଚାରିଲା, ‘‘କଅଣ’’ ?

 

‘‘ଚାଲ, ପଳାଇଯିବା ।’’

 

ମିନତି ତାର ହାତ ଟାଣିନେଲା ।

 

‘‘ଦେଖ ମିନି, ତୁମେ ମୋର, ବାବୁନା ମୋର, ତୁମେ ଏକଥା ଜାଣିଛ, ଭାଇ ଜାଣିଛି, ବୋଉ ଜାଣିଛି । ତେବେ ଆଉ ଛଳନା କାହିଁକି ? ତୁମକୁ ଯେତେ ଦିନ ଦେଖି ନ ଥିଲି ବେଶ ଥିଲି । ଚାଲ ତୁମେ ! ତୁମେ ଥରେ ହଁ କୁହ, ମୁଁ ମଦର ବୋତଲ ଭାଙ୍ଗିଦେବି । ତୁମେ ଯାହା କହିବ କରିବି-। ତୁମେ ମୋ ପାଖରେ ରହିବ । ବାବୁନା ମତେ ବାପା ଡାକିବ.... ?

 

‘‘ମୁଣ୍ଡ ଠିକ୍ ଅଛି ?’’ ମିନତି ପଚାରିଲା, ‘‘କଅଣ କହୁଚ ତୁମେ ବୁଝି ପାରୁଛ?’’

 

‘‘ଖୁବ ବୁଝି ପାରୁଛି’’

 

‘‘ପ୍ରଳାପ ବକୁଛ ! ମୁଁ ମିନି ନୁହେଁ, ମିନତି ନୁହେଁ, ମୁଁ ତୁମର ଭାଉଜ । ତୁମ ଭାଇର ବିବାହିତା ସ୍ତ୍ରୀ ! କେଉଁ ଅଧିକାରରେ ତୁମେ ମତେ ନେଇଯିବ, କେଉଁ ସାହସରେ ସମାଜ ଆଗରେ ମୁହଁ ଦେଖାଇବ !’’

 

‘‘ମିନି, ମିନି’’ ମୋହନ ମିନତିର ହାତ ଧରି ପକାଇ କହିଲା ‘‘ସେ କଥା କୁହନା ମିନି, ସେ କଥା କୁହନା । ମୁଁ ଉଡ଼ାଜାହାଜ ନେଇ ଆସିଛି । ତୁମେ ହଁ କହିଲେ ମୁଁ ତୁମକୁ ନେଇ ଚାଲିଯିବି-। ସେଠି ସମାଜ ନାହିଁ । ସେଠି ଆମର କେହି ନାହିଁ । ସେଠି ଆମକୁ କେହି ଜାଣେନା-।’’

 

ମିନତି ତାର ହାତ ଛଡ଼ାଇ ନେଇ କହିଲା, ‘‘ମୁଁ ଯାଏଁ, ପାଗଳର ପ୍ରଳାପ ଶୁଣି ଲାଭ ନାହିଁ ।’’

 

ମୋହନ ତାକୁ ଧରି ପକାଇଲା ।

 

ମିନତି ଚିତ୍କାର କରି ଉଠିଲା, ‘‘ଛାଡ଼’’

 

ସେପଟୁ ମାଧବୀ ଦେବୀ ପଚାରି ଉଠିଲେ, ‘‘କଅଣ କି ମା ?’’

 

‘‘ପୁଅଙ୍କ କଥା ଶୁଣ !’’

 

ମୋହନ ମିନତିର ହାତ ଛାଡ଼ିଦେଲା ।

 

ମିନତି ଠିଆ ହୋଇରହିଲା । ବୋଉ ଆସିଲେ । ମୋହନକୁ ଲକ୍ଷ୍ୟ କରି ମିନତି କହିଲା, ‘‘କୁହ, ଯାହା କହୁଥିଲ’’

 

ମୋହନ ଠିଆ ହୋଇରହିଲା । ତା ଆଖିରେ ଲୁହ ଠିଆ ହେଲା । ମାଧବୀ ଦେବୀ କଅଣ ବୁଝିଲେ କେଜାଣି କହିଲେ, ‘‘ଆ, ମା,ଚାଲିଆ, କଥା ବଢ଼ାଇ ଲାଭ ନାହିଁ’’

 

ମାଧବୀ ଓ ମିନତି ବାହାରିଗଲେ ।

 

ଯାଦବ ଘରେ ନ ଥିଲା । ସେ ଆସିଲେ ଜାଣିବ । ମୋହନ ଯଥାଶୀଘ୍ର ତାର ଜିନିଷପତ୍ର ଠିକ୍‍ କରି ଗୋଟାଏ ରିକ୍‍ସାରେ ଥୋଇଲା ।

 

ମାଧବୀ ଦେବୀ ତାକୁ ପଚାରିଲେ, ‘‘କଅଣ ଚାଲି ଯାଉଛୁ ନା କଅଣ ।’’

 

ମୋହନ କଣ୍ଠରୁ ଶବ୍ଦ ବାହାରିଲା ନାହିଁ । ଅପମାନ, ବ୍ୟର୍ଥତା, ଦୁଃଖରେ ତାର ହୃଦୟ ଭିତରଟା ଫାଟି ପଡ଼ୁଥିଲା । ସେ ରିକ୍‍ସାରେ ଯାଇ ଷ୍ଟେସନ ପାଖରେ ଗୋଟାଏ ଟେକ୍‍ସି ଯୋଗାଡ଼ କରି ଏରୋଡ୍ରୋମ ଗଲା ଏବଂ ଯେଉଁ ପ୍ଲେନଟିରେ ସେ ଆସିଥିଲା, ତାକୁ ରେଡ଼ି କରିଦେବାକୁ କହିଲା । ପ୍ଲେନଟି ଆଗରୁ ରେଡ଼ି ଅଛି । ପ୍ଲେନ ଉପରେ ସେ ତାର ଜିନିଷ ଉଠାଇଲା ବେଳକୁ ତାକୁ ଜଣାଇ ଦିଆହେଲା ବିପଦ ଆଗରେ ଅଛି । କଳା ମେଘ ଦେଖା ଦେଇଛି । ମୋହନ ମୁହଁରୁ ବାହାରିଲା ‘ନନସେନ୍‍ସ’

 

ମୋହନର ଉଡ଼ାଜାହାଜଟି ବିକଟ ଶବ୍ଦ କରି ଉଠିଲା–ରନୱେରେ ଦୌଡ଼ିବାକୁ ଆରମ୍ଭ କଲା ଏବଂ କ୍ରମେ ମାଟି ଛାଡ଼ି ରାତ୍ରିର ଅନ୍ଧକାର ଭିତରେ ମାତ୍ର କେବଳ ଧଳା ନାଲିଆ ଶାଗୁଆ ରଙ୍ଗରେ ତାର ଅସ୍ଥିତ୍ୱ ଜଣାଇବାକୁ ଆରମ୍ଭ କଲା ।

 

ତା ପରଦିନ ଖବର କାଗଜରେ ବାହାରିଲା–

 

‘‘ଛୁଟିରୁ କାମକୁ ଫେରିଲା ବେଳେ ଓଡ଼ିଆ ଯୁବକ ପାଇଲଟ୍‍ଙ୍କର ଅପମୃତ୍ୟୁ ।’’

 

ତା’ପରେ ଲେଖାଥିଲା ମୋହନର ପୂରା ନାମ । ଆଉ ଲେଖା ହୋଇଥିଲା ତାର ବାପା ଭାଇଙ୍କ ବିଷୟରେ । ଆଉ ମଧ୍ୟ ଲେଖାଥିଲା ପାଇଲଟ୍‍ ହିସାବରେ ସେ କିପରି ଦକ୍ଷ ଥିଲେ ଏବଂ ସେଥିପାଇଁ ସେ କେତେଥର ପୁରସ୍କୃତ ହୋଇଥିଲେ । ପୁଣି ମଧ୍ୟ ଲେଖାଥିଲା ଯେ, ଶ୍ରୀଯୁକ୍ତ ମୋହନ ବିମାନ ବାହିନୀ ଶିକ୍ଷାକେନ୍ଦ୍ରରେ ଥିଲେ ଅନ୍ୟମାନଙ୍କର ଆଦର୍ଶ । ସବା ଶେଷରେ ଲେଖାଥିଲା ଯେ ତାଙ୍କର ମୃତ୍ୟୁରେ ଓଡ଼ିଆ ତଥା ଭାରତ ଜଣେ ଦକ୍ଷ ବିମାନଚାଳକ ହରାଇଲା । ହଁ, ଆଉ ମଧ୍ୟ ଥିଲା ତାଙ୍କର ଜୀବିତା ମାତା ଓ ଅଗ୍ରଜଙ୍କୁ ସମବେଦନା ଜ୍ଞାପନ ।

Image